ବୈପାରିଗୁଡା: ଦାଦନ ଖଟିବାକୁ ଯାଇ ଜଣେ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ବୈପାରିଗୁଡା ଥାନା ଅନ୍ତର୍ଗତ ଚିକିମାର ପଦ୍ମ ଚରଣ କର ଗତ ୧୦ ତାରିଖ ଦିନ ଅପରାହ୍ନରେ ହାଇଦ୍ରାବାଦ ଯିବା ପାଇଁ ଘରୁ ବାହାରିଥିଲେ। ପୂର୍ବରୁ ପଦ୍ମଙ୍କ କେତେଜଣ ବନ୍ଧୁ ହାଇଦ୍ରାବାଦରେ ଦାଦନ ଖଟିବା ପାଇଁ ଯାଇ ରହୁଥିବାରୁ ସେମାନଙ୍କ ନିକଟରେ ରହି କାମ କରିବା ତାଙ୍କର ଉଦ୍ଦେଶ୍ୟ ରହିଥିଲା।

ହାଇଦ୍ରାବାଦ ପହଞ୍ଚିବା ଯାଏ ସେ ନିଜ ପରିବାର ସହ ବାରମ୍ବାର ଫୋନ୍ ଯୋଗେ ସଂପର୍କ ରଖୁଥିଲେ। ତେବେ ହାଇଦ୍ରାବାଦ ପହଞ୍ଚିବା ପରେ ସେ ଘରକୁ ଫୋନ୍ କଲେ ନାହିଁ। ପରିବାର ଲୋକେ ଫୋନ୍ କରି ସଂପର୍କ ରକ୍ଷା କରିବା ପାଇଁ ଚେଷ୍ଟା କଲେ। ତେବେ ପଦ୍ମ ଚରଣଙ୍କ ବଦଳରେ କେହି ଜଣେ ତେଲୁଗୁ ଭାଷାରେ କଥାବାର୍ତ୍ତା କରିବାରୁ ତେଲୁଗୁ ଭାଷା ବୁଝି ପାରିନଥିଲେ। ପରବର୍ତ୍ତୀ ସମୟରେ ଫୋନ୍ ସୁଇଚ୍ ଅଫ୍ ହୋଇଥିବା ଯୋଗୁଁ ଯୋଗାଯୋଗ ହୋଇପାରିଲା ନାହିଁ। ଯେଉଁ ମାନଙ୍କ ନିକଟରେ ପହଞ୍ଚିବା କଥା, ସେମାନଙ୍କ ସହ ଯୋଗାଯୋଗ କରିବାରୁ ପଦ୍ମ ଚରଣ ପହଞ୍ଚି ନଥିବା କହିଥିଲେ। ପଦ୍ମଚରଣଙ୍କ ବଡ଼ ଭାଇ ଜଗଦୀଶ ବୈପାରିଗୁଡା ଥାନାରେ ଏସଂପର୍କରେ ଜଣାଇବା ପରେ ବୈପାରିଗୁଡା ଥାନା ଆଇଆଇସି ଈଶ୍ଵର ତାଣ୍ଡି ହାଇଦ୍ରାବାଦ ପୋଲିସ ସହ ଯୋଗାଯୋଗ କରିଥିଲେ। ହାଇଦ୍ରାବାଦ ପୋଲିସ ଏସଂପର୍କରେ ଅନୁସନ୍ଧାନ କରିବେ ବୋଲି ଜଣାପଡିଛି।

The post ଦାଦନ ଖଟିବାକୁ ଯାଇ ଜଣେ ନିଖୋଜ first appeared on Sambad.

from ଜିଲ୍ଲା | Sambad https://ift.tt/3Duwt8K