ଖଜୁରୀପଡ଼ା : ଭଲ ରାସ୍ତାଟିଏ ନଥିବାରୁ ଗାଁ ଭିତରକୁ ଆସିପାରିଲାନି ୧୦୮ ଆମ୍ବୁଲାନ୍ସ୍। ଆଉ ଘର ଭିତରେ ଛଟପଟ ହୋଇ ଗୁରୁତର ଅବସ୍ଥାରେ ଶ୍ବାସରୋଗୀଙ୍କ ଜୀବନ ଗଲା। ଆଦିବାସୀଅଧ୍ୟୁଷିତ କନ୍ଧମାଳ ଜିଲ୍ଲା ଗୁଦାରି ଗ୍ରାମପଞ୍ଚାୟତ ସୁଡ଼ିଲିଖମାର ଗ୍ରାମରୁ ଏଭଳି ଏକ ଅଭାବନୀୟ ଘଟଣା ଆଜି ଶୋକାକୁଳ ପରିବେଶ ସୃଷ୍ଟି କରିଛି।

ଗାଁ ଘରେ ଏକୁଟିଆ ରହୁଥିବା ମହେନ୍ଦ୍ର ବଗର୍ତ୍ତି କିଛିଦିନ ହେବ ଅସୁସ୍ଥ ଥିଲେ। ରବିବାର ଦିନ ତାଙ୍କ ଅବସ୍ଥା ହଠାତ୍ ଗୁରୁତର ହୋଇପଡ଼ିଥିଲା। ତୁରନ୍ତ ଗ୍ରାମବାସୀ ୧୦୮ ଆମ୍ବୁଲାନ୍ସ୍ ସହ ଯୋଗାଯୋଗ କରିଥିଲେ। ଆମ୍ବୁଲାନ୍ସ୍ ଆସି ଗାଁ ମୁଣ୍ଡରେ ପହଞ୍ଚିଥିଲା। ହେଲେ ଲଗାଣ ବର୍ଷା ହେତୁ ଗାଁର କଚ୍ଚାରାସ୍ତା କାଦୁଅରେ ଭର୍ତ୍ତି ହୋଇଥିବାରୁ ଆମ୍ବୁଲାନ୍ସ୍ କାଳେ ଫସିଯିବା ଭୟରେ ଚାଳକ ଆଉ ଆଗକୁ ଯାଇ ପାରି ନଥିଲେ। ଠିକ୍ ସମୟରେ ଅନ୍ୟ ଏକ କାର୍ ଉକ୍ତ ରାସ୍ତାରେ ଫସିଯାଇଥିଲା। ଗ୍ରାମବାସୀ ଠେଲି କାର୍‌ଟିକୁ କାଦୁଅ ଭିତରୁ ବାହାର କରିବା ବେଳକୁ ବିଳମ୍ବ ହୋଇଯାଇଥିଲା। ଆମ୍ବୁଲାନ୍ସ୍ ନ ଆସିପାରିବାରୁ ମହେନ୍ଦ୍ର ଘରେ ଗୁରୁତର ଅବସ୍ଥାରେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ।

ଏହି ଘଟଣାକୁ ନେଇ ଗ୍ରାମବାସୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେମାନଙ୍କ ଅଭିଯୋଗ ହେଉଛି, କେବଳ ପଞ୍ଚାୟତ ଏବଂ ସାଧାରଣ ନିର୍ବାଚନ ବେଳେ ଜନପ୍ରତିନିଧିଙ୍କ ଦେଖାମିଳୁଥିବା ବେଳେ ଅନ୍ୟ ସମୟରେ କୌଣସି ପ୍ରାଶାସନିକ ଅଧିକାରୀମାନଙ୍କ ପାଦ ପଡ଼ୁନାହିଁ। ଖଉମୁଣ୍ଡା ଠାରୁ ନବଗୁବା ମଧ୍ୟରେ ଥିବା ଏକ ପକ୍କା ମାଟି ରାସ୍ତା ଉପରେ ସୁଡ଼ୁଲିଖମାର ଜାମୁସାହିର ୯୦ ପରିବାରର ପ୍ରାୟ ୫୦୦ ଜନସାଧାରଣ ନିର୍ଭର କରୁଛନ୍ତି। ତୁରନ୍ତ ପ୍ରଶାସନ ଗ୍ରାମକୁ ସ୍ଥାୟୀ ପକ୍କା ରାସ୍ତା ତିଆରି ନକଲେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବୁ ଏବଂ ପ୍ରାଶାସନିକ ଅଧିକାରୀଙ୍କୁ ଗ୍ରାମରେ ପ୍ରବେଶ କରାଇଦେବୁନି ବୋଲି ରଞ୍ଜିତ ସିଂ, ରବୀନ୍ଦ୍ର ଗଣ୍ଡା, କୃଷ୍ଣଚନ୍ଦ୍ର ବେହେରା, ସନ୍ତୋଷ ସିଂ, ରାମଚନ୍ଦ୍ର କହଁର, ତିଳୋତ୍ତମା ଦଳଛତ୍ର, ସୁଷମା ସେଠୀ, ରଞ୍ଜନା ଦେହୁରୀ, ବାଲୁଙ୍କେଶ୍ୱର ଦଳଛତ୍ର, ବିପ୍ରଚରଣ ଦଳଛତ୍ର, ଅଜୟ କୁମାର ଦଳଛତ୍ର, ଆକାଶ ବେହେରା, ସଦାନନ୍ଦ ଭୁକ୍ତା, ଅରୁଣ କୁମାର ଗଣ୍ଡା ଓ ନିରଦ ଦେହୁରୀଙ୍କ ସମେତ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

The post କାଦୁଅରେ ଲାଖିଗଲା ଆମ୍ବୁଲାନ୍ସ, ଛଟପଟ ହୋଇ ଜୀବନ ଗଲା first appeared on Sambad.

from ଜିଲ୍ଲା | Sambad https://ift.tt/3G6JmZ1