
କୋମନା : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଓ କୋମନା ବ୍ଲକ୍ରେ ନିର୍ମିତ ଲୋୟର ଇନ୍ଦ୍ର ଜଳ ପ୍ରକଳ୍ପର ବିସ୍ଥାପିତଙ୍କ ଜଟିଳ ସମସ୍ୟା ଦେଖାଦେଇଛି। ଲଗାଣ ବର୍ଷାର ପାଣି ସାଙ୍ଗକୁ ପ୍ରକଳ୍ପର ପାଣି ଘେରରେ କୋନାବୀରା ଗ୍ରାମବାସୀ ରହିଛନ୍ତି।
ସୂଚନାନୁସାରେ ଚଳିତ ବର୍ଷ ପ୍ରକଳ୍ପରେ କ୍ଷମତା ଅନୁସାରେ ପାଣି ରଖିବା ପାଇଁ ବ୍ୟବସ୍ଥା କରାଯାଇଥିଲା। ଏଥିପାଇଁ ବୁଡ଼ି ଅଞ୍ଚଳ ଦିନକୁ ଦିନ ଜଳମଗ୍ନ ହେବାରେ ଲାଗିଛି। ଏହି ପ୍ରକଳ୍ପ ଦ୍ବାରା କୋନାବୀରା ଗାଁ ସମ୍ପୂର୍ଣ୍ଣ ବୁଡ଼ି ଅଞ୍ଚଳ ଚିହ୍ନଟ ହୋଇଥିଲା। କିନ୍ତୁ ଗାଁର ବିସ୍ଥାପିତଙ୍କ ସମସ୍ୟା ସମାଧାନ ହୋଇନଥିବାରୁ ସେମାନେ ଗାଁରେ ରହିଛନ୍ତି। ବର୍ତ୍ତମାନ ଲଗାଣ ବର୍ଷାରେ ପ୍ରକଳ୍ପ ମଧ୍ୟରେ ପାଣି ବଢ଼ିବାରେ ଲାଗିଛି। ତେଣୁ ସ୍ବାଭାବିକ ଭାବେ ଗାଁର ସବୁଆଡ଼େ ପାଣି ଜମିରହିଛି। ଗାଁର ପ୍ରବେଶ ପଥରେ ପ୍ରାୟ ୪ଫୁଟ୍ ପାଣି ରହିଥିବାରୁ ଲୋକମାନେ ଏକପ୍ରକାର ଜଳବନ୍ଦୀ ହୋଇ ରହିଛନ୍ତି। ବିଦ୍ୟୁତ ସେବା ବିଚ୍ଛିନ୍ନ କରାଯାଇଥିବାରୁ ଗାଁଲୋକେ ଅନ୍ଧାରରେ ରହିଛନ୍ତି। ସେମାନଙ୍କ ଅଭିଯୋଗ ଯେ ଅଧିକାଂଶ ବିସ୍ଥାପିତଙ୍କୁ ଆଜିପର୍ଯ୍ୟନ୍ତ କ୍ଷତିପୂରଣ ମିଳିନାହିଁ। ତେଣୁ ଅନ୍ୟତ୍ର ଘରଖଣ୍ତିଏ କରିପାରୁ ନାହୁଁ। ଏପରି ସ୍ଥିତିରେ ବିସ୍ଥାପିତଙ୍କୁ ନଜଣାଇ ପ୍ରକଳ୍ପରେ ପାଣି ରଖା ଯାଉଥିବାରୁ ବିସ୍ଥାପିତମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ବର୍ତ୍ତମାନ କୋନାବୀରା ଗାଁ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଥିବା ଜଣାପଡ଼ିଛି।
ଏନେଇ ପ୍ରକଳ୍ପର ଏସ୍ଇ ସୀତାଂଶୁ ଶେଖର ଦାସଙ୍କୁ ପଚାରିବାରୁ, ବାରମ୍ବାର କହିବା ସତ୍ତ୍ବେ ସେମାନେ ଗାଁ ଛାଡୁନହାନ୍ତି। ଯେମତି ଗାଁରେ ପାଣି ନପଶିବ ଆମେ ୩ଟି ଗେଟ୍ ଖୋଲିଦେଇଛୁ। ଗାଁର ୨ଟି ରାସ୍ତା ବନ୍ଦ ହୋଇଯାଇଛି, ଅନ୍ୟ ଗୋଟାଏ ରାସ୍ତାରେ ଯାତାୟାତ ହୋଇପାରୁଛି ବୋଲି ସୂଚନା ମିଳିଛ। ଏବର୍ଷ ଯଦି ପ୍ରକଳ୍ପରେ ପାଣି ରଖାନଯିବ ଖରିଫ ଚାଷ ପ୍ରଭାବିତ ହେବ। ଆସନ୍ତାକାଲି ଗାଁକୁ ଯାଇ ଲୋକମାନଙ୍କ ସହ ଆଲୋଚନା କରାଯିବ ବୋଲି ଏସ୍ଇ କହିଥିଲେ।
The post ପାଣି ଘେରରେ ବିସ୍ଥାପିତ କନାବୀରାବାସୀ first appeared on Sambad.from ଜିଲ୍ଲା | Sambad https://ift.tt/3Edptyj
0 Comments