
ପୁରୀ : ଦିନେ ଯେଉଁ ସ୍ଥାନ ଅଲିଭ୍ ରିଡ୍ଲେଙ୍କ ମିଳନସ୍ଥଳ ସାଜିଥିଲା, ତାହା ଏବେ ମରଣଯନ୍ତା। ହଜାର ହଜାର କଇଁଛଙ୍କ ମିଳନ ଓ ଅଣ୍ଡାଦାନର ଆକର୍ଷଣ କେନ୍ଦ୍ର ଏବେ ଏହି ଅତିଥି ଜୀବଙ୍କ ପାଇଁ ଅଲୋଡ଼ା। ଆଜି ବି ସେଇ ଦେବୀ ମୁହାଣ ଅଲିଭ୍ ରିଡ୍ଲେଙ୍କୁ ସ୍ବାଗତ ପାଇଁ ଅପେକ୍ଷା କରିଛି, କିନ୍ତୁ ନିର୍ଦ୍ଦୟ ମଣିଷ ଓ ଉଦାସୀନ ଅଧିକାରୀମାନେ ତାହା କରାଇ ଦେଉନାହାନ୍ତି। ଗଣ ଅଣ୍ଡାଦାନ ଋତୁ ଆସିଲେ ଘନଘନ ବୈଠକ ହେଉଛି। ସୁରକ୍ଷା ପାଇଁ ଏସ୍ଓପି ଜାରି ହେଉଛି। ମାତ୍ର କାମ ବେଳକୁ କାହାର ଦେଖା ମିଳୁନାହିଁ। ତେଣୁ ୩୦ ହଜାରରୁ ଅଧିକ ଅଲିଭ୍ ରିଡ୍ଲେଙ୍କ ମିଳନ ହେଉଥିବା ଏହି ମୁହାଣରେ ଅଣ୍ଡାଦାନ ଋତୁରେ ହଜାର ହଜାର କଇଁଛଙ୍କ ଶବ ଦେଖିବାକୁ ମିଳୁଛି। ଅଲିଭ୍ ରିଡ୍ଲେ ମଧ୍ୟ ବନ୍ୟଜନ୍ତୁ ସଂରକ୍ଷଣ ଆଇନ ମୁତାବକ ସିଡ୍ୟୁଲ-୧ ଶ୍ରେଣୀର। କିନ୍ତୁ ଗହୀରମଥା ଓ ଋଷିକୂଲ୍ୟାରେ ଅଲିଭ୍ରିଡ୍ଲେଙ୍କ ମିଳନ ପାଇଁ ଯେପରି ବନ୍ଦୋବସ୍ତ ଓ ଆଇନ୍ କଡ଼ାକଡ଼ି ହେଉଛି ତାହା ଦେବୀ ମୁହାଣରେ ଦେଖିବାକୁ ମିଳୁନାହିଁ।

୧୯୯୭ ମସିହାରେ ଶେଷଥର ପାଇଁ ଦେବୀ ମୁହାଣରେ ୩୫ହଜାର ୪ଶହରୁ ଅଧିକ ଅଲିଭ୍ ରିଡ୍ଲେଙ୍କ ଆଗମନ ହୋଇଥିଲା। କୋଷ୍ଟାରିକାରୁ ପ୍ରାୟ ୪୫ ହଜାର କିଲୋମିଟର ସାମୁଦ୍ରିକ ପଥ ଅତିକ୍ରମ କରି କଇଁଛମାନେ ଏହି ଉପକୂଳ ଅଞ୍ଚଳକୁ ଭରସାରେ ଛୁଟି ଆସୁଥିଲେ। ଏହାକୁ ଦୃଷ୍ଟିରେ ରଖି ସରକାର ନଭେମ୍ବର ମାସରୁ ଏପ୍ରିଲ୍ ପର୍ଯ୍ୟନ୍ତ ସମୁଦ୍ର କୂଳଠାରୁ ୨୦କିଲୋମିଟର ଅଞ୍ଚଳ ପର୍ଯ୍ୟନ୍ତ ନିଷିଦ୍ଧାଞ୍ଚଳ ଘୋଷଣା କରୁଛନ୍ତି। ବନବିଭାଗ, ତଟରକ୍ଷୀ ବାହିନୀ, ମେରାଇନ୍ ପୁଲିସ୍ ସମେତ ପରିବେଶ କର୍ମୀଙ୍କୁ ନେଇ ହେଡ୍କ୍ବାର୍ଟରରେ ବୈଠକ ବସୁଛି। ତେବେ ଋଷିକୂଲ୍ୟା ଓ ଗହୀରମଥାକୁ ଯେତିକି ଗୁରୁତ୍ବାରୋପ କରାଯାଏ ସେଇ ବୈଠକର ପ୍ରଭାବ ଦେବୀ ମୁହାଣ ଉପରେ ସେତିକି ପଡ଼େ ନାହିଁ।
