ଚୋରା ବନ୍ଧୁକ କାରବାର: ଆଲବମ୍ ନିର୍ଦ୍ଦେଶକ ସ‌ମେତ ୪ ଗିରଫ, ୩ ବନ୍ଧୁକ, ୧୬ ରାଉଣ୍ଡ ଗୁଳି ଜବତ

କଟକ: ତାଳଚେର ପାଇକସାହିର କୁଖ୍ୟାତ ବନ୍ଧୁକ ଫ୍ୟାକ୍ଟ୍ରି ମାଲିକ ଟୁକୁନା ସ୍ବାଇଁ ସହ ଜଡ଼ିତ ଓଡ଼ିଆ ଆଲବମ୍‌ ନିର୍ଦ୍ଦେଶକ ତଥା କୋରିଓଗ୍ରାଫର୍ ପ୍ରମୋଦ କୁମାର ରାଉତ ଓରଫ୍‌ ଜିତୁ ପୁଲିସ ହାତରେ ଧରାପଡିଛି। ପୁଲିସ ଜିତୁ ନିକଟରୁ ଗୋଟିଏ ବନ୍ଧୁକ ଜବତ କରିଥିବାବେଳେ ଘଟଣା ସମ୍ପର୍କରେ ଖୋଳତାଡ଼ ଆରମ୍ଭ କରିଛି। ପୁଲିସ ଦେଇଥିବା ସୂଚନା ଅନୁଯାୟୀ ବାଦାମବାଡ଼ି ବଳଭଦ୍ରପୁର ବାଲିସାହିର ଜିତୁ ୨୦୧୩-୧୪ରୁ ଟୁକୁନାର ବନ୍ଧୁକ କାରବାରରେ ସାମିଲ୍‌ ହୋଇଥିଲା। ଟୁକୁନାର ଶଳା ବନ୍ଧୁକ ଡିଲର୍ ଢିଅ ସାହିର ପ୍ରକାଶ ରାଉତ ଓରଫ ପପୁ ମାଧ୍ୟମରେ ଜିତୁ ବନ୍ଧୁକ କିଣିଥିଲା। ଜିତୁ ପାଖାପାଖି ୫ ବନ୍ଧୁକ ଟୁକୁନା ନିକଟରୁ କିଣିଥିବା କୁହାଯାଉଛି। ଟୁକୁନା ନିକଟରୁ ବନ୍ଧୁକ କିଣିବା ମାମଲାରେ ବାଦାମବାଡ଼ି ଥାନା ପୁଲିସ ଆଜି ଜିତୁ ଓ ପ୍ରକାଶ ସମେତ ମୋଟ ୪ ଜଣଙ୍କୁ ଗିରଫ କରିଛି। ଟୁକୁନାର ଅନ୍ୟ ଦୁଇ ସହଯୋଗୀ ହେଉଛନ୍ତି ସଦର ଥାନା ଝିଙ୍କିରିଆର ଜ୍ଞାନ ରଞ୍ଜନ ସାହୁ ଓରଫ ନବ, ଚାଉଳିଆଗଞ୍ଜ ଥାନା ଗତିରାଉତ ପାଟଣାର ସୁଶାନ୍ତ ପରିଡ଼ା। ପୁଲିସ ଏହି ଗ୍ୟାଙ୍ଗ ନିକଟରୁ ଗୋଟିଏ ଦେଶୀ ୯ ଏମ୍‌ଏମ୍‌ ପିସ୍ତଲ, ଗୋଟିଏ ଦେଶୀ ୭.୬୫ ଏମଏମ ପିସ୍ତଲ, ଗୋଟିଏ ସିକ୍ସର ଏବଂ ୧୬ଟି ଗୁଳି ଜବତ କରିଛି।

