ଆନନ୍ଦପୁର : ଆନନ୍ଦପୁର ମ୍ୟୁନିସିପାଲିଟିରେ କିଭଳି ସହରାଞ୍ଚଳ ବିକାଶ ବାଟବଣା ହୋଇଛି ତାହାର ନଗ୍ନ ଚିତ୍ର ଦେଖିବାକୁ ମିଳିଛି। ଉଦ୍‌ଘାଟନର ବର୍ଷେ ପରେ ମଧ୍ୟ ଶାଳପଡ଼ା ଇନ୍ଦିରା ଗାନ୍ଧୀ ପଡ଼ିଆରେ ନିର୍ମାଣ ହୋଇଥିବା ଟାଉନ୍‌ହଲ ଲୋକଙ୍କ କାମରେ ଆସିପାରୁ ନାହିଁ। ନିର୍ମାଣ କାମ କରିଥିବା ଠିକାଦାର ଏହାକୁ ନିଜ ଦଖଲରେ ରଖିଥିବାବେଳେ ପୌର କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ସରକାରଙ୍କ ୫୦ ଲକ୍ଷ ଟଙ୍କାର ଅନୁଦାନ ପାଣିରେ ପଡ଼ିଲା ବୋଲି ଚର୍ଚ୍ଚା ହେଉଛି।

୨୦୧୮ରେ ମ୍ୟୁନିସିପାଲିଟିର ୧୨ ନମ୍ବର ୱାର୍ଡରେ ଏକ ଟାଉନ୍‌ହଲ ନିର୍ମାଣ ପାଇଁ ଅନୁଦାନ ଆସିଥିଲା। ସ୍ଥାନୀୟ ଇନ୍ଦିରା ଗାନ୍ଧୀ ପଡ଼ିଆର କନକମଞ୍ଜରୀ ମହିଳା ମହବିଦ୍ୟାଳୟ ପାର୍ଶ୍ବରେ ଏଥିପାଇଁ ଜମି ଚିହ୍ନଟ ହୋଇଥିଲା। ଦୁଇଟି ପର୍ଯ୍ୟାୟରେ ପ୍ରାୟ ୫୦ ଲକ୍ଷ ଟଙ୍କା ବ୍ୟୟରେ ଟାଉନ୍‌ହଲ ନିର୍ମାଣ କରାଯାଇଥିଲା। ଏଠାରେ ସମସ୍ତ ବ୍ୟବସ୍ଥା ସହ ପାଚେରି ନିର୍ମାଣ କରାଯାଇଛି। ୨୦୨୦ ଅଗଷ୍ଟ ୩୧ ତାରିଖ ସ୍ବାୟତ୍ତଶାସନ ଦିବସ ଅବସରରେ ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀ ଏହାର ଉଦ୍‌ଘାଟନ କରିଥିଲେ। ସହରାଞ୍ଚଳରେ ସଭାସମିତି ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରିବା ପାଇଁ ଏହି ଟାଉନ୍‌ହଲ୍ ନିର୍ମାଣ କରାଯାଇଥିଲା। ତେବେ ନିର୍ମାଣ ପରଠାରୁ ଏହା ଲୋକଙ୍କ କାମରେ ଆସିପାରୁ ନାହିଁ। ସମ୍ପୃକ୍ତ ଠିକାଦାର ଟାଉନ୍‌ହଲକୁ ନିଜ ବ୍ୟକ୍ତିଗତ କାମରେ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ଠିକାଦାରଙ୍କ କିଛି ଅଣଓଡ଼ିଆ ମିସ୍ତ୍ରି ଓ ଶ୍ରମିକମାନେ ଏଠାରେ ରହୁଛନ୍ତି। ସେମାନଙ୍କଠାରୁ ମାସିକ ଭଡ଼ା ମଧ୍ୟ ଆଦାୟ ହେଉଥିବା ଜଣାପଡ଼ିଛି। ଦିନବେଳା ଟାଉନ୍‌ହଲ ଆଗରେ ଶ୍ରମିକଙ୍କ ପୋଷାକ ଶୁଖୁଥିବାବେଳେ ସନ୍ଧ୍ୟା ହେଲେ ଏଠାରେ ଭୋଜିଭାତର ଆସର ଜମୁଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ଏନେଇ ପୌରନିର୍ବାହୀ ଅଧିକାରୀ ବିପିନ ପ୍ରଧାନଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇନାହାନ୍ତି। ଜିଲ୍ଲାପାଳ ତୁରନ୍ତ ଏଥିରେ ହସ୍ତକ୍ଷେପ କରିବାକୁ ସହରବାସୀ ଦାବି କରିଛନ୍ତି।

The post ଆନନ୍ଦପୁର ମ୍ୟୁନିସିପାଲିଟିରେ ସହରାଞ୍ଚଳ ବିକାଶ ବାଟବଣା: ଉଦ୍‌ଘାଟନର ବର୍ଷେ ପରେ ମଧ୍ୟ ଲୋକଙ୍କ କାମରେ ଆସିପାରୁ ନାହିଁ ଶାଳପଡ଼ା ଟାଉନହଲ୍‌ first appeared on Sambad.

from ଜିଲ୍ଲା | Sambad https://ift.tt/3lHGf1d