ନାରାୟଣପାଟଣା: ବ୍ଲକ୍ ପ୍ରଶାସନର ନାକ ତଳେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ଥ ହୋଇପଡ଼ିଛି। ଏନେଇ ସାହିବାସିନ୍ଦା ବାରମ୍ବାର ଦ୍ବାରସ୍ଥ ହୋଇଥିଲେ ସୁଦ୍ଧା ପଞ୍ଚାୟତ କିମ୍ବା ବ୍ଲକ୍ ପ୍ରଶାସନ ଶୁଣିଲାନି। ଶେଷରେ ସାହିର ମହିଳାମାନେ ବାଧ୍ୟ ହୋଇ ଅଣ୍ଟା ଭିଡ଼ି ନିଜ ସାହିର ଡ୍ରେନ୍ ନିଜେ ସଫା କରିଛନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍ କାର୍ଯ୍ୟାଳୟ ଠାରୁ ମାତ୍ର କେଇ ପାଦ ନିକଟରେ।

ସୂଚନା ଅନୁଯାୟୀ, ନାରାୟଣପାଟଣା ବ୍ଲକ୍ କାର୍ଯ୍ୟାଳୟ ଠାରୁ ମାତ୍ର ଶହେ ମିଟର ଦୂରରେ ରହିଛି ଇନ୍ଦିରା କଲୋନି। ଏହି କଲୋନିରେ ଦୁଇଟି ସାହି ରହିଥିଲା ବେଳେ ପାଖାପାଖି ୫୦ ପରିବାରରେ ପ୍ରାୟ ଦୁଇ ଶହ ଲୋକ ବସବାସ କରନ୍ତି। ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ପାନୀୟ ଜଳ ବ୍ୟବସ୍ଥା ସ୍ବରୂପ ଗୋଟିଏ ସାହିରେ ସୋଲାର ପ୍ରକଳ୍ପ ମାଧ୍ୟମରେ ପାନୀୟ ଜଳ ଯୋଗାଣ ଏବଂ ଅନ୍ୟ ଗୋଟିଏ ସାହିରେ ନଳକୂପ ଖନନ କରାଯାଇଥିଲା।

ସେହିପରି ଡ୍ରେନ୍ ମଧ୍ୟ ନିର୍ମାଣ କରାଯାଇଥିଲା। ହେଲେ ଏହାର ରକ୍ଷଣାବେକ୍ଷଣ ପାଇଁ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା କରାଗଲା ନା କାହାରିକୁ ଦାୟିତ୍ବ ଦିଆଗଲା। ସେମିତି ଛାଡ଼ି ଦେଇଥିବାରୁ ଡ୍ରେନ୍ ପୋତି ହୋଇଗଲାଣି। ବର୍ଷା ହେଲେ ଡ୍ରେନର ଆବର୍ଜନା ସବୁ ରାସ୍ତା ଉପରେ ଭାସୁଛି। ସେହିପରି ସୋଲାର ପ୍ରକଳ୍ପ ଅଚଳ ହୋଇପଡ଼ିଥିବାରୁ ପ୍ରାୟ ମାସେ ହେଲା ପାନୀୟ ଜଳ ଯୋଗାଣ ଠପ୍ ହୋଇପଡ଼ଛି। ଏନେଇ କଲୋନି ବାସିନ୍ଦା ବାରମ୍ବାର ସ୍ଥାନୀୟ ପଞ୍ଚାୟତ ଏବଂ କଲୋନି ଠାରୁ ମାତ୍ର ଶହେ ମିଟର ଦୂରରେ ରହିଥିବା ବ୍ଲକ୍ ପ୍ରଶାସନର ଦ୍ବାରସ୍ଥ ହୋଇ ବାରମ୍ବାର ଗୁହାରି କରିଛନ୍ତି।

କଲୋନିର କିଛି ମହିଳା ବ୍ଲକ୍ କାର୍ଯ୍ୟାଳୟରେ ବିଡିଓଙ୍କ ଦ୍ବାରସ୍ଥ ହୋଇ ଡ୍ରେନ୍ ସଫେଇ ଏବଂ ସୋଲାର ପ୍ରକଳ୍ପ ମରାମତି ଦିଗରେ ପଦକ୍ଷେପ ନେବାକୁ ଗୁହାରି କରିଥିଲେ। କିନ୍ତୁ ପଞ୍ଚାୟତ କିମ୍ବା ପ୍ରଶାସନ କେହି ହେଲେ ଶୁଣିଲେନି। ଶେଷରେ କଲୋନିର ଉପର ସାହିର ପ୍ରାୟ ୧୦ ଜଣ ମହିଳା ଅଣ୍ଟା ଭିଡ଼ି ନିଜ ମଧ୍ୟରେ ନିଷ୍ପତ୍ତି ନେଇ ସାହିର ଡ୍ରେନ୍ ସଫା କରିଥିଲେ। ସେହିପରି ଏକ ମାତ୍ର ନଳକୂପ ଉପରେ ନିର୍ଭର କରୁଥିବାରୁ ନଳକୂପର ଚାରିପାର୍ଶ୍ବ ଚାନ୍ଦିନି ମଧ୍ୟ ଆବର୍ଜନାରେ ପରିପୂର୍ଣ୍ଣ ହୋଇ ରହିଥିଲା। ଏହାକୁ ମଧ୍ୟ ସଫା କରିଥିଲେ। ଆସନ୍ତାକାଲି ଆଉ ଗୋଟିଏ ସାହିର ମହିଳାମାନେ ଡ୍ରେନ୍ ସଫା କରିବେ ବୋଲି କଲୋନି ବାସିନ୍ଦା କହିଛନ୍ତି। ଏନେଇ ବିଡିଓ ଯଦୁମଣି ନାୟକଙ୍କୁ ପଚାରି ବୁଝିବାରୁ ମୋ ପାଖକୁ କେହି ଆସିନାହାନ୍ତି ବୋଲି କହିଛନ୍ତି। ସେହିପରି ଆଜି କଲୋନିରେ ଅଚଳ ହୋଇପଡ଼ିଥିବା ଅନ୍ୟ ଗୋଟିଏ ନଳକୂପ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ମରାମତି କରାଯାଇଥିବା ଜଣାପଡ଼ିଛି।

The post ଶୁଣିଲାନି ପ୍ରଶାସନ, ମହିଳା ସଫେଇ କଲେ ଡ୍ରେନ୍ first appeared on Sambad.

from ଜିଲ୍ଲା | Sambad https://ift.tt/3CzKthG