ସୂଚନା ଅନୁଯାୟୀ, ଧଳସାମନ୍ତ ଘରୁ ବନ୍ଧୁକ ମିଳିବାପରେ ଚୌଦ୍ବାର ଥାନା ପୁଲିସ ବନ୍ଧୁକ ଫ୍ୟାକ୍ଟ୍ରି ମାଲିକ ଟୁକୁନାକୁ ଏହି ମାମଲାରେ ଯୋଡ଼ିଥିଲା। ଗଲା ଜୁନ ୯ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଟୁକୁନାକୁ ରିମାଣ୍ଡରେ ଆଣିବା ପରେ ତା’ର ଶାଳକ ପ୍ରକାଶ ରାଉତର ବନ୍ଧୁକ କାରବାର ସମ୍ପର୍କରେ ସୂଚନା ମିଳିଥିଲା। ଆଜି ଦିନ ପ୍ରାୟ ୧୦ଟା ବେଳେ ଦୁର୍ଦ୍ଦାନ୍ତ ଅପରାଧୀ ନବ ଓରଫ ଜ୍ଞାନ ରଞ୍ଜନ ସାହୁ ଝାଞ୍ଜିରୀମଙ୍ଗଳା ଗଡ଼ା ନିକଟରେ ବନ୍ଧୁକ ସହିତ ସନ୍ଦେହଜନକ ଅବସ୍ଥାରେ ବୁଲୁଥିବା ଖବର ପାଇ ବାଦାମବାଡ଼ି ଥାନା ଏସ୍‌ଆଇ ଦିଲ୍ଲୀପ ମହାନ୍ତିଙ୍କ ନେତୃତ୍ବରେ ଏକ ଟିମ୍ ଚଢ଼ଉ କରି ତାକୁ କାବୁ କରିଥିଲେ। ତା’ ନିକଟରୁ ଗୋଟିଏ ୭.୬୫ ଏମଏମ୍ ଦେଶୀ ପିସ୍ତଲ ଜବତ ହୋଇଥିଲା। ତା’ ବୟାନକୁ ଆଧାର କରି ପୁଲିସ୍‌ ପ୍ରକାଶ ରାଉତ ଏବଂ ପ୍ରକାଶକୁ ପୁଲିସ ଜେରା କରିବା ପରେ ପ୍ରମୋଦ ରାଉତ ଏବଂ ସୁଶାନ୍ତ ପରିଡ଼ାକୁ ଗିରଫ କରିଥିଲା। ପ୍ରମୋଦ ନିକଟରୁ ପୁଲିସ ଗୋଟିଏ ସିକ୍ସର ଏବଂ ଦୁଇ ରାଉଣ୍ଡ ଗୁଳି ଜବତ କରିଥିବାବେଳେ ସୁଶାନ୍ତ ନିକଟରୁ ଗୋଟିଏ ଦେଶୀ ୯ ଏମଏମ ବନ୍ଧୁକ, ଦୁଇ ରାଉଣ୍ଡ ଗୁଳି ଜବତ ହୋଇଛି। ଏମାନେ ବନ୍ଧୁକ କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଜିଲ୍ଲାକୁ ଚାଲାଣ କରୁଥିବା ତଦନ୍ତରୁ ଜାଣିବାକୁ ପାଇଥିଲେ। ପୂରା କାରବାର ଟୁକୁନା ସ୍ବାଇଁର ନିର୍ଦ୍ଦେଶରେ ହିଁ ହେଉଥିଲା। ଜିତୁ ଆଲବମ୍ ଜଗତରେ ଗଲା ୧୦ ବର୍ଷରୁ ଉର୍ଦ୍ଧ୍ବ ବର୍ଷ ହେବ ସକ୍ରିୟ ଥିବାବେଳେ ସିନେମା ବି କରିଛି। ମୁଁ ଜିତୁ- ନାଁରେ ଏକ ସିନେମା ବି କରିଛି। ଲକ୍‌ଡାଉନର ଦ୍ବିତୀୟ ଲହର ସମୟରେ ଚିକେନ୍ ବ୍ୟବସାୟ ମାତୃଭବନ ନିକଟରେ ଆରମ୍ଭ କରି ଚର୍ଚ୍ଚାକୁ ଆସିଥିଲା।

ଡିସିପି ପ୍ରତୀକ ସିଂହ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ ନବ ପୂଜା ସମୟରେ ଦାଦାବଟି ଆଦାୟ କରିବାକୁ ଯୋଜନା କରୁଥିଲା। ବନ୍ଧୁକ କାରବାରର ପୁରା ଗ୍ୟାଙ୍ଗକୁ ପୁଲିସ ଧରିବାରେ ସଫଳ ହୋଇଛି। ଆବଶ୍ୟକ ପଡ଼ିଲେ ସେମାନଙ୍କୁ ରିମାଣ୍ଡରେ ଆଣିବାକୁ ଯୋଜନା କରାଯିବ ବୋଲି ଶ୍ରୀ ସିଂହ କହିଛନ୍ତି।

The post ଚୋରା ବନ୍ଧୁକ କାରବାର: ଆଲବମ୍ ନିର୍ଦ୍ଦେଶକ ସ‌ମେତ ୪ ଗିରଫ, ୩ ବନ୍ଧୁକ, ୧୬ ରାଉଣ୍ଡ ଗୁଳି ଜବତ first appeared on Sambad.

from ଜିଲ୍ଲା | Sambad https://ift.tt/3BfL3jT

Post a Comment

0 Comments