
କଟକ: ରାଜ୍ୟର ଚିକିତ୍ସା ବିଜ୍ଞାନ ଇତିହାସରେ ପୁଣି ଏକ ନୂଆ ଅଧ୍ୟାୟ ଯୋଡିଛି କଟକର ଶାନ୍ତି ମେମୋରିଆଲ୍ ହସ୍ପିଟାଲ୍। ହସ୍ପିଟାଲ ପକ୍ଷରୁ ରୋବୋଟିକ୍ ସର୍ଜରି ଚିକିତ୍ସା ବ୍ୟବସ୍ଥା ଆଜିଠାରୁ ଆରମ୍ଭ ହୋଇଛି। ଯାହାକି ରାଜ୍ୟରେ ପ୍ରଥମ ଷ୍ଟେଟ୍ ଅଫ୍ ଆର୍ଟ ରୋବୋଟିକ୍ ସର୍ଜରି ଉତ୍କର୍ଷ କେନ୍ଦ୍ର ବୋଲି କୁହାଯାଉଛି। ଉକ୍ତ ଉତ୍କର୍ଷ କେନ୍ଦ୍ର ସିଏସ୍ଆରର (ବ୍ରିଟେନ୍), ରୋବୋଟିକ୍ ଏସ୍ଏକ୍ସ ସିଷ୍ଟମ୍ (ଭେରସିଅସ୍)ର ଶୁଭାରମ୍ଭ ହୋଇଛି। ରୋବୋଟିକ୍ ସର୍ଜରିର ଦାମ୍ ଲାପାରୋସ୍କୋପିକ୍ ସର୍ଜରି ଠାରୁ ସାମାନ୍ୟ ଅଧିକ ହୋଇଥିବା ବେଳେ ଶାନ୍ତି ମେମୋରିଆଲ୍ ହସ୍ପିଟାଲରେ ଏହି ସର୍ଜରି ମେଟ୍ରୋ ସହରରେ ହେଉଥିବା ଖର୍ଚ୍ଚର ଏକ ତୃତୀୟାଂଶ ମୂଲ୍ୟରେ କରାଯିବ ବୋଲି ଶାନ୍ତି ମେମୋରିଆଲ୍ ହସ୍ପିଟାଲର ଚିଫ୍ ସର୍ଜନ ଆଣ୍ଡ୍ ସିଏମ୍ଡି ଡାକ୍ତର ଶ୍ରୀଜୟ ପଟ୍ଟନାୟକ କହିଛନ୍ତି। ଡାକ୍ତର ପଟ୍ଟନାୟକ କହିଛନ୍ତି ଯେ ସାର୍ଟିଫାଏଡ୍ ରୋବୋଟିକ୍ ସର୍ଜନ ମାନ୍ୟତା ହାସଲ ଲାଗି ଏକ ସ୍ୱତନ୍ତ୍ର ପ୍ରଶିକ୍ଷଣରେ ଭାଗ ନେବାକୁ ପଡିଥିଲା। ହସ୍ପିଟାଲର ଚାରି ଜଣ ସର୍ଜନଙ୍କୁ ରୋବୋଟିକ୍ ସର୍ଜନ ଭାବେ ମାନ୍ୟତା ପ୍ରଦାନ କରାଯାଇଛି। ଏହି ପଦ୍ଧତିର ମ୍ୟାଗ୍ନିଫିକେସନ୍ ଜରିଆରେ ଅତି ସୂକ୍ଷ୍ମ ଜିନିଷ ବଡ଼ କରି ଦେଖା ଯାଇପାରୁଛୁ, ଯଦ୍ୱାରା ସେହି ସ୍ଥାନରେ ଥିବା ସମସ୍ୟାକୁ ଦୂର କରିବା ଡାକ୍ତରଙ୍କ ପାଇଁ ସହଜ ହେଉଛି। ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ସି.ଆର୍.ଦାସ, ଇଏନ୍ଟି ସର୍ଜନ ଡାକ୍ତର ଦୀପ୍ତିମାନ ବଳିଆରସିଂହ କହିଛନ୍ତି ଯେ ବିଶେଷ କରି ନାକ, କାନ ଓ ଥାଇରଏଡ୍ ସର୍ଜରି ବେଳେ ଏହା ବିଶେଷ ସହାୟକ ହେବ।
ଅଙ୍କୋଲୋଜି ସର୍ଜନ ଡାକ୍ତର ପ୍ରଶାନ୍ତ ଚନ୍ଦ୍ର ଦାସ, ସର୍ଜନ ଡାକ୍ତର ରେଖା ଦାସ କହିବା ଅନୁଯାୟୀ ଏହି ସର୍ଜରିରେ ମେଦବହୁଳତା ସମସ୍ୟା ଭୋଗୁଥିବା ଲୋକେ ଶୀଘ୍ର ଉପଷମ ହାସଲ କରିପାରିବେ। ଏହି ଅସ୍ତ୍ରୋପଚାର ପରେ ରୋଗୀ ୨୪ଘଣ୍ଟା ଭିତରେ ହସ୍ପିଟାଲରୁ ଘରକୁ ଯାଇପାରିବେ। ଏହାଦ୍ବାରା ସଂକ୍ରମଣ ଆଶଙ୍କା ନଥାଏ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି। ଆଜି ପ୍ରଥମ ଦିନରେ ତିନୋଟି ସର୍ଜରି କରାଯାଇଛି।
The post ରାଜ୍ୟରେ ପ୍ରଥମ ରୋବୋଟିକ୍ ସର୍ଜରି ଆରମ୍ଭ: କଟକ ଶାନ୍ତି ହସ୍ପିଟାଲ ଯୋଡ଼ିଲା ନୂଆ ଅଧ୍ୟାୟ first appeared on Sambad.from ଜିଲ୍ଲା | Sambad https://ift.tt/2XVZew7
0 Comments