
ଖର୍ଚ୍ଚ ହେବ ୨କୋଟି ଟଙ୍କା
ରାଜପଥ ପାର୍ଶ୍ୱରୁ ହଟିବ ୧୦୦ ବ୍ଲାକ୍ ସ୍ପଟ୍
କଟକ : ଓଡ଼ିଶାରେ ସମସ୍ତ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ ପାର୍ଶ୍ୱରେ ଥିବା ଥିବା ଉଠାଦୋକାନୀ, ପୁଲିସ କର୍ମଚାରୀ, ପେଟ୍ରୋଲ ପମ୍ପ କର୍ମଚାରୀ, ଟାୟାର ଦୋକାନୀ, ଚା ଦୋକାନୀ ଏହିଭଳି ପ୍ରାୟ ୩୦ ହଜାର ଲୋକଙ୍କୁ ଦୁର୍ଘଟଣା ପରବର୍ତ୍ତୀ ଜରୁରୀ ଓ ପ୍ରାଥମିକ ଚିକିତ୍ସା ତାଲିମ ( ଫାଷ୍ଟ ଏଡ୍ ପ୍ରି ଟ୍ରମା କେୟାର) ଦିଆଯିବ। ଏହି ତାଲିମ ଶିବିର ଆସନ୍ତା ନଭେମ୍ବର ୮ରୁ ଆରମ୍ଭ ହେବ। ଏହି ସ୍ବତନ୍ତ୍ର ତାଲିମ ଅଭିଯାନ ୬ ମାସ ଧରି ଚାଲିବ। ଏଥିରେ ରାଜ୍ୟ ସରକାର ୨ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ଆଜି ଇଣ୍ଡିଆ ଚାପ୍ଟର ଅଫ୍ ଇଣ୍ଟରନ୍ୟାସନାଲ୍ ରୋଡ୍ ଫେଡେରସନ୍ (ଆଇଆର୍ଏଫ୍ଆଇସି) ପକ୍ଷରୁ ଆୟୋଜିତ ‘ଏନଫୋର୍ସମେଣ୍ଟ୍ ଇନୋଭେସନ ଫର୍ ରୋଡ୍ ସେଫ୍ଟି’ କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ପରିବହନ ଆୟୁକ୍ତ ଅରୁଣ ବୋଥ୍ରା ଘୋଷଣା କରିଛନ୍ତି।
ଶ୍ରୀ ବୋଥ୍ରା କହିଛନ୍ତି, ଦୁର୍ଘଟଣା ପରବର୍ତ୍ତୀ କିଛି ସମୟ ବହୁତ ଗୁରୁତ୍ୱପୂର୍ଣ୍ଣ। ଏହାକୁ ଗୋଲଡେନ୍ ଆୱାର କୁହାଯାଏ। ଏହି ସମୟରେ ଉପଯୁକ୍ତ ଜରୁରୀ ତଥା ପ୍ରାଥମିକ ଚିକିତ୍ସା ମିଳିଲେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିର ଜୀବନ ବଂଚିଯିବାର ଯଥେଷ୍ଟ ସମ୍ଭାବନା ରହିଛି। ଦୁର୍ଘଟଣା ପରେ ସମସ୍ତଙ୍କୁ ଯେମିତି ପ୍ରାଥମିକ ଉପଚାର ମିଳି ପାରିବ ସେଥିପାଇଁ ଏହି ତାଲିମ ଅଭିଯାନ ଆରମ୍ଭ ହେବ। ସେହିଭଳି ଏଣିକି ଡ୍ରାଇଭିଂ ଲାଇସେନ୍ସ ଦେବା ପୂର୍ବରୁ ଦୁଇଟି ଅଫଲାଇନ୍ ଓ ଅନ୍ଲାଇନ ପ୍ରଶିକ୍ଷଣ ନେବାକୁ ବାଧ୍ୟତାମୂଳକ କରାଯାଇଛି। ରେଡକ୍ରସ୍ ସହାୟତାରେ ଏହି ପ୍ରଶିକ୍ଷଣ ଦିଆଯିବ। ଏଥିରେ ଫାଷ୍ଟ୍ ଏଡ୍ ବା ପ୍ରାଥମିକ ଉପଚାରକୁ ବି ସାମିଲ କରାଯିବ ବୋଲି ଶ୍ରୀ ବୋଥ୍ରା କହିଛନ୍ତି।
ସେ କହିଛନ୍ତି, ରାଜ୍ୟର ଜାତୀୟ ଓ ରାଜ୍ୟ ରାଜପଥରୁ ପ୍ରତିବର୍ଷ ପ୍ରାୟ ୩୫୦ ବ୍ଲାକ୍ ସ୍ପଟ୍ ବା ଦୁର୍ଘଟଣା ପ୍ରବଣ ଅଞ୍ଚଳ ଚିହ୍ନଟ ହୋଇଛି। ପାଖାପାଖି ୧୦୦ଟି ବ୍ଲାକ୍ ସ୍ପଟ୍ ହଟାଯିବ ବୋଲି ନିଷ୍ପତ୍ତି ହୋଇଛି।
ୱେବିନାର୍ ମାଧ୍ୟମରେ ଯୋଗଦେଇ ଆଇଆରଏଫ୍-ଆଇସିର ସଭାପତି ସତୀଶ ପାରେଖ କହିଥିଲେ ଯେ ଉପଯୁକ୍ତ ସୁରକ୍ଷା ଓ ନିରାପତ୍ତା ପଦକ୍ଷେପ ଅଭାବରୁ ୧୧ ପ୍ରତିଶତ ଦୁର୍ଘଟଣାଜନିତ ମୃତ୍ୟୁ କେବଳ ଭାରତରେ ହେଉଛି। ଆସନ୍ତା ୨୦୩୦ ସୁଦ୍ଧା ରାସ୍ତାରେ ଦୁର୍ଘଟଣାଜନିତ ମୃତ୍ୟୁକୁ ୫୦ ପ୍ରତିଶତକୁ କମାଇବାକୁ ଜାତିସଂଘ ଲକ୍ଷ୍ୟ ରଖିଛି। ଏଥିପାଇଁ ଏକ ଦଶବର୍ଷିଆ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରାଯାଇଥିବା ସେ କହିଛନ୍ତି।
The post ୩୦ ହଜାର ଲୋକଙ୍କୁ ଦୁର୍ଘଟଣା ପରବର୍ତ୍ତୀ ଚିକିତ୍ସା ତାଲିମ first appeared on Sambad.from ଜିଲ୍ଲା | Sambad https://ift.tt/3E1R8kT
0 Comments