
ବ୍ରହ୍ମବରଦା : ଯାଜପୁର ସଦର ଥାନା ମଙ୍ଗରାଜପୁର ପଞ୍ଚାୟତ ଦେଉଳି ଗ୍ରାମରେ ବିଦ୍ୟୁତ୍ ସଟସର୍କିଟରୁ ଅଗ୍ନିକାଣ୍ତ ଘଟି ଗୁହାଳ ଘର ସହିତ ଦୁଇ ବଖରା ଜଳିପୋଡ଼ି ପାଉଁଶ ହୋଇଯାଇଛି। ଏଥିରେ ଗୋଟିଏ ବାଛୁରି ଓ ତିନୋଟି ଛେଳି ଜିଅନ୍ତା ଜଳିଯାଇଛନ୍ତି। ନିଆଁର ପ୍ରକୋପରେ ପଡ଼ୋଶୀ ଘରର ୭ ଗାଈ ଗୁରୁତର ହୋଇଛନ୍ତି।
ଗତକାଲି ବିଳମ୍ବିତ ରାତିରେ ବିଦ୍ୟାଧର ବାରିକ ଓ ତାଙ୍କ ଭାଇ ପଞ୍ଚାନନ ବାରିକଙ୍କ ଘରେ ବିଦ୍ୟୁତ୍ ସଟସର୍କିଟରୁ ହଠାତ ନିଆଁ ଲାଗିଥିଲା। ଘରଲୋକ ଉଠିଲାବେଳକୁ ନିଆଁ ଅଣାୟତ୍ତ ହୋଇଯାଇଥିଲା। ଚାହୁଁଚାହୁଁ ସେମାନଙ୍କ ଦୁଇ ବଖରା ଘର ସହିତ ଏକ ଗୁହାଳ ଘର ପୋଡ଼ି ଯାଇଥିଲା। ଗ୍ରାମବାସୀ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ନଥିଲେ। ଖବର ପାଇ ରସୁଲପୁର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସେତେବେଳକୁ ଘରେ ଥିବା ସମସ୍ତ ଆସବାବପତ୍ର ପୋଡ଼ିଯାଇଥିଲା। ଗୁହାଳରେ ବନ୍ଧା ହୋଇଥିବା ବାଛୁରି ଓ ତିନୋଟି ଛେଳି ପୋଡ଼ି ଯାଇଥିଲେ। ପଡ଼ୋଶୀ ଇନ୍ଦ୍ରମଣି ରାଉଳଙ୍କ ଗୁହାଳ ଘରେ ନିଆଁ ଲାଗି ନଥିଲେ ମଧ୍ୟ ନିଆଁ ଧାସରେ ବନ୍ଧା ହୋଇଥିବା ୬ ଟି ଗାଈବାଛୁରି ଗୁରୁତର ହୋଇଛନ୍ତି। ଆଜି ଆରଆଇ ନୃସି˚ହ ଚରଣ ବେହେରା ଅଗ୍ନି ବିପନ୍ନଙ୍କ ନିକଟରେ ପହଞ୍ଚି କ୍ଷୟକ୍ଷତି ଆକଳନ କରିଛନ୍ତି। ବିପନ୍ନ ପରିବାରକୁ ତୁରନ୍ତ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।
The post ୩ ବଖରା ଜଳିଗଲା: ୩ ଛେଳି, ବାଛୁରି ମୃତ, ୭ ଗାଈ ଆହତ first appeared on Sambad.from ଜିଲ୍ଲା | Sambad https://ift.tt/3moOBtE
0 Comments