
ମାଲକାନଗିରି: ବୟସ ୭୦। ଏହିଭଳି ଏକ ପରିଣତ ବୟସରେ ୪ଜଣ ନାତିନାତୁଣୀଙ୍କ ଏକମାତ୍ର ଆଶ୍ରା ପାଲଟିଛନ୍ତି ରୁକୁଣୀ ପୂଜାରୀ। ଭତ୍ତା ବାବଦରେ ତାଙ୍କୁ ଯେତିକି ମିଳୁଛି, ତାହା ସମୁଦ୍ରକୁ ଶଙ୍ଖେ ଭଳି। ଏପରିସ୍ଥଳେ ପାଠପଢ଼ିବା ପାଇଁ ନାତିନାତୁଣୀଙ୍କ ସ୍ବପ୍ନ ବି ଦେଖୁଛନ୍ତି। ଯେତେବେଳେ, ପେଟରେ ଗଣ୍ଡେ ଦାନା ଦେବା ପାଇଁସଂଘର୍ଷ କରୁଛନ୍ତି, ପାଠ କଥା ପଚାରେ କିଏ? ଗୋଟିଏ ପଟେ ପୁଅବୋହୂଙ୍କୁ ହରାଇବାର ଦୁଃଖ ଅନ୍ୟପଟେ ଏହିଭଳି ଏକ ଜୀବନ ସଂଘର୍ଷ, ବୃଦ୍ଧାଙ୍କୁ ପ୍ରତିମୂହୁର୍ତ୍ତରେ ସନ୍ତୁଳି ପକାଉଛି।
ମାଲକାନଗିରି ଜିଲ୍ଲାର ବାଲିମେଳା ଡ୍ରଗ୍ ଲାଇନ୍ରେ ରହୁଛନ୍ତି ରୁକୁଣୀ। ରୁକୁଣୀଙ୍କ ପୁଅ ହେଉଛନ୍ତି ସୋମନାଥ। ପତ୍ନୀ କୁନ୍ଦନା, ତିନି ଝିଅ ଓ ଏକମାତ୍ର ପୁଅକୁ ନେଇ ବାଲିମେଳା ଡ୍ରଗ୍ ଲାଇନ୍ରେ ବହୁ ବର୍ଷ ହେଲା ରହି ଆସୁଥିଲେ ସୋମନାଥ। କୁଲି କରି ସୋମନାଥ ପରିବାର ଚଳାଉଥିଲେ। କିନ୍ତୁ ୨୦୧୭ ମସିହାରେ ସୋମନାଥଙ୍କ ମୃତ୍ୟୁ ଘଟିବା ପରେ କୁନ୍ଦନାଙ୍କ ଉପରେ ପଡ଼ିଥିଲା ଚାରି ପୁଅଝିଅର ଦାୟିତ୍ବ। ନିଜ ସନ୍ତାନଙ୍କୁ ବଡ଼ କରିବା ପାଇଁ ସେ ବିଭିନ୍ନ ଘରେ କାମ କରୁଥିଲେ। କିନ୍ତୁ ୩ମାସ ତଳେ କୁନ୍ଦନାଙ୍କ ମୃତ୍ୟୁ ଘଟିବା ପରେ ଅନାଥ ହୋଇ ପଡ଼ିଛନ୍ତି ଚାରି ଭାଇଭଉଣୀ। ବାପା ଓ ମା’ଙ୍କୁ ମନେ ପକାଇ ଚାରି ଭାଇଭଉଣୀ ସର୍ବଦା କାନ୍ଦୁଛନ୍ତି। ଏଭଳି ସ୍ଥିତିରେ ଚାରି ଭାଇଭଉଣୀଙ୍କ ଲାଳନପାଳନ ଦାୟିତ୍ବ ନେଇଛନ୍ତି ଜେଜେମା ରୁକୁଣୀ ପୂଜାରୀ। ନାତିନାତୁଣୀଙ୍କୁ ବାପା ଓ ମା’ର ସ୍ନେହ ଦେବା ସହ ସେମାନଙ୍କୁ ବଡ଼ମଣିଷ କରିବା ପାଇଁ ରୁକୁଣୀ ମନସ୍ଥ କରିଛନ୍ତି। କିନ୍ତୁ ବୟସ ୭୦ ଛୁଇଁ ସାରିଥିବାରୁ ସେ କୌଣସି କାମ କରି ପାରୁନାହାନ୍ତି। ରୁକୁଣୀଙ୍କୁ ଭତ୍ତା ବାବଦରେ ମାସକୁ ମିଳୁଥିବା ୭୦୦ ଟଙ୍କାରେ ୫ ପ୍ରାଣୀ ଚଳୁଛନ୍ତି। କିନ୍ତୁ ଏତିକି ଟଙ୍କାରେ ଚଳିବା କଷ୍ଟକର ହେଉଥିବା ରୁକୁଣୀ କହିଛନ୍ତି।
The post ବୟସ ୭୦, ୪ ଅନାଥଙ୍କ ବୋଝ first appeared on Sambad.from ଜିଲ୍ଲା | Sambad https://ift.tt/3no8mSW
0 Comments