
ସୁନ୍ଦରଗଡ଼: ସେପ୍ଟେମ୍ବର ୨୧ରେ ଲହୁଣିପଡ଼ା ବ୍ଲକ ଶସ୍ୟକଳା ପଞ୍ଚାୟତ ଦମାଳୁ ଗ୍ରାମର ବିଧବା ଇନ୍ଦୁ ତୁରୀଙ୍କ ଅପପୁଷ୍ଟିରେ ପଡ଼ିଥିବା ୮ ବର୍ଷର ପୁଅ ଚିକିତ୍ସା ନପାଇ ଅତି ଶୋଚନୀୟ ଭାବେ ପ୍ରାଣ ହରାଇଥିଲେ। ତାର ଅନ୍ତିମ ସଂସ୍କାର ସରୁ ସରୁ ୬ ବର୍ଷର ଝିଅ ଗୁରୁତର ହୋଇପଡ଼ିଥିଲେ। ବହୁ ସମୟ ଅପେକ୍ଷା କରିବା ପରେ ମଧ୍ୟ ଆମ୍ବୁଲାନ୍ସ ନଆସିବାରୁ ଶେଷରେ ପୁତ୍ର ଶୋକରେ ଅଧୀରା ଅସୁସ୍ଥ ମା’ଙ୍କ ସହ ଗୁରୁତର ଝିଅ ଓ ଅନ୍ୟ ଏକ ଦେଢ଼ ବର୍ଷର ପୁଅକୁ ଅଟୋ ଯୋଗେ ଆଣି ଲହୁଣିପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ସେ ୬ ବର୍ଷର ଝିଅକୁ ମୃତ ଘୋଷଣା କରିଥିଲେ।
ତେବେ ଅପପୁଷ୍ଟିରେ ଦୁଇ ଦୁଇଟି ନିଷ୍ପାପ ଶିଶୁ ମା’ଙ୍କ ଆଖି ଆଗରେ ଆଖି ବୁଜିବା ରାଜ୍ୟ ବ୍ୟାପି ଆଲୋଡ଼ନ ସୃଷ୍ଟି କରିଥିଲା। ଏ ଦୁଃଖଦସ୍ଥିତିରେ ଉପଯୁକ୍ତ ଚିକିତ୍ସା ପାଇଁ ମା’ ଓ ଦେଢ଼ ବର୍ଷର ପୁଅକୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ମା’ ଇନ୍ଦୁ ସୁସ୍ଥ ହେଉଥିବା ବେଳେ ଶିଶୁ ପୁତ୍ର ପୁଷ୍ଟି ସାଧନ କେନ୍ଦ୍ରରେ ଏବେ ବି ଚିକିତ୍ସାଧୀନ। ତେବେ ଏ ହୃଦୟ ବିଦାରକ ଘଟଣାର ୭ ଦିନ ନଯାଉଣୁ କୋଇଡ଼ା ବ୍ଲକ ସୀମାନ୍ତ ଗାଁ ଲୁଗୁଡ଼ାରେ ପୁଣି ଏକ ଅପପୁଷ୍ଟି ଘଟଣା ସାମ୍ନାକୁ ଆସିଥିଲା। ସେପ୍ଟେମ୍ବର ୨୮ ତାରିଖରେ ଗାଁର ସିବଲେନ ଓ ପ୍ୟାରୀ ମୁଣ୍ଡାଙ୍କ ଝିଅ ସାଲିମା ଅପପୁଷ୍ଟିଜନିତ କାରଣରୁ ଗୁରୁତର ହେବାରୁ ତାଙ୍କୁ ତୁରନ୍ତ ଲହୁଣିପଡ଼ା ଡାକ୍ତରଖାନା ନିଆଯାଇଥିଲା। ସେଠାରୁ ତାଙ୍କୁ ବଣାଇ ଉପଖଣ୍ଡ ଡାକ୍ତରଖାନା ନିଆଗଲା। କିନ୍ତୁ ସେଠାରେ ଅବସ୍ଥା ଅତି ସାଂଘାତିକ ହେବାରୁ ରାଉରକେଲା
ସରକାରୀ ଡାକ୍ତରଖାନା (ଆରଜିଏଚ୍)କୁ ସ୍ଥାନାନ୍ତର କରାଯାଇଛି। ବିପୁଳ ଭୂତଳ ସମ୍ପଦ ଭରା ଖଣି ଇଲାକାରେ ଅପପୁଷ୍ଟିଜନିତ ଏ ଦାରୁଣ ଚିତ୍ର ଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଶେଷ କରି ଏ ଦୁଇ ଘଟଣା ଜିଲ୍ଲାର ପୁଷ୍ଟିକର ବା ପୋଷଣ ଯୋଜନାର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଛିଡ଼ା କରିଛି । ଶିଶୁମାନଙ୍କୁ ଅପପୁଷ୍ଟିରୁ ରକ୍ଷା କରିବା ପାଇଁ ଅଙ୍ଗନବାଡ଼ି କେନ୍ଦ୍ରରେ ପୂର୍ବରୁ ଛତୁଆ, ଅଣ୍ଡା ଆଦି ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯାଉଥିବା ବେଳେ ସୁନ୍ଦରଗଡ଼ ପ୍ରଶାସନ ଆଉ ପାଦେ ଆଗେଇ ସେଥିରେ ସ୍ପିରୁଲିନା, ଚିକି, ମାଣ୍ଡିଆ ଲଡ଼ୁ ଭଳି ସ୍ବତନ୍ତ୍ର ଅତିପୋଷକ ଖାଦ୍ୟ ସାମିଲ କରିଛନ୍ତି।
