ନଗଡ଼ାରେ ପୁଣି ଅପପୁଷ୍ଟି! ଆଖି ବୁଜିଲେ ୯ ମାସର ଶିଶୁ

କାଳିଆପାଣି : ୨୦୧୬ ମସିହାରେ ଅପପୁଷ୍ଟି ଯୋଗୁ ୩ ମାସରେ ୧୯ଜଣ ଶିଶୁଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚାକୁ ଆସିଥିଲା ନଗଡ଼ା। ଏହାପ‌ରେ ବି ଆହୁରି କେତେଜଣ ଶିଶୁଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ନଗଡ଼ା ପାଇଁ ଅନେକ ବିକାଶମୂଳକ ପଦ‌କ୍ଷେପ ଗ୍ରହଣ କରାଯାଇଛି। ଏହା ସତ୍ତ୍ବେ ବି ନଗଡ଼ାରେ ପୁଣି ଅପପୁଷ୍ଟି ଜନିତ ଶିଶୁ ମୃତ୍ୟୁ ଅଭିଯୋଗ ହୋଇଛି।

ମୃତ୍ୟୁର ଶିକାର ହୋଇଥିବା ଶିଶୁ ଜଣକ ଗୁହିଆଶାଳ ମୌଜାର ରଙ୍ଗବତୀ ଓ ପୁନିଆଁ ପ୍ରଧାନଙ୍କ ପଞ୍ଚମ ସନ୍ତାନ ଅଜୟ(୯ ମାସ)। ଅପପୁଷ୍ଟି ପାଇଁ ଅଜୟର ମୃତ୍ୟୁ ହୋଇଥିବା ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି। ସୂଚନା ଅନୁସାରେ, ମୃତ୍ୟୁ ବେଳକୁ ଅଜୟର ଓଜନ ମାତ୍ର ୨ କିଲୋ ୨ ଶହ ଗ୍ରାମ୍‌ ଥିଲା। ଯାହାକି ସାଧାରଣ ଶିଶୁର ହାରାହାରି ଓଜନଠାରୁ ଅଧା ଥିଲା। ସାଂଘାତିକ କୁପୋଷଣର ଶିକାର ହୋଇଥିବା ଅଜୟକୁ ଗତ ଜୁଲାଇ ମାସରେ ସୁକିନ୍ଦା ପୁଷ୍ଟି ସାଧନ କେନ୍ଦ୍ର(ଏନ୍‌ଆରସି)କୁ ଅଣାଯାଇଥିଲା। କିଛିଦିନ ପରେ ଏହି ଦମ୍ପତି ଶିଶୁକୁ ଧରି ଗାଁକୁ ପଳାଇଥିଲେ। ଗାଁର ଅସ୍ବାସ୍ଥ୍ୟକର ପରିବେଶରେ ରହୁଥିବା ଅଭାବୀ ପରିବାରରେ ସୁଷମ ଶିଶୁ ଆହାରର ଘୋର ଅଭାବ ସାଙ୍ଗକୁ ଚିକିତ୍ସା ଅବହେଳା ପାଇଁ ଅଜୟର ଅବସ୍ଥା ଶୋଚନୀୟ ହୋଇପଡ଼ିଥିଲା। ଅଜୟକୁ ପୁଣିଥରେ ଏନ୍ଆରସି ଯିବାକୁ ପରାମର୍ଶ ଦିଆଯାଇଥିଲା। ହେ‌ଲେ ଧାନକଟା ପରେ ଶିଶୁକୁ ସାଥୀରେ ଧରି ସେମାନେ ମେଡିକାଲ୍ ଯିବେ ବୋଲି ତା’ ବାପା ପୁନିଆଁ ପ୍ରଧାନ ମତ ରଖିଥିଲେ। ହେଲେ ଧାନକଟା ପୂର୍ବରୁ ଅଜୟ ସବୁଦିନ ପାଇଁ ଆଖି ବୁଜିଥିଲା। ସୂଚନାଯୋଗ୍ୟ ଯେ, ଗତବର୍ଷ ଅକ୍ଟୋବର ୫ ତାରିଖରେ ତଳ ନଗଡ଼ାର ବୁଦୁଲି ଓ ବ୍ରହ୍ମା ପ୍ରଧାନଙ୍କ ଅଢ଼େଇ ମାସର ଶିଶୁକନ୍ୟା ଅପପୁଷ୍ଟି ଜନିତ ମୃତ୍ୟୁର ଶିକାର ହୋଇଥିଲା।

The post ନଗଡ଼ାରେ ପୁଣି ଅପପୁଷ୍ଟି! ଆଖି ବୁଜିଲେ ୯ ମାସର ଶିଶୁ first appeared on Sambad.

from ଜିଲ୍ଲା | Sambad https://ift.tt/3n3WWDA

Post a Comment

0 Comments