
ରାଜସୁନାଖଳା : ଖୋର୍ଦ୍ଧା-ବଲାଙ୍ଗୀର ରେଳପଥରେ ବେଗୁନିଆଠାରେ ପ୍ରଥମେ ରେଳ ଗଡ଼ିବାର ଶୁଭାରମ୍ଭ ହୋଇଥିବା ବେଳେ ଦ୍ୱିତୀୟ ସୋପାନରେ ରାଜସୁନାଖଳାଠାରେ ଶୁଭାରମ୍ଭ ହୋଇଥିଲା। ସେତେବେଳେ ଏହି ଶୁଭାରମ୍ଭ କାର୍ଯ୍ୟରେ କେନ୍ଦ୍ରମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସାଂସଦ, ରାଜ୍ୟର ମନ୍ତ୍ରୀ, କେତେକ ବିଧାୟକ ଓ ରେଳ ବିଭାଗର କେତେକ ପଦାଧିକାରୀଙ୍କ ଉପସ୍ଥିତିରେ ଶୁଭାରମ୍ଭ ସମୟରେ ଦିଆଯାଇଥିବା କେତେକ ପ୍ରତିଶ୍ରୁତି ଅନୁସାରେ ରାଜସୁନାଖଳା ରେଳ ରହଣିସ୍ଥଳର ଆବଶ୍ୟକ ଭିତ୍ତିଭୂମି ଓ ଉନ୍ନତିକରଣ ପ୍ରସ୍ତୁତ କରିବାରେ ରେଳ ବିଭାଗ ପଛଘୁଞ୍ଚା ଦେଉଛି ବୋଲି ଅଂଚଳର ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖାଦେଇଛି।

କରୋନା ମହାମାରୀ ଆରମ୍ଭ ହେଲାଦିନୁ ଏହି ରେଳପଥରେ ରେଳ ଚଳାଚଳ ବନ୍ଦ ରହିଥିବା ବେଳେ ଉକ୍ତ ରେଳ ରହଣିସ୍ଥଳରେ ସର୍ବଦା ରେଳ ବଗି ସ୍ଥାନ ଅଭାବରୁ ଏଠି ପଡ଼ିରହୁଥିବା ଦେଖିବାକୁ ମିଳିଛି। ରାଜସୁନାଖଳା ଦକ୍ଷିଣକାଳୀ ମନ୍ଦିରଠାରୁ ଷ୍ଟେସନକୁ ଯାଇଥିବା ରାସ୍ତାଟି ଅତ୍ୟନ୍ତ ଖରାପ ହୋଇ ପାଣି ଜମିରହୁଥିବା ଓ ବଡ ବଡ ଗର୍ତ୍ତ ସୃଷ୍ଟି ହୋଇଥିବା ବେଳେ ସଂଯୋଗ କରୁଥିବା କଂକ୍ରିଟ ରାସ୍ତାର ଉଭୟ ପାର୍ଶ୍ୱରେ ଗଛଲତା ବଢ଼ି ରାସ୍ତା ଅବରୋଧ ଦେଖିବାକୁ ମିଳିଛି ଓ ସ୍ଥାନେ ସ୍ଥାନେ କଂକ୍ରିଟ ରାସ୍ତା ଫାଟି ଆଁ କରିଥିବା ବେଳେ ଉଭୟ ପାର୍ଶ୍ୱରେ ଥିବା ଆଲୋକୀକରଣ ଅଚଳ ହୋଇପଡିଛି। ଉକ୍ତ ଷ୍ଟେସନରେ ମଧ୍ୟ ପିଇବା ପାଣିର ଅଭାବ ଦେଖାଦେଇଛି। ଷ୍ଟେସନ କୋଠାର ଅନେକ ଜାଗା ଫାଟି ଭାଙ୍ଗିରୁଜି ଯାଇଥିବା ବେଳେ ବିଭିନ୍ନ ଗଛ ଉଠିଲାଣି। ଷ୍ଟେସନର ପ୍ଲାଟଫର୍ମ ଅନ୍ଧାର ରହୁଥିବାରୁ ଏହି ସ୍ଥାନରେ ଅସାମାଜିକ କାର୍ଯ୍ୟକଳାପ ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି।
ଦୁଇ ଜଣ ଆର୍ପିଏଫ୍ କର୍ମଚାରୀ ବିଶ୍ରାମ ଗୃହରେ ରହୁଥିବା ବେଳେ ସେମାନଙ୍କୁ ୧୫ ଦିନକୁ ଥରେ ପରିବର୍ତ୍ତନ କରାଯାଉଛି। ଯାତ୍ରୀମାନଙ୍କ ପାଇଁ ଥିବା ଶୌଚାଳୟରେ ତାଲା ପଡ଼ିଛି। ଗତମାସରୁ ଗୋଟିଏ ରେଳ ଭୁବନେଶ୍ୱରରୁ ମହୀପୁର ସନ୍ଧ୍ୟାରେ ଯାଇ ସକାଳେ ଆସିବା ଦିନଠାରୁ ଷ୍ଟେସନ ମାଷ୍ଟର୍ଙ୍କ ପ୍ରକୋଷ୍ଠ ତାଲା ପଡ଼ିଥିଲେ ମଧ୍ୟ ବାହାରକୁ ବିଦ୍ୟୁତ୍ ସଂଯୋଗ ଆଣି ଆଲୋକିତ କରାଯାଉଛି। ଷ୍ଟେସନ କାର୍ଯ୍ୟାଳୟ ପ୍ରାୟ ବନ୍ଦ ରହିବା ଓ ରେଳ କର୍ମଚାରୀ ଏଠାରେ ନ ରହିବା ଯୋଗୁ ଯାତ୍ରୀମାନେ ସମୟ ସାରଣୀ ମଧ୍ୟ ଜାଣିପାରୁନାହାନ୍ତି। ଗୋଟିଏ ଦିନ ପୂର୍ବରୁ ଅନ୍ଲାଇନ୍ରେ ଟିକେଟ୍ କଟାଯାଉଥିବାରୁ ଯାତ୍ରୀମାନେ ରେଳଯାତ୍ରାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି। ଫଳରେ ରେଳଯାତ୍ରୀଙ୍କ ସଂଖ୍ୟା କ୍ରମେ କ୍ରମେ ହ୍ରାସ ପାଇବାରେ ଲାଗିଛି। ଉକ୍ତ ଷ୍ଟେସନଟିରେ ଏବେ ଯାତ୍ରୀମାନେ ନ ଆସିବାରୁ ଖାଁଖାଁ ଲାଗୁଛି। ତୁରନ୍ତ ରାଜସୁନାଖଳା ଷ୍ଟେସନର କାର୍ଯ୍ୟାଳୟ କାର୍ଯ୍ୟକ୍ଷମ କରାଇବା ଓ ପୂର୍ବପରି ଅଫ୍ଲାଇନରେ ଟିକେଟ ବିକ୍ରି କରାଇବା ସହିତ ସମସ୍ତ ଦିଗ ପ୍ରତି ଉଚିତ ବ୍ୟବସ୍ଥା କରିବା ପାଇଁ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ଦାବି କରାଯାଇଛି।
The post ସମସ୍ୟା ଘେରରେ ରାଜସୁନାଖଳା ରେଳ ଷ୍ଟେସନ୍ first appeared on Sambad.from ଜିଲ୍ଲା | Sambad https://ift.tt/3na6SeQ
0 Comments