
ଯୋଡ଼ା : ସର୍ଟସର୍କିଟ୍ରୁ ବିସ୍ଫୋରଣ ହେଲା ଫ୍ରିଜର୍। ପକ୍ଷାଘାତରେ ଆକ୍ରାନ୍ତ ଥିବା ପତ୍ନୀଙ୍କୁ ବଞ୍ଚାଇବାକୁ ଯାଇ ଫସିଗଲେ ସ୍ୱାମୀ। ଆଖିପିଛୁଳାରେ ନିଆଁ ଚାରିଆଡ଼କୁ ବ୍ୟାପିଯିବା ସହ ଜଳିଗଲେ ଦମ୍ପତି। ସୌଭାଗ୍ୟ ବଶତଃ ତାଙ୍କ ୭ ବର୍ଷର ପୁଅ ଏଥିରୁ ବର୍ତ୍ତି ଯାଇଛି। ଏଭଳି ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ ବଳଦା ଗ୍ରାମରେ। ମୃତକମାନେ ହେଲେ ଗ୍ରାମର ପୂର୍ଣ୍ଣଚନ୍ଦ୍ର ଦେହୁରୀ (୩୫) ଓ ଲକ୍ଷ୍ମୀ ଦେହୁରୀ (୩୩)।
ପୁଲିସ ସୂଚନା ଅନୁସାରେ, ବାମେବାରୀ ଥାନା ଅନ୍ତର୍ଗତ ବଳଦା ଗ୍ରାମର ଲକ୍ଷ୍ମୀ ଦେହୁରୀ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ିଥିଲେ। ଗତକାଲି ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାବେଳେ ଘରେ ଲକ୍ଷ୍ମୀ ଶୋଇଥିବାବେଳେ ପାଖରେ ତାଙ୍କର ୭ ବର୍ଷର ପୁଅ ଥିଲେ। ସର୍ଟସର୍କିଟ୍ ହୋଇ ହଠାତ୍ ଘରେ ଥିବା ଫ୍ରିଜର୍ଟି ବିସ୍ଫୋରଣ ହୋଇଥିଲା। ଏହି ଶବ୍ଦ ଶୁଣି ପୁଅ ବାହାରକୁ ଦୌଡ଼ି ପଳାଇଥିଲା। ଅନ୍ୟପକ୍ଷରେ ସ୍ତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ପୂର୍ଣ୍ଣଚନ୍ଦ୍ର ଦୌଡ଼ି ଆସିଥିଲେ। ସେତେବେଳକୁ ନିଆଁ ଚାରିଆଡ଼କୁ ବ୍ୟାପିଯିବା ସହ ଘରର ଆସବାବପତ୍ର ଗୁଡ଼ିକ ଜଳୁଥିଲା। ନିଆଁ ଆଁରେ ଫସି ଯାଇଥିଲେ ଦମ୍ପତି। ପୁଅଠାରୁ ଖବର ପାଇ ସ୍ଥାନୀୟ ଲୋକେ ଦୌଡ଼ି ଆସିଥିଲେ। ସେମାନେ ନିଆଁକୁ ଆୟତ୍ତ କଲାବେଳକୁ ପୂର୍ଣ୍ଣଚନ୍ଦ୍ର ଓ ଲକ୍ଷ୍ମୀଙ୍କ ମୃତ୍ୟୁ ହୋଇସାରିଥିଲା।
ଖବର ପାଇ ସୋମବାର ସକାଳେ ବାମେବାରୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବଡ଼ବିଲ ଡାକ୍ତରଖାନା ପଠାଇଛି। ଏନେଇ କେସ୍ ନମ୍ବର ୩୨/୨୧ରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଥିବା ଥାନା ଅଧିକାରୀ ମନୋରଞ୍ଜନ ବିଶି କହିଛନ୍ତି। ଏହି ଘଟଣା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
The post ସର୍ଟସର୍କିଟରୁ ଅଗ୍ନିକାଣ୍ଡ: ଜଳିଗଲେ ଦମ୍ପତି, ବର୍ତ୍ତିଗଲା ପୁଅ first appeared on Sambad.from ଜିଲ୍ଲା | Sambad https://ift.tt/3jBMnqh
0 Comments