
ଖୋର୍ଦ୍ଧା: ପୁଣି କିଛି ମାସର ବ୍ୟବଧାନ ପରେ ଖୋର୍ଦ୍ଧା ଉପକଣ୍ଠ ସାରୁଅ ଶିଳ୍ପାଂଚଳ ନିକଟରେ ବେଆଇନ ଖନନ ଓ ନିର୍ମାଣକୁ ନେଇ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ଆଜି ଏନେଇ ଗୌଡ଼ୁପୁଟ ଗାଁର ଲୋକମାନେ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ଆଜି ପୂର୍ବାହ୍ନରେ ଗୌଡ଼ୁପୁଟ ଗାଁର ଲୋକମାନେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟକୁ ଆସି ବେଆଇନ ଖନନ ବନ୍ଦ କରିବାକୁ ଲିଖିତ ଅନୁରୋଧ କରିଛନ୍ତି। ଅଭିଯୋଗକାରୀ ତଥା ଗ୍ରାମବାସୀ ପ୍ରଫୁଲ୍ଲ ଚନ୍ଦ୍ର ପାଇକରାୟଙ୍କ କହିବାନୁସାରେ, ଗାଁର ଗୋଚର ଜମି, ସରକାରୀ ଜମି ଆଦି ଖାଲି ପଡ଼ିଆକୁ କେତେକ ବ୍ୟକ୍ତି ଜେସିବି ଲଗାଇ ବେଆଇନ ଭାବେ ଖନନ କରି ମାଟି ବୋହି ନେଉଛନ୍ତି। ଫଳରେ ଗାଁକୁ ଯୋଗାଯୋଗ କରୁଥିବା ରାସ୍ତା ସଂପୂର୍ଣ୍ଣ ରୂପେ ଖୋଳି ହୋଇଯିବା ସହ ଯାନବାହନ ଚଳପ୍ରଚଳ ହୋଇ ପାରୁନାହିଁ।
ଏନେଇ ଗାଁ ଲୋକ ପ୍ରତିବାଦ କରିଥିଲେ, କିନ୍ତୁ ସେମାନେ ଓଲଟି ଧମକଚମକ ଦେଉଛନ୍ତି। ଏହା ମଧ୍ୟରେ ୧୨ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ହୋଇଗଲାଣି କିନ୍ତୁ ସେମାନେ ନିଜର ଖନନ କାର୍ଯ୍ୟ ବନ୍ଦ କରିନାହାଁନ୍ତି। ଯଦି ଏହି ଖନନ ବନ୍ଦ କରାନଯାଏ ତେବେ ଅଂଚଳରେ ଅସନ୍ତୋଷ ସହ ଗଣ୍ଡଗୋଳ ଘଟିବା ସମ୍ଭାବନା ରହିଛି। ଅନ୍ୟଜଣେ ଗ୍ରାମବାସୀ ବିପିନ ବିହାରୀ ସାମନ୍ତରାୟ କହିଛନ୍ତି ଯେ ପୂର୍ବେ ମଧ୍ୟ ଏହି ଗୋଷ୍ଠୀ ସାରୁଅ ଅଂଚଳରେ ଏଭଳି ବେଆଇନ ଖନନ କରିବା ନେଇ ଗଣ୍ଡଗୋଳ ହୋଇଥିଲା। ବର୍ତ୍ତମାନ ପୁଣି ଥର ଖନନ ଆରମ୍ଭ କରାଯାଇଛି। ଏନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆଗାମୀ ଦିନରେ ଅଂଚଳରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ ବୋଲି ଗ୍ରାମବାସୀ କହିଛନ୍ତି।
The post ବେଆଇନ ଖନନ ବିରୋଧରେ ଗ୍ରାମବାସୀଙ୍କ ପ୍ରତିବାଦ first appeared on Sambad.from ଜିଲ୍ଲା | Sambad https://ift.tt/3v9Nrq3
0 Comments