ବାଲିଅନ୍ତା: ବାଲିଅନ୍ତା ଥାନା ପୁଲିସ ବେତେଣ୍ଡା ଗ୍ରାମ (ୱାର୍ଡ଼ ନଂ ୫) ସଂରକ୍ଷିତ ୱାର୍ଡ଼ସଭ୍ୟ ପଦବି ଲାଗି ଘଟିଥିବା ଗଣ୍ଡଗୋଳ ମାମଲାରେ ଆଜି ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତ ଜଣକ ହେଲେ ପ୍ରଫୁଲ୍ଲ କୁମାର କର (୫୪)। ତେବେ କୋର୍ଟରେ ପ୍ରଫୁଲ୍ଲର ଜାମିନ ଖାରଜ ହେବାରୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ଏହି ଗଣ୍ଡଗୋଳ ମାମଲାରେ ସଂପୃକ୍ତ ଆହୁରି ୩ ଜଣ ଯୁବକଙ୍କୁ ପୁଲିସ ଏଯାଏଁ ଗିରଫ କରାଯାଇ ନାହିଁ। ସେହିପରି ଏହି ଗଣ୍ଡଗୋଳ ଘଟଣାରେ ବ୍ୟବହୃତ କାର ମଧ୍ୟ ଜବତ କରାଯାଇ ପାରିନାହିଁ। ସୂଚନା ମୁତାବକ, ଗତ ୧୫ ତାରିଖ ରାତିରେ ଗାଁ ଖଟିରେ ଭୋଜିଭାତ ଚାଲିଥିଲା। ସଂରକ୍ଷିତ ତହସିଲ ଭୁକ୍ତ ୱାର୍ଡ଼ ସଭ୍ୟ ପଦବି ନେଇ ବୈଠକିରେ ଆଲୋଚନା ଚାଲିଥିବା ବେଳେ ପ୍ରଫୁଲ୍ଲ ଆଶାୟୀ ୱାର୍ଡ଼ସଭ୍ୟ ପ୍ରାର୍ଥୀ ଟିକିନା ଭୋଇଙ୍କୁ ବିରୋଧ କରିଥିଲେ।

ଏନେଇ ଗାଁରେ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା। ଆଶାୟୀ ୱାର୍ଡ଼ ସଭ୍ୟ ପ୍ରାର୍ଥୀ ଟିକିନା ଭୋଇ ପ୍ରଫୁଲଙ୍କ ବେକରେ କଟୁରୀ ଲଗାଇ ଦେଇଥିବା ଅଭିଯୋଗ ହୋଇଥିଲା। ହେଲେ ଗାଁରେ ଏତିକିରେ ଗଣ୍ଡଗୋଳ ଥମି ନଥିଲା। ଏଥିରେ ପ୍ରତିଶୋଧ ପରାୟଣ ହୋଇ ପ୍ରଫୁଲ୍ଲଙ୍କ ସମର୍ଥିତ ଗୋଷ୍ଠୀ ଟିକିନାଙ୍କ ବାପାଙ୍କୁ କାରରେ ଉଠାଇ ନେଇ ନଦୀକୁ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା। ଏସଂପର୍କରେ ଉଭୟ ଗୋଷ୍ଠୀଙ୍କ ପକ୍ଷରୁ ଥାନାରେ ପୃଥକ ପୃଥକ ଅଭିଯୋଗ ହୋଇଥିଲା। ଜୋନ-୪ ଏସିପି ରଜୟ ରାୟ ପ୍ରତ୍ୟକ୍ଷ ଭାବେ ଏହାର ତଦନ୍ତ କରୁଥିଲେ।

The post ପ୍ରାକ ନିର୍ବାଚନୀ ଗଣ୍ଡଗୋଳ ଘଟଣା: ଜେଲଗଲା ଜଣେ ଅଭିଯୁକ୍ତ first appeared on Sambad.

from ଜିଲ୍ଲା | Sambad https://ift.tt/3G14kbA