
ନୂଆପଡ଼ା : ନୂଆପଡ଼ା ଜିଲ୍ଲା ‘ସମ୍ବାଦ’ର ଜିଲ୍ଲା ପ୍ରତିନିଧିଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି ହୋଇଛି। ପୁଲିସ୍ ଘଟଣାସ୍ଥଳକୁ ପହଞ୍ଚି ଡଗ୍ସ୍କ୍ବାଡ୍ ସହାୟତାରେ ତଦନ୍ତ କରିଛି।
ସୂଚନାନୁସାରେ ପ୍ରତିନଧି ଅଶ୍ବିନୀ ପାଣିଗ୍ରାହୀ ପରିବାର ସହ ଗତ ୧୧ ତାରିଖରେ ନୂଆଁଖାଇ ପାଳନ ପାଇଁ ଜନ୍ମମାଟି ବୋଡ଼େନସ୍ଥିତ କେରାପଦର ଗାଁକୁ ଯାଇଥିଲେ। ସୋମବାର ଭୋରରୁ ନୂଆପଡ଼ାସ୍ଥିତ ବାସଭବନକୁ ଫେରିଥିଲେ। ଏହି ସମୟରେ ଘରର କବାଟ ଭାଙ୍ଗାଯାଇ ଚୋରି ହୋଇଥିବା ଦେଖିବାକୁ ପାଇଥିଲେ। ଖବର ପାଇ ନୂଆପଡ଼ା ଏସ୍ଆଇ ବିନୟ କେର୍କେଟାଙ୍କ ନେତୃତ୍ୱରେ ଏସ୍ଆଇ ବିନୋଦ ସେଠୀ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ସନ୍ଦେହରେ କିଛି ଲୋକଙ୍କୁ ପୁଲିସ ପଚାରାଉଚରା କରି ଛାଡ଼ିଦେଇଛି। ରିପୋର୍ଟ ଅନୁଯାୟୀ ୭ଟି ସୁନା ଲକେଟ୍, ୩ଟି ସୁନା ରିଙ୍ଗ୍, ରୁପା ପାଞ୍ଜୁଲ୍ ୨ସେଟ୍, ରୁପା ଗ୍ଲାସ୍, ନଗଦ ୨୦ ହଜାର ଟଙ୍କା ଚୋରି ହୋଇଥିବା ଜଣାପଡ଼ିଛି।
୨୦୧୪ ମସିହାରେ ନୂଆପଡ଼ା ଜିଲ୍ଲାର ସାମ୍ବାଦିକ ସୁରେନ୍ଦ୍ର ତିୱାରୀଙ୍କ ଘରୁ ମଧ୍ୟ ୧୦ ଭରି ସୁନା ଓ ୨୦ ହଜାର ଟଙ୍କା ଚୋରି ହୋଇଥିଲା। ଜିଲ୍ଲାରେ ଦିନକୁ ଦିନ ଲୁଟ୍, ଡକାୟତି ବଢ଼ିଚାଲିଛି। ଅନ୍ୟପଟେ ଦୋଷୀଙ୍କୁ ଧରିବାରେ ବିଫଳ ହେଉଥିବାରୁ ପୁଲିସ ପ୍ରତି ଲୋକମାନଙ୍କ ଆସ୍ଥା କମି କମି ଯାଉଛି। ଜିଲ୍ଲାର ସଦର ମହକୁମାରେ ରାତ୍ରି ପାଟ୍ରୋଲିଂଙ୍କୁ କଡ଼ାକଡ଼ି କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି। ଏସ୍ଆଇ ବିନୋଦ ସେଠୀଙ୍କୁ ଏନେଇ ପଚାରିବାରୁ ତଦନ୍ତ ଚାଲିଛି, ଖୁବ୍ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି।
The post ସାମ୍ବାଦିକଙ୍କ ଘରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି first appeared on Sambad.from ଜିଲ୍ଲା | Sambad https://ift.tt/3tEPqCb
0 Comments