ପାଣିକୋଇଲି : ଯାଜପୁର ଜିଲ୍ଲା ପାଣିକୋଇଲି ପୁଲିସ ଆଜି ତିନିଜଣ ବ୍ରାଉନ ସୁଗାର ବେପାରୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବାଲେଶ୍ବର ଜିଲ୍ଲା ଜଳେଶ୍ବର ଶିଖରପୁର ସୁଦର୍ଶନ ଜେନା (୩୨), କ୍ରେତା କୁଆଖିଆ ଥାନା ଗୋପୀନାଥପୁର ଶାସନର ବିକାଶ ସାମଲ ଓରଫ ଭୋଳା (୨୫) ଓ ଧର୍ମଶାଳା ଥାନା ନୂଆପାଳ ଗ୍ରାମର ସୁବାସ ସାମଲ ଓରଫ ଡୋରା (୩୦)। ସେମାନଙ୍କ ନିକଟରୁ ହ୍ୟୁଣ୍ତାଇ କାର (ଓଡି୦୨ ଏୱାଇ ୩୨୯୦ ) ଓ ବାଇକ୍‌ (ଓଡି ୦୫ ଏଲ ୬୧୪୪) ସହ ୫ଟି ମୋବାଇଲ ଫୋନ ଜବତ କରାଯାଇଛି। ୮.୯୦୦ ମିଲିଗ୍ରାମ (୩୨୩ ପୁଡ଼ିଆ) ବ୍ରାଉନ ସୁଗାର ଜବତ ହୋଇଥିବା ପାଣିକୋଇଲି ଥାନାଧିକାରୀ ସୁଶୀଲ କୁମାର ନାୟକଙ୍କଠାରୁ ସୂଚନା ମିଳିଛି।

ଯାଜପୁର ଏସ୍‌ପି ରାହୁଲ ପିଆରଙ୍କ ନିର୍ଦେଶକ୍ରମେ ସ୍ବତନ୍ତ୍ର ସ୍କ୍ବାଡ୍‌ ଏହି ବ୍ରାଉନ୍‌ସୁଗାର କାରବାର ଉପରେ ନଜର ରଖିଥିଲା। ଗତ ମଙ୍ଗଳବାର ରାତି ୯ଟା ସମୟରେ ଏକ ହ୍ୟୁଣ୍ତାଇ ଭର୍ନା କାରରେ ସୁଦର୍ଶନ ବ୍ରାଉନସୁଗାର ନେଇ ପାଣିକୋଇଲିରେ ପହଞ୍ଚିଥିଲା। ପୂର୍ବରୁ ଫୋନରେ ଯୋଗାଯୋଗ ମୁତାବକ ବ୍ରାଉନସୁଗାର ନେବାକୁ ଦୁଇଜଣ କ୍ରେତା ବାଇକ୍‌ରେ ଆସି ପାଣିକୋଇଲିରେ ପହଞ୍ଚିଥିଲେ। ବିଶେଷ ସୂତ୍ରରୁ ଖବର ପାଇ ଛକିବସିଥିବା ସ୍ବତନ୍ତ୍ର ସ୍କ୍ବାଡ୍‌ ସହିତ ପାଣିକୋଇଲି ପୁଲିସ ସେହି କାରକୁ ଘେରି ଯାଇଥିଲେ। ପାଣିକୋଇଲି ଛକ ଉପରେ ଏଭଳି ଛକାପଞ୍ଝା ଦେଖି ଉତ୍କଣ୍ଠାବଶତଃ ଲୋକମାନଙ୍କ ଭିଡ଼ ଜମିଯାଇଥିଲା। ଏହାର ସୁଯୋଗ ନେଇ କାର ଡ୍ରାଇଭର ଜଳେଶ୍ବର ଥାନା ବାଘବାଳି ଗ୍ରାମର ରବି ସେଠୀ ଡୋର ଲକ୍ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। କାର ନିକଟରେ ଉପସ୍ଥିତ ଥିବା ବେପାରୀ ଓ ଦୁଇ କ୍ରେତା ପୁଲିସ ହାତରେ ଧରାପଡ଼ିଥିଲେ। ଥାନାରେ ପୁଲିସ ଜେରା କରିବା ପରେ ଦୀର୍ଘଦିନ ହେଲା ଏହି ବେପାର କରୁଛନ୍ତି ବୋଲି ସେମାନେ ସ୍ବୀକାର କରିଥିଲେ। ଏମାନେ ବାଲେଶ୍ବରରୁ ଧଳାଜହର ଆଣି ଯାଜପୁର ଜିଲ୍ଲା ସମେତ କେନ୍ଦ୍ରାପଡ଼ା ଓ ଜଗତସିଂପୁର ଜିଲ୍ଲାରେ ବେପାର କରୁଥିବା ପୁଲିସ ନିକଟରେ ପ୍ରକାଶ କରିଥିବା ଜଣାପଡ଼ିଛି। ଏ ସଂକ୍ରାନ୍ତରେ କେସ୍‌ ନଂ ୨୫୪/୨୧, ଦଫା ୨୧(ବି)ଏନଡିପିଏସ ଆାକ୍ଟରେ ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ଏଥିରେ ସଂପୃକ୍ତ ଅନ୍ୟମାନଙ୍କୁ ଧରିବାକୁ ପୁଲିସ ପ୍ରୟାସ ଜାରି ରଖିଛି ବୋଲି ଥାନାଧିକାରୀ ସୂଚନା ଦେଇଛନ୍ତି।

The post ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ, ୩ ଗିରଫ first appeared on Sambad.

from ଜିଲ୍ଲା | Sambad https://ift.tt/3uwDGSp