କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର କନିକା ପାଠାଗାର କେବଳ ଏକ ପାଠାଗାର ନୁହେଁ, ଏହା ରାଜ୍ୟର ଏକ ପୁରାତନ ଐତିହ୍ୟ। ତେଣୁ ଏହି ଐତିହ୍ୟ ବା ପାଠାଗାର ସୁରକ୍ଷା ଓ ସଂରକ୍ଷଣ ଜରୁରୀ। ପାଠାଗାର‌ରେ ଥିବା ବହୁ ପୁରାତନ ବିରଳ ପୁସ୍ତକ ବା ଦଲିଲର ସଂରକ୍ଷଣ ମଧ୍ୟ ଅପରିହାର୍ଯ୍ୟ ହୋଇ ପଡିଛି ବୋଲି ଆଜି ଇନଟାକ୍ ଓ ରେଭନ୍ସା ବିଶ୍ବବିଦ୍ୟାଳୟ, ରେଭେନ୍ସା‌ ଡେଭଲପମେଣ୍ଟ ଟ୍ରଷ୍ଟ ସହିତ ‌ବିଶ୍ବବିଦ୍ୟାଳୟ ସିଣ୍ଡିକେଟ ସମ୍ମିଳନୀ କକ୍ଷ‌ରେ ଆୟୋଜିତ ଚୁକ୍ତିନାମା ସ୍ବାକ୍ଷର କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ ‌ରାଜ୍ୟସଭା ସାଂସଦ ଡକ୍ଟର ଅମର ପଟ୍ଟନାୟକ କହିଛନ୍ତି। ପୁସ୍ତକର ସଂରକ୍ଷଣ ପାଇଁ ଶ୍ରୀ ପଟ୍ଟନାୟକ ସାଂସଦ ପାଣ୍ଠିରୁ ୧୦ ଲକ୍ଷ ଟଙ୍କାର ଅନୁଦାନ ଦେଇଛନ୍ତି। ପାଇଲଟ ପ୍ରୋଜେକ୍ଟ ଭାବେ ବ‌ୈଷୟିକ ଆଧୁନିକ ଜ୍ଞାନକୌଶଳ ସହାୟତାରେ ପୁସ୍ତକ ଗୁଡିକର ସଂରକ୍ଷଣ କରାଯିବ। ଏଥିପାଇଁ ମୋଟ ୨୫ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ତେବେ ଏଥିପାଇଁ ରାଜ୍ୟସଭା ସାଂସଦଙ୍କ୧୦ଲକ୍ଷ ଟଙ୍କା ଅନୁଦାନ ସହିତ ରେଭେନ୍ସା ଡେଭଲପମେଣ୍ଟ୍ ଟ୍ରଷ୍ଟ ୫ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରିଛନ୍ତି।

