ନଭେମ୍ବର ୨୬ରୁ ସୁନ୍ଦରଗଡ଼ରେ ରାଜ୍ୟସ୍ତରୀୟ ବରିଷ୍ଠ କବାଡ଼ି

ସୁନ୍ଦରଗଡ଼: କ୍ରୀଡ଼ା କ୍ଷେତ୍ରରେ ସୁନ୍ଦରଗଡ଼ ଜିଲ୍ଲା ରାଜ୍ୟ ତଥା ଦେଶରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଏହି ପରମ୍ପରାକୁ ଆଗେଇ ନେଉଛି ଜିଲ୍ଲା କ୍ରୀଡ଼ା ସଂସଦ। ନିକଟ ଅତୀତରେ ରାଜ୍ୟସ୍ତରୀୟ ଅନ୍ତଃଜିଲ୍ଲା ପୁରୁଷ ଫୁଟବଲ ପ୍ରତିଯୋଗିତା ସାହାଣୀ କପ୍ ଓ ଜିଲ୍ଲାସ୍ତରୀୟ ଅନ୍ତଃବ୍ଲକ୍ ଫୁଟବଲ ଚାମ୍ପିଅନସିପ୍ ଆୟୋଜନ କରି ଅନେକ ସୁନାମ ସାଉଁଟିଥିବା କ୍ରୀଡ଼ା ସଂସଦ ବର୍ତ୍ତମାନ ଓଡ଼ିଶା କବାଡ଼ି ଆସୋସିଏସନ୍ ସହ ମିଳିତ ଭାବେ ୬୯ତମ ରାଜ୍ୟସ୍ତରୀୟ ବରିଷ୍ଠ ପୁରୁଷ ଓ ମହିଳା କବାଡ଼ି ଆୟୋଜନ କରିବାକୁ ଯାଉଛି।

ରାଜ୍ୟ କବାଡ଼ି ଇତିହାସରେ ପ୍ରଥମ ଥର ପାଇଁ ସୁନ୍ଦରଗଡ଼ରେ ଆସନ୍ତା ନଭେମ୍ବର