ଗୋପ : ଜାମିନ ପାଇଁ ସହଯୋଗ କରିବାକୁ ୨ ହଜାର ଟଙ୍କା ଲାଞ୍ଚ ନେବାବେଳେ ଗୋପ ଥାନା ଏଏସଆଇ ରାଧାଶ୍ୟାମ ନାୟକ ଭିଜିଲାନ୍‌ସ ହାତରେ ଧରାପଡ଼ିଛନ୍ତି। ଭୁବନେଶ୍ବର ଭିଜିଲାନ୍ସ ଅତିରିକ୍ତ ଏସ୍‌ପି ଅକ୍ଷୟ କୁମାର ମିଶ୍ରଙ୍କ ନେତୃତ୍ବରେ ଏକ ୧୪ ଜଣିଆ ଟିମ୍ ଲାଞ୍ଚ ନେବା ସମୟରେ ତାଙ୍କୁ ଧରିବା ସହ ରାସାୟନିକ ପ୍ରଲେପ ବୋଳା ୨ ହଜାର ଟଙ୍କା ଜବତ କରିଛନ୍ତି।।

ସୂଚନାଯୋଗ୍ୟ ଯେ ଗୋପ ଥାନା ଅନ୍ତର୍ଗତ ଗଣେଶ୍ବରପୁର ପଞ୍ଚାୟତ ସୁବର୍ଣ୍ଣପୁର ଗ୍ରାମର ମନୋରଞ୍ଜନ ବେହେରାଙ୍କୁ ଏକ ଜମିଜମା ସଂକ୍ରାନ୍ତୀୟ ମାମଲାରେ ଥାନାରୁ ଜାମିନ କରାଇ ଦେବାକୁ କହି ଏଏସ୍‌ଆଇ ଶ୍ରୀ ନାୟକ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ମନୋରଞ୍ଜନ ଏତେ ଟଙ୍କା ଦେବାକୁ ନିଜର ଅକ୍ଷମତା ପ୍ରକାଶ କରିବାରୁ ଦୁଇ ହଜାର ଟଙ୍କାରେ କଥା ଛିଣ୍ତିଥିଲା। ମନୋରଞ୍ଜନ ଏ ସମ୍ପର୍କରେ ଭୁବନେଶ୍ବର ଭିଜିଲାନ୍ସକୁ ଯୋଗାଯୋଗ କରିଥିଲେ। ଭୁବନେଶ୍ବର ଭିଜିଲାନ୍ସ ଅତିରିକ୍ତ ଏସପି ଶ୍ରୀ ମିଶ୍ରଙ୍କ ନେତୃତ୍ବରେ ରାଧାଶ୍ୟାମ ନାୟକଙ୍କୁ ଧରିବା ନିମନ୍ତେ ଗତକାଲିଠାରୁ ଯୋଜନା କରାଯାଇଥିଲା। ଆଜି ସକାଳ ୯ଟା ସମୟରେ ତାଙ୍କୁ ଧରିଥିଲେ।

ସମସ୍ତ ପ୍ରମାଣ ଓ ସାକ୍ଷ୍ୟକୁ ଆଧାର କରି ଭିଜିଲାନ୍ସ ଟିମ୍‌ ଶ୍ରୀ ନାୟକଙ୍କୁ ଗିରଫ କରାଯିବା ସହିତ ପରେ ତାଙ୍କ ଅଫିସ, ସରକାରୀ ବାସଗୃହ, କେନ୍ଦ୍ରପଡ଼ାସ୍ଥିତ ପୈତୃକ ଘରେ ଚଢଉ ଜାରି ରହିଛି।

The post ଭିଜିଲାନ୍ସ ଜାଲରେ ପୁଲିସ୍‌ ଏଏସ୍‌ଆଇ first appeared on Sambad.

from ଜିଲ୍ଲା | Sambad https://ift.tt/2XUvGiv