ହାଇକୋର୍ଟ ମୁଖ୍ୟ ବିଚାରପତି ଡ. ଏସ୍ ମୁରଲୀଧରଙ୍କ ବଲାଙ୍ଗୀର ଗସ୍ତ

ବଲାଙ୍ଗୀର : ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଡ. ଏସ୍ ମୁରଲୀଧର ଦିନିକିଆ ବଲାଙ୍ଗୀର ଗସ୍ତରେ ଆସିଥିଲେ। ପ୍ରଥମେ ସକାଳ ୯ଟାରେ ଡ. ମୁରଲୀଧର ବଲାଙ୍ଗୀର ଲିଗାଲ ଏଡ୍ ପ୍ରକୋଷ୍ଠ ମଧ୍ୟରେ ହେଣ୍ଡସ୍ ଅନ୍ ଟ୍ରେନିଂ ସର୍ଭିସେସ୍‌କୁ ଉଦ୍‌ଘାଟନ କରିଥିଲେ। ଓକିଲମାନଙ୍କୁ ଇ-ସର୍ଭିସ ଉପରେ ତାଲିମ ଦେଇଥିଲେ। ଏହି ଟ୍ରେନିଂ ପରେ ସିଭିଲ କୋର୍ଟରେ ମାମଲାଗୁଡ଼ିକର ଇ-ଫାଇଲିଂ ଓ ଫାଇନ୍ ଇ-ପେମେଣ୍ଟ ହୋଇପାରିବ ବୋଲି ସୂଚନା ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବିଚାରପତିଙ୍କ ସହ ଜିଲ୍ଲା ଦୌରା ଜଜ୍ ଲୋକନାଥ ମହାପାତ୍ର, ରେଜିଷ୍ଟ୍ରାର ଇନ୍‌ସପେକ୍ସନ ପ୍ରଭାକର ଗାଣ୍ଠିଆ, ରେଜିଷ୍ଟ୍ରାର ଅମିତ ବାରିକ ପ୍ରମୁଖ ଉପସ୍ଥିତ ଥିଲେ। ପରେ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ପକ୍ଷରୁ ଆୟୋଜିତ ଏକ ଆଲୋଚନା ସଭାରେ ମୁଖ୍ୟ ବିଚାରପତି ଡ. ମୁରଲୀଧର ଯୋଗ ଦେଇ ନିଜର ବକ୍ତବ୍ୟ ଦେଇଥିଲେ।

ସଂଘର ସଭାପତି ପ୍ରବୀଣ ମିଶ୍ରଙ୍କ ଆବାହକତ୍ୱରେ ଅନୁଷ୍ଠିତ ସଭାକୁ ଆଇନଜୀବୀ ଭବାନୀ ଶଙ୍କର ଶତପଥୀ ସଂଯୋଜନା କରିଥିଲେ। ଆଇନଜୀବୀ ପ୍ରମୋଦ ମିଶ୍ର ଓକିଲମାନଙ୍କ ବିଭିନ୍ନ ଦାବି ଓ ବୃତ୍ତିଗତ ଜୀବନରେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସଂପର୍କିତ ଏକ ଭିତ୍ତିପତ୍ର ଉପସ୍ଥାପନ କରିଥିଲେ। ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚର ପୁନଃସ୍ଥାପନ, କୋର୍ଟ କୋଠା ସଂପ୍ରସାରଣ, ପାର୍କିଂ ସୁବିଧା ଆଦି ବିଷୟ ଉପରେ ସଂଘ ପକ୍ଷରୁ ମୁଖ୍ୟ ବିଚାରପତିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ମୁଖ୍ୟ ବିଚାରପତି ତାଙ୍କ ବକ୍ତବ୍ୟରେ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘର ଓକିଲମାନଙ୍କ କାର୍ଯ୍ୟଶୈଳୀକୁ ପ୍ରଶଂସା କରିବା ସହ ଅତୀତରେ ବଲାଙ୍ଗୀର ମାଟି ରାଜ୍ୟର ଶ୍ରେଷ୍ଠ ଆଇନଜୀବୀ ଓ ଶ୍ରେଷ୍ଠ ବିଚାରପତିମାନଙ୍କୁ ସୃଷ୍ଟି କରିଛି ବୋଲି କହିଥିଲେ। ଏହି ବାର୍‌ର କାର୍ଯ୍ୟରତ ଓକିଲମାନଙ୍କ ଭିତରେ ଅନେକ ପ୍ରତିଭା ଲୁଚି ରହିଛି। ଏଠାରେ ଓକିଲାତି କରି ବିଚାରପତି ଆସନ ଅଳଙ୍କୃତ କରିଥିବା କିଛି ବିଚାରପତିଙ୍କ ନାମ ନେଇ ସେ ଜିଲ୍ଲା ଓକିଲ ସଂଘର ପାରଦର୍ଶିତାକୁ ଉଚ୍ଚକୋଟୀର ବୋଲି କହିଥିଲେ। ଏଠାରେ ବାର୍ ଓ ବେଞ୍ଚ ମଧ୍ୟରେ ଉତ୍ତମ ସମନ୍ୱୟ ରହିଥିବା କଥା କହିଥିଲେ ମୁଖ୍ୟ ବିଚାରପତି। ଯୁବ ଆଇନଜୀବୀମାନେ ଉତ୍ସାହ ଓ ଆତ୍ମବିଶ୍ୱାସର ସହ କାର୍ଯ୍ୟ କଲେ ନିଜ ବୃତ୍ତିରେ ସଫଳ ହୋଇପାରିବେ ବୋଲି ଡ. ମୁରଲୀଧର କହିଥିଲେ।

ସଭା ପ୍ରାରମ୍ଭରେ ବରିଷ୍ଠ ଆଇନଜୀବୀ ଗୋପାଳ ଚନ୍ଦ୍ର ପାଣିଗ୍ରାହୀ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ସଭାରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଦୌରା ଜଜ୍ ଲୋକନାଥ ମହାପାତ୍ର ମଂଚାସୀନ ଥିବା ବେଳେ ସିଭିଲ କୋର୍ଟର ସମସ୍ତ ବିଚାରପତି ଉପସ୍ଥିତ ଥିଲେ। ସଭାକୁ ସଫଳ କରିବାରେ ଜିଲ୍ଲା ଓକିଲ ସଂଘର ସମସ୍ତ ସଭ୍ୟ ଓ କର୍ମକର୍ତ୍ତା ସହଯୋଗ କରିଥିଲେ। ଶେଷରେ ଓକିଲ ସଂଘର ସଂପାଦକ ଅମନ ନାଗ ଧନ୍ୟବାଦ ଦେଇଥିଲେ।

The post ହାଇକୋର୍ଟ ମୁଖ୍ୟ ବିଚାରପତି ଡ. ଏସ୍ ମୁରଲୀଧରଙ୍କ ବଲାଙ୍ଗୀର ଗସ୍ତ first appeared on Sambad.

from ଜିଲ୍ଲା | Sambad https://ift.tt/3oSkRIR

Post a Comment

0 Comments