
ଯାଜପୁରସଦର/ହରିପୁର : ଯାଜପୁର ସଦର ଥାନା ଅନ୍ତର୍ଗତ ମହେଶ୍ୱରପୁର ପଞ୍ଚାୟତ ଜୟପୁର ଗ୍ରାମର ବିନୋଦ ବିହାରୀ ବେହେରାଙ୍କ ସାନପୁଅ ରାଜେଶ ବେହେରା(୨୪) ଆକ୍ରମଣରେ ବଡ଼ପୁଅ ଆଶିଷ ବେହେରା(୩୦)ଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଆଶିଷଙ୍କ ଶ୍ବଶୁର ଏହି ଥାନା ଅନ୍ତର୍ଗତ ଆମ୍ପୋର ଗ୍ରାମର ଦୁର୍ଯ୍ୟୋଧନ ଦାସ ଆଜି ସଦର ଥାନାରେ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁଯାୟୀ, କୌଣସି କାରଣକୁ ନେଇ ଆଶିଷଙ୍କ ସହ ତାଙ୍କ ବାପା ବିନୋଦ, ସାନଭାଇ ରାଜେଶ ଓ ଦାଦା ଗଦାଧରଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ରାଗିଯାଇ ଆଶିଷ ଘରେ ଭଙ୍ଗାରୁଜା କରିବାରୁ ବାପା ବିନୋଦ ଓ ସାନଭାଇ ରାଜେଶ ତାଙ୍କୁ ଏକ ଗଛରେ ବାନ୍ଧି ପ୍ରବଳ ମାଡ଼ ମାରିଥିଲେ। ପରେ ତାଙ୍କୁ ଏକ ଘର ଭିତରେ ବନ୍ଦ କରିଦେଇଥିଲେ। ଘରର କବାଟ ଖୋଲି ଆଶିଷ ବାହାରକୁ ପଳେଇ ଆସିବା ସହ ବାପା ବିନୋଦଙ୍କ ସହ ମୁହାଁମୁହିଁ ହୋଇଥିଲା। ଏହି ସମୟରେ ସାନଭାଇ ରାଜେଶ ଗୋଟିଏ ଭଙ୍ଗା ଲୁହା ଗ୍ରୀଲ ଫିଙ୍ଗିବାରୁ ତାହା ଆଶିଷଙ୍କ ବେକରେ ଗଳିଯାଇଥିଲା। ଗୁରୁତର ଅବସ୍ଥାରେ ଆଶିଷଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା। କଟକରେ ଚିକିତ୍ସାଧୀନ ଅବସ୍ଥାର ତାଙ୍କର ମୃତ୍ୟୁ ହୋଇଥିଲା।
ଏସମ୍ପର୍କରେ ଆଶିଷଙ୍କ ପତ୍ନୀ ଋତୁରାଣୀ ମଧ୍ୟ ଶ୍ୱଶୁର ଓ ଦିଅର ତାଙ୍କ ସ୍ବାମୀଙ୍କୁ ମାରି ଦେଇଛନ୍ତି ବୋଲି ଥାନାରେ ଅଭିଯୋଗ କରିଛନ୍ତି। ସଦର ଥାନା ପୁଲିସ ଜୟପୁର ଗ୍ରାମରେ ପହଞ୍ଚି ପରିବାର ଲୋକଙ୍କୁ ପଚରାଉଚରା କରିବା ସହ ବିନୋଦଙ୍କୁ ଥାନାକୁ ଆଣି ଅଟକ ରଖିଛି। ଅନ୍ୟପକ୍ଷରେ ସାନଭାଇ ରାଜେଶ ଫେରାର ହୋଇଯାଇଛି।
The post ସାନଭାଇ ମାଡ଼ରେ ବଡ଼ଭାଇର ମୃତ୍ୟୁ first appeared on Sambad.from ଜିଲ୍ଲା | Sambad https://ift.tt/2V8V7v6
0 Comments