ଏଥିପାଇଁ ସରକାରଙ୍କ ଯୋଜନାରେ ମିଳୁଥିବା ଅର୍ଥ ସହ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ), ଓଡ଼ିଶା ଖଣି କ୍ଷେତ୍ରାଞ୍ଚଳ ଉନ୍ନୟନ ନିଗମ (ଓମବାଡସି)ରୁ କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି। ଏହା ଛଡ଼ା ପୁଷ୍ଟିକର ଖାଦ୍ୟରେ ମାଣ୍ଡିଆକୁ ସାମିଲ କରାଯାଇଥିବାରୁ ଜିଲ୍ଲାର ୧୨ଟି ବ୍ଲକରେ ଏହି ଚାଷକୁ ପ୍ରୋତ୍ସାହିତ କରାଯାଉଥିବା କୁହାଯାଉଛି। କିନ୍ତୁ ବିଷ ରହିତ ଶସ୍ୟ ଉତ୍ପାଦନ ପାଇଁ ଜୈବିକ କୃଷି ହିଁ ଏକ ବଡ଼ ବିକଳ୍ପ ହୋଇଥିବା ବେଳେ ପ୍ରଶାସନ ତାକୁ ମାତ୍ର ୨ ପ୍ରତିଶତ ଚାଷରେ ସୀମିତ କରି ୯୮ ପ୍ରତିଶତ ଚାଷ ରାସାୟନିକ ପଦ୍ଧତିରେ କରୁଛନ୍ତି। ଫଳରେ ପୁଷ୍ଟିକର ଖାଦ୍ୟରେ ସାମିଲ ମାଣ୍ଡିଆ ଅପପୁଷ୍ଟି ରୋକିବା ପରିବର୍ତ୍ତେ ଶିଶୁଙ୍କ ସ୍ବାସ୍ଥ୍ୟ ଉପରେ ଗମ୍ଭୀର ପ୍ରଭାବ ପକାଉଥିବାର ଆଶଙ୍କା ପ୍ରକାଶ ପାଇଛି। ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ), ଓଡ଼ିଶା ଖଣି କ୍ଷେତ୍ରାଞ୍ଚଳ ଉନ୍ନୟନ ନିଗମ (ଓମବାଡସି) ଅର୍ଥରେ ପ୍ରସ୍ତୁତ ସ୍ପିରୁଲିନା ଓ ଚିକିରେ ଶିଶୁଙ୍କ କି ପ୍ରକାର ପୋଷଣ ମିଳୁଛି, ଶିଶୁ ଅପପୁଷ୍ଟିରୁ ରକ୍ଷା ପାଉଛି କି ନାହିଁ। ଏହାର ଯାଞ୍ଚ ବା ପରୀକ୍ଷା ପାଇଁ କେଉଁ ପରିବର୍ତ୍ତନଶୀଳ ପରିମାପ (ପାରାମିଟର)କୁ ପ୍ରଶାସନ ଗ୍ରହଣ କରିଛି, ତାକୁ ସାଧାରଣରେ ପ୍ରକାଶ କରାଯିବାକୁ ଦାବି ଉଠିଛି। ଏହିକ୍ରମରେ ଗତ ଅଗଷ୍ଟ ମାସରେ ଆସିଥିବା ଏକ ସରକାରୀ ରିପୋର୍ଟ ଜିଲ୍ଲାର ଅପପୁଷ୍ଟିର ଚିତ୍ରକୁ ସାମ୍ନାକୁ ଆଣିଛି। ଗତ ଅଗଷ୍ଟରେ ଜିଲ୍ଲାରେ କମ୍ ଓଜନ ବିଶିଷ୍ଟ ଶିଶୁ ୧୮୧୬୦ ଥିବା ବେଳେ ଅତି କମ୍ ଓଜନ ବିଶିଷ୍ଟ ଶିଶୁ ୧୦୯୮, ମଧ୍ୟମ ଅପପୁଷ୍ଟିଜନିତ ଶିଶୁ ୩୩୧ ଓ ଅତି ଅପପୁଷ୍ଟିର ଶିଶୁ ୨୬ ଜଣ ଥିଲେ। ତେବେ ଏହା ସରକାରୀ ରିପୋର୍ଟ। ଗ୍ରାମାଞ୍ଚଳ ଓ ଅପହଞ୍ଚ ଇଲାକା ରେ ଏ ସଂଖ୍ୟା ଅଧିକ ବୋଲି କୁହାଯାଉଛି। ଏବେ ଜିଲ୍ଲାରେ ଚର୍ଚ୍ଚା ଜୋର୍, ପୁଷ୍ଟିକର ଯୋଜନାଗୁଡ଼ିକ ଅପପୁଷ୍ଟିର ଶିକାର ଶିଶୁମାନଙ୍କ ପାଖରେ ପହଞ୍ଚିବା ପୂର୍ବରୁ ବାଟରେ ଗଳି ଯାଉଛି।
The post ପୋଷଣ ପାଇଁ ଖର୍ଚ୍ଚ ହେଉଛି କୋଟି କୋଟି, ଅପପୁଷ୍ଟି ଭୋଗୁଛନ୍ତି ସୁନ୍ଦରଗଡ଼ର ଶତାଧିକ ଶିଶୁ first appeared on Sambad.from ଜିଲ୍ଲା | Sambad https://ift.tt/3kY5Ra0
0 Comments