ସୁନ୍ଦରଗଡ଼: ‘ଭାରତର ସ୍ବାଧୀନତା ଆନ୍ଦୋଳନ ଠାରୁ ନିଜ ଜାତି ସଂସ୍କୃତି, ପରମ୍ପରା ଓ ହକ୍, ସମ୍ମାନ ରକ୍ଷା କରିବା ଯାଏ ଆଦିବାସୀ ଲଢ଼େଇ କରି ଆସିଛି। ଏବେ ବି ଜଳ, ଜମି ଓ ଜଙ୍ଗଲ ପାଇଁ ସଂଗ୍ରାମ ଥମି ନାହିଁ। ଶୋଷଣର ଅନ୍ତ ଯାଏ ପ୍ରକୃତିର ଏହି ସନ୍ତାନ ମାନଙ୍କ ଲଢ଼େଇ ଜାରି ରହିବ’। ଏହି ବାର୍ତ୍ତା ନେଇ ବାଲିଶଙ୍କରା ବ୍ଲକ ଅନ୍ତର୍ଗତ ଗିଧପାହାଡି (ଲକିପରା) ଠାରେ ୫ ଦିନ ଧରି ଚାଲିଥିବା ଆଠକୋଶିଆ ଆଦିବାସୀ ଏକତା ମଞ୍ଚ ୧୭ ତମ ବାର୍ଷିକ ଉତ୍ସବ ଉଦଯାପିତ ହୋଇଯାଇଛି। ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଜିଲ୍ଲା କ୍ରୀଡ଼ା ଅଧିକାରୀ ଅଭୟ କୁମାର ପଟ୍ଟନାୟକ ଯୋଗ ଦେଇ ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରାରେ ହକି ଅଲିମ୍ପିଆନ୍ ଜନ୍ମ ନେଇଛନ୍ତି, ସେହିପରି ଆଗକୁ ବିଭିନ୍ନ କ୍ଷେତ୍ରରେ ଏ ଅଞ୍ଚଳର ଯୁବଶକ୍ତି ସୁନାମ ଆଣନ୍ତୁ ବୋଲି କହିଥିଲେ। ଏହି ଅବସରରେ ସେ ଉଭୟ ପୁଅ ଝିଅଙ୍କ ପାଇଁ ସୁନ୍ଦରଗଡ଼ରେ ହକି ନର୍ସରୀ ଖୋଲଯିବାକୁ ଯୋଜନା ଥିବା ସୂଚନା ଦେଇଥିଲେ। ସମ୍ମାନିତ ଅତିଥି ରୂପେ ବେହେରାଡିହି ସରପଞ୍ଚ ପ୍ରତିମା ଧୃଆ ଯୋଗ ଦେଇ ସଂଗଠନକୁ ଆହୁରି ସୁଦୃଢ କରିବା ଓ ଆଦିବାସୀଙ୍କ ସର୍ବକାଳୀନ ସ୍ବର ହେବାକୁ ଆହ୍ବାନ ଦେଇଥିଲେ।

ଏହା ପରେ ସଂଗଠନର ଶପଥ ପାଠ କରାଯାଇଥିଲା। ଉତ୍ସବରେ ଆୟୋଜିତ ୧୦ଟି ପ୍ରତିଯୋଗିତାର ବିଜୟୀ ଓ ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ପାରମ୍ପରିକ ପିଠା ପ୍ରତିଯୋଗିତାରେ ୧୨ ପ୍ରକାର ପିଠା ତିଆରି କରି କରି ନିରାଳୀ କୁଜୁର ପ୍ରଥମ, ନନ୍ଦିନୀ ମିଂଜ଼ ଦ୍ୱିତୀୟ ପୁରସ୍କାର ପାଇଥିଲେ। ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମରେ ଜୋରାଜକ୍ଷମ ପ୍ରଥମ ଓ ସାହେବଡେରା ଦ୍ୱିତୀୟ ସ୍ଥାନ, ବରିଷ୍ଠ ପୁରୁଷ ହକିରେ ଗବରଧରା ଓ ବାଳକ ହକିରେ କଲିଆଟାଙ୍ଗର ବିଜେତା ହୋଇ ପୁରସ୍କାର ପାଇଥିଲେ। କାର୍ଯ୍ୟକ୍ରମକୁ ଆଠକୋଶିଆ ଆଦିବାସୀ ଏକତା ମଞ୍ଚ ସଭାନେତ୍ରୀ ନୀଳିମା ଟପ୍ନୋ, ଅବ୍ରାହମ ଲାକଡା, ଅବ୍ରହାମ ତିର୍କୀ, ବିନୋଦ କୁଜୁର, ସୁପ୍ରିୟାନ ଖାଖା, ପ୍ରଦୀପ କୁଜୁର, ସିଂହାସନ ଲାକଡା, କମଳା କୁଜୁର, ବିମଳା ଏକ୍କା, ଅହଲ୍ୟା ସା ପରିଚାଳନା କରିଥିଲେ।

The post ଆଠକୋଶିଆ ଆଦିବାସୀ ଏକତା ମଞ୍ଚ ବାର୍ଷିକ ଉତ୍ସବ ଉଦଯାପିତ  first appeared on Sambad.

from ଜିଲ୍ଲା | Sambad https://ift.tt/3vBLhQl