୧୯୨୨‌ରେ ପ୍ରତିଷ୍ଠା ହୋଇଥିବା ଏହି ପାଠାଗାରରେ ଏବେ ଦୁଇ ଲକ୍ଷରୁ ଅଧିକ ପୁସ୍ତକ ରହିଛି। ତେବେ ଉନବିଂଶ ଓ ବିଂଶ ଶତାବ୍ଦୀର ବହୁ ବିରଳ ପୁସ୍ତକ, ଦଲିଲ ମଧ୍ୟ ଏହି ପାଠାଗାରରେ ରହିଛି। ଯାହା ଏବେ ନଷ୍ଟ ହେବାକୁ ବସିଛି। ପାଖାପାଖି ୫୦୦୦ରୁ ଅଧିକ ଏଭଳି ପୁସ୍ତକ ରହିଛି ଯାହାର ତୁରନ୍ତ ସଂରକ୍ଷଣ ଜରୁରୀ ହୋଇ ପଡିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ରେଭେନ୍ସା ଡେଭଲପମେଣ୍ଟ ଟ୍ରଷ୍ଟର ଉପଦେଷ୍ଟା ତଥା ଓଡ଼ିଶା ପୁଲିସର ପୂର୍ବତନ ମହାନିର୍ଦ୍ଦେଶକ ଅମୀୟ ଭୂଷଣ ତ୍ରିପାଠୀ ଏ ନେଇ ଉଦ୍ୟମ ଆରମ୍ଭ କରିଥିଲେ। ସରକାର କେବଳ ମଠ, ମନ୍ଦିରକୁ ଐତିହ୍ୟ ମାନତ୍ୟ ଦେଉଥିବା ‌ବେଳେ ପୁରାତନ କନିକା ପାଠାଗାର ମଧ୍ୟ ଏକ ଐତିହ୍ୟ ବୋଲି ଶ୍ରୀ ତ୍ରିପାଠୀ କହିଥିଲେ। ଏ ନେଇ ଶ୍ରୀ ତ୍ରିପାଠୀ ଇନଟାକର ବିଶେଷଜ୍ଞମାନଙ୍କୁ ପାଠାଗାର ପରିଦର୍ଶନ ପାଇଁ ନିମନ୍ତ୍ରଣ କରିଥିଲେ। ବିଶେଷଜ୍ଞମାନେ ପାଠାଗାର ପରିଦର୍ଶନ କରିବା ପରେ ଏହାର କିଭଳି ସଂରକ୍ଷଣ କରାଯାଇପାରିବ ସେ ସଂପର୍କରେ ପରାମର୍ଶ ଦେଇଥିଲେ। ଆଜି ଏହି ଚୁକ୍ତିନାମା ସ୍ବାକ୍ଷର କାର୍ଯ୍ୟକ୍ରମରେ ରେଭେନ୍ସା ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସଂଜୟ କୁମାର ନାୟକ, ରେଭେନ୍ସା ଡେଭଲପମେଣ୍ଟ ଟ୍ରଷ୍ଟର ଅଧ୍ୟକ୍ଷ ପ୍ରଫେସର ଡକ୍ଟର ସତ୍ୟକାମ ମିଶ୍ର, ଇନଟାକ ନିର୍ଦ୍ଦେଶିକା ମାଲିକା ମିତ୍ର, ପିଜି କାଉନସିଲର ଅଧ୍ୟକ୍ଷା ଅସୀମା ସାହୁ, ବରିଷ୍ଠ ନେତା ତ୍ରିଲୋଚନ କାନୁନଗୋ, ସଂଜୀବ କୁମାର ହୋତା, ପ୍ରଫେସର ଯତୀନ୍ଦ୍ର କୁମାର ନାୟକ, ପ୍ରଫେସର ପ୍ରଦୀପ୍ତ କୁମାର ମହାପାତ୍ର, ପ୍ରଫେସର ପଦନ କୁମାର ଜେନା, ଅଶୋକ କୁମାର ଦାସ, ଡକ୍ଟର ନେତାଜୀ ଅଭିନନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ ଐତିହାସିକ କନିକା ଲାଇବ୍ରେରି ଶତବାର୍ଷିକୀ ପାଳନ କରିବାକୁ ଯାଉଥିବା ବେଳେ ଅସୁରକ୍ଷିତ କୋଠାର ମରାମତିକୁ ନେଇ ଏବେ ଏଥିରେ ତାଲା ପଡିଛି। ‘ସମ୍ବାଦରେ ଏ ସଂକ୍ରାନ୍ତରେ ଏକ ସ୍ବତନ୍ତ୍ର ରିପୋର୍ଟ ପ୍ରକାଶ ପାଇଥିଲା।

The post ରେଭେନ୍ସା କନିକା ପାଠାଗାର ପୁସ୍ତକ ଓ ଦଲିଲ ସଂରକ୍ଷଣ ପାଇଁ ପ୍ରୟାସ: ଇନଟାକ୍ ସହିତ ଚୁକ୍ତିନାମା ସ୍ବାକ୍ଷର, ଖର୍ଚ୍ଚ ହେବ ୨୫ ଲକ୍ଷ ଟଙ୍କା first appeared on Sambad.

from ଜିଲ୍ଲା | Sambad https://ift.tt/3l1XcmD