ଜୟପୁର: ଜୟପୁର ବ୍ଲକ ଅର୍ନ୍ତଗତ ଆମ୍ବାଗୁଡ଼ାର ସୁବାସ ଗୌଡ଼ଙ୍କ ୨୦ବର୍ଷର ପୁଅ ସୁବ୍ରତ ଗୌଡ଼ ନଡ଼ିଆ ଗଛରୁ ଖସି ଗୁରୁତର ହୋଇ ପଡ଼ିଥିଲେ। ଚିକିତ୍ସାଧୀନ ଅବସ୍ଥାରେ କଟକରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ଗତ ୧୨ଦିନ ତଳେ ନିଜ ବାଡିରେ ଥିବା ନଡ଼ିଆ ଗଛରୁ ନଡ଼ିଆ ତୋଳିବା ପାଇଁ ସୁବ୍ରତ ଗଛ ଉପରେ ଚଢ଼ିଥିଲେ। ଅଚାନକ ତାଙ୍କର ଗୋଡ଼ ଗଛରୁ ଖସି ଯାଇଥିଲା। ସେ ଉପରୁ ତଳେ ପଡ଼ି ଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଜୟପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ଅଣାଯାଇଥିଲା।

ତେବେ ସେ ସଂକଟାପନ୍ନ ହେବାରୁ କୋରାପୁଟ ବଡ଼ ଡାକ୍ତରଖାନା, ବ୍ରହ୍ମପୁର ବଡ଼ ଡାକ୍ତରଖାନା ଓ କଟକ ବଡ଼ ଡାକ୍ତରଖାନାକୁ ନିଆଯାଇଥିଲା। ଠିକଣା ସମୟରେ ସେଠାରେ ଚିକିତ୍ସା ସେବା ନ ମିଳିବାରୁ ପରିବାରବର୍ଗ କଟକରେ ଏକ ଘରୋଇ ଡାକ୍ତରଖାନାକୁ ନେଇ ଭର୍ତ୍ତି କରିଥିଲେ। ସେଠାରେ ଗତକାଲି ତାଙ୍କର ଅସ୍ତ୍ରୋପଚାର କରିବାର ଥିଲା। ତେବେ ତାହା ହେବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ମୃତ ସୁବ୍ରତ ଆମ୍ବାଗୁଡ଼ା ଗୋପବନ୍ଧୁ ଆଇଟିଆଇର ଛାତ୍ର ଥିବା ସୂଚନା ମିଳିଛି। ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି |

The post ନଡ଼ିଆ ଗଛରୁ ଖସି ଆଇଟିଆଇ ଛାତ୍ରର ମୃତ୍ୟୁ first appeared on Sambad.

from ଜିଲ୍ଲା | Sambad https://ift.tt/3BnTEjH