
ରାଉରକେଲା: ରାଜ୍ୟସ୍ତରୀୟ ନେହରୁ ହକି କପ ପ୍ରତିଯୋଗିତା ରବିବାର ଠାରୁ ଆରମ୍ଭ ହୋଇଯାଇଛି। ପାନପୋଷ କ୍ରୀଡ଼ା ଛାତ୍ରାବାସରେ ଆଜି ପ୍ରଥମ ଦିନରେ କନିଷ୍ଠ ବାଳିକା ବର୍ଗର ସମସ୍ତ ମ୍ୟାଚ୍ ଖେଳା ଯାଇଥିଲା। ଏଥିରେ ଟାଉନ୍ ହାଇସ୍କୁଲ(ସୁନ୍ଦରଗଡ଼) ଦଳ ସିଧାସଳଖ ୫-୦ ଗୋଲ୍ରେ ବୀର୍ସା ମୁଣ୍ଡା ବିଦ୍ୟାପୀଠ(ରାଉରକେଲା)କୁ ପରାସ୍ତ କରି ଚାମ୍ପିଅନ ହୋଇଛି। ସୁନ୍ଦରଗଡ଼ ଟାଉନ୍ ହାଇସ୍କୁଲ ଦଳ ଆରମ୍ଭରୁ ଆକ୍ରାମଣାତ୍ମକ ଶୈଳୀ ଆପଣେଇ ମ୍ୟାଚ୍ ସାରା ଆଧିପତ୍ୟ ବିସ୍ତାର କରିଥିଲା। ଦଳର ତନୁଜା ଟପ୍ପୋ ସର୍ବାଧିକ ଦୁଇଟି ଗୋଲ୍ (୬ ଓ ୫୮ ମିନିଟ) ଦେଇଥିବାବେଳେ ସୁନେଲିତା ଟପ୍ପୋ(୩୨), ଆନନ୍ଦିତା ଟପ୍ପୋ(୩୪) ଓ ପ୍ରିୟଙ୍କା ଟପ୍ପୋ(୫୦) ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ।
ପ୍ରକାଶଥାଉକି, ପ୍ରଥମ ସେମିଫାଇନାଲରେ ଟାଉନ ହାଇସ୍କୁଲ ୫-୦ ଗୋଲ୍ରେ ସୁଲକ୍ଷଣା ଦେବୀ ଉଚ୍ଚ ବିଦ୍ୟାଳୟ(ଢ଼େଙ୍କାନାଳ)କୁ ଦ୍ବିତୀୟ ସେମିଫାଇନାଲରେ ବୀର୍ସା ମୁଣ୍ଡା ବିଦ୍ୟାପୀଠ ରବଗା ମଝାପଡ଼ା ଉଚ୍ଚବିଦ୍ୟାଳୟ(ସମ୍ବଲପୁର)କୁ ୯-୦ ଗୋଲ୍ରେ ପରାସ୍ତ କରି ଫାଇନାଲ ପ୍ରବେଶ କରିଥିଲା। ପାନପୋଷ କ୍ରୀଡ଼ା ଛାତ୍ରାବାସର ଭାରପ୍ରାପ୍ତ ଅଧିକାରୀ ବିଜୟ ଲାକ୍ରାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସମସ୍ତ ମ୍ୟାଚ୍ ଖେଳା ଯାଇଥିଲା। ମ୍ୟାଚ୍ ପରିଚାଳନାରେ ବର୍ଣ୍ଣାଡ୍ ଲାକ୍ରା, ସରୋଜିନୀ ଏକ୍କା, ପିଟର ସୋରେଙ୍ଗ, ଅମୂଲ୍ୟ ବେହେରା ପ୍ରମୁଖ ସହଯୋଗ କରିଥିଲେ।
ସୋମବାରଠାରୁ ବାଳକ କନିଷ୍ଠ ଓ ଉପକନିଷ୍ଠ ବର୍ଗର ମ୍ୟାଚ୍ ଆରମ୍ଭ ହେବ। ସୂଚନାଯୋଗ୍ୟ, ତିନିଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ କନିଷ୍ଠ ବାଳିକା ବର୍ଗରେ ଟାଉନ ହାଇସ୍କୁଲ(ସୁନ୍ଦରଗଡ଼), ବୀର୍ସା ମୁଣ୍ଡା ବିଦ୍ୟାପୀଠ(ରାଉରକେଲା), ସୁଲକ୍ଷଣା ଦେବୀ ହାଇସ୍କୁଲ(ଢ଼େଙ୍କାନାଳ) ଓ ରବଗା ମଝା ହାଇସ୍କୁଲ(ସମ୍ବଲପୁର) ଦଳ ଅଂଶଗ୍ରଗହଣ କରିଥିଲେ।
ସେହିଭଳି କନିଷ୍ଠ ବାଳକ ବର୍ଗରେ ଟାଉନ ହାଇସ୍କୁଲ(ସୁନ୍ଦରଗଡ଼), ଦୁଧିଆନାଳୀ ହାଇସ୍କୁଲ(ଦେବଗଡ଼), ରବଗା ମଝାପଡ଼ା ହାଇସ୍କୁଲ(ସମ୍ବଲପୁର), ନବଜ୍ୟୋତି ହାଇସ୍କୁଲ, କେରଙ୍ଗା(ଅନୁଗୁଳ) ଓ ବି.ବି. ହାଇସ୍କୁଲ(ଢ଼େଙ୍କାନାଳ) ଏବଂ ଉପକନିଷ୍ଠ ବାଳକ ବର୍ଗରେ ବୀର୍ସା ମୁଣ୍ଡା ବିଦ୍ୟାପୀଠ(ରାଉରକେଲା), ଟାଉନ ହାଇସ୍କୁଲ(ସୁନ୍ଦରଗଡ଼), ସୌଦାମିନୀ ବିଦ୍ୟାପୀଠ(ଢ଼େଙ୍କାନାଳ) ଓ ରବଗା ମଝାପଡ଼ା(ସମ୍ବଲପୁର) ଦଳ ଅଂଶଗ୍ରହଣ କରିଛନ୍ତି। ଉଦ୍ଘାଟନୀ ଉତ୍ସବରେ ବରିଷ୍ଠ କୋଚ୍ ପିଟର ତିର୍କୀ, ସିଲଭେଷ୍ଟର ଟପ୍ପୋ ପ୍ରମୁଖ ଯୋଗଦେଇଥିଲେ।
The post ରାଜ୍ୟସ୍ତରୀୟ ନେହରୁ କପ୍ ହକି: କନିଷ୍ଠ ବାଳିକା ବର୍ଗରେ ସୁନ୍ଦରଗଡ଼ ଟାଉନ ହାଇସ୍କୁଲ ଚାମ୍ପିଅନ first appeared on Sambad.from ଜିଲ୍ଲା | Sambad https://ift.tt/3pzVKe2
0 Comments