ଚିତ୍ରଡ଼ା : ଚଳନ୍ତା ଅଟୋରୁ ମହିଳାଙ୍କୁ ଫିଙ୍ଗିଦେଲେ ଦୁର୍ବୃତ୍ତ। ଏହି ମହିଳାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ବାରିପଦା ସଦର ଥାନା ବାଘୁଆଶୋଳ ନିକଟରେ ଏହିଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି।

ବାରିପଦା-ଅମର୍ଦା ରାଜ୍ୟ ରାଜପଥର ବାଘୁଆଶୋଳ ପରେ ରହିଛି ବୁଦୁବୁଦିଆ ଜଙ୍ଗଲ। ଆଜି ମଧ୍ୟାହ୍ନରେ ଏହି ଜଙ୍ଗଲ ରାସ୍ତାରେ ଯାଉଥିବା ଏକ ଅଟୋରୁ କିଛି ଲୋକ ଜଣେ ମହିଳାଙ୍କୁ ତଳକୁ ଫିଙ୍ଗିଦେଇ ପଳାଇଥିଲେ। କିଛିଦୂରରେ ଥିବା ଗାଈ ଜଗୁଆଳମାନେ ଏହା ଦେଖି ଘଟଣାସ୍ଥଳକୁ ଦୌଡ଼ିଥିଲେ। ସେତେବେଳକୁ ମହିଳା ଜଣକ ଯନ୍ତ୍ରଣା‌ରେ ଛଟପଟ ହେଉଥିଲେ। ଖବର ପାଇ ବାରିପଦା ସଦର ଥାନା ପୁଲିସ ସ୍ଥାନୀୟ ଲୋକଙ୍କ ସହଯୋଗରେ ମହିଳାଙ୍କୁ ଉଦ୍ଧାର କରି ପିଆର୍‌ଏମ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରିଛି। ମହିଳାଙ୍କ ବୟସ ୩୦ରୁ ୩୫ ବର୍ଷ ଭିତରେ ହେବ। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ତାଙ୍କର ପରିଚୟ ମିଳିପାରିନି। ତେବେ କେଉଁ ପରିସ୍ଥିତିରେ ଦୁର୍ବୃତ୍ତମାନେ ତାଙ୍କ ସହ ଏମିତି କାଣ୍ଡ ଭିଆଇଲେ, ସେ ନେଇ ଅଧିକ ତଦନ୍ତ ଜାରି ରହିଛି। ସୁସ୍ଥ ହେବାପରେ ମହିଳାଙ୍କ ବୟାନ ଆଧାରରେ ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯିବ ବୋଲି ପୁଲିସ ସୂଚନା ଦେଇଛି।

The post ଚଳନ୍ତା ଅଟୋରୁ ମହିଳାଙ୍କୁ ଫିଙ୍ଗିଦେଲେ, ଗୁରୁତର ଅବସ୍ଥାରେ ପିଆର୍‌ଏମ୍‌ରେ ଭର୍ତ୍ତି first appeared on Sambad.

from ଜିଲ୍ଲା | Sambad https://ift.tt/2XgqxjK