ନିଷିଦ୍ଧାଞ୍ଚଳ ଘୋଷଣା ସତ୍ତ୍ବେ ଦେବୀ ମୁହାଣର ପ୍ରାୟ ୨୦ କିମି ପରିମିତ ସାମୁଦ୍ରିକ ଅଞ୍ଚଳରେ ଶତାଧିକ ଟ୍ରଲର ବୁଲୁଥାଏ। ମୋଟର ଚାଳିତ ଡଙ୍ଗାରେ ମଧ୍ୟ ମାଛ ଧରା ଚାଲେ। ଯଦିଓ ମାଛ ଧରିବାରେ ରୋକ୍ ଲଗାଯାଇ ମତ୍ସ୍ୟଜୀବୀମାନଙ୍କୁ କିଛି ଆର୍ଥିକ ସହାୟତା ସରକାର ପ୍ରଦାନ କରନ୍ତି, କିନ୍ତୁ ତାହା ସମସ୍ତ ମତ୍ସ୍ୟଜୀବୀ ପାଆନ୍ତି ନାହିଁ। ତେଣୁ ମାଛ ଧରା କମିଯାଏ ସିନା, ବନ୍ଦ ହୁଏ ନାହିଁ। ଏସବୁ ତଟରକ୍ଷୀ ବାହିନୀ, ବନ ବିଭାଗ, ମେରାଇନ୍ ପୁଲିସ୍ର ଅଧିକାରୀମାନେ ଜାଣନ୍ତି। କିନ୍ତୁ କେହି ବି ଟ୍ରଲର ଓ ମୋଟର ଚାଳିତ ଡଙ୍ଗା ଚାଲିବା ଉପରେ ରୋକ୍ ଲଗାନ୍ତି ନାହିଁ। ପରିବେଶକର୍ମୀଙ୍କ କହିବା ମୁତାବକ, ଏବେ ମାତ୍ର ଏଠାରୁ ୩ଶହରୁ ୫ଶହ ଅଣ୍ଡା ସଂଗ୍ରହ କରି କୃତ୍ରିମ ଉପାୟରେ ଏହାକୁ ଫୁଟାଇବା ବ୍ୟବସ୍ଥା କରାଯାଉଛି। ତେବେ ମୃତାହତ ହେଉଥିବା କଇଁଛଙ୍କ ସଂଖ୍ୟା ୩ହଜାରରୁ ଅଧିକ। ଯଦିଓ ସରକାରୀ ହିସାବରେ ମାତ୍ର ୨ଶହରୁ ୩ଶହ କଇଁଛ ମରିଥିବା ଦେଖାଯାଏ, କିନ୍ତୁ ବାସ୍ତବ କଥାକୁ ଘଣ୍ଟ ଘୋଡ଼ାଯାଏ ବୋଲି ଅସ୍ତରଙ୍ଗର ପରିବେଶକର୍ମୀମାନେ କହିଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଲା ଟ୍ରଲରରେ ଟେଡ୍ ନେଟ୍ ତଥା ଟର୍ଟଲ୍ ଏକ୍ସକ୍ଲୁସିଭ୍ ଡିଭାଇସ୍ ଲଗାଇବା ପାଇଁ ନିର୍ଦ୍ଦେଶ ରହିଥିଲେ ହେଁ ଏହାକୁ ମଧ୍ୟ କେହି ବ୍ୟବହାର କରନ୍ତି ନାହିଁ। ଅନ୍ୟ ପକ୍ଷରେ ପାଟ୍ରୋଲିଂ ପାଇଁ ନିର୍ଦ୍ଦେଶ ରହିଥିଲେ ହେଁ ଅସ୍ତରଙ୍ଗ ବନ ବିଭାଗ ନିକଟରେ ପାଟ୍ରୋଲିଂ ପାଇଁ ଆବଶ୍ୟକ ବୋଟ୍ଟିଏ ବି ନାହିଁ। ଏହି ବିରଳ ପ୍ରଜାତିର ଅତିଥି ଜୀବ ଅଲିଭ୍ ରିଡ୍ଲେକୁ ସରକାର ମାସ୍କଟ ଭାବେ ଚୟନ କରିଛନ୍ତି। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଏ ସମ୍ପର୍କରେ ‘ଓଲି’ ସୂଚନା ଦେଉଛି। କିନ୍ତୁ ବାସ୍ତବରେ ହଜାର ହଜାର ଓଲି ବିପଦରେ ପଡ଼ୁଛନ୍ତି। ତେଣୁ ନୀତି ପ୍ରଣୟନ କରିବାରେ ସରକାର ଯେତିକି ତତ୍ପରତା ଦେଖାଉଛନ୍ତି, ସେତିକି ଆନ୍ତରିକତା ଯଦି କାର୍ଯ୍ୟସ୍ଥଳରେ ଦେଖାନ୍ତେ ତେବେ ଦେବୀ ମୁହାଣ ପୁଣି ଅଲିଭ୍ ରିଡ୍ଲେଙ୍କ ପାଇଁ ଗଣ ଅଣ୍ଡାଦାନର ସୁରକ୍ଷିତ ସ୍ଥଳରେ ପରିଣତ ହୋଇପାରନ୍ତା ବୋଲି ପରିବେଶକର୍ମୀମାନେ କହିଛନ୍ତି।
The post ‘ଅଲିଭ୍ ରିଡ୍ଲେ’ଙ୍କୁ ବିପଦ ଦେବୀ ମୁହାଣ, ନୀତି ପ୍ରଣୟନ ହେଉଛି, କାର୍ଯ୍ୟକାରୀ ହେଉନି first appeared on Sambad.from ଜିଲ୍ଲା | Sambad https://ift.tt/3vbHj0u
0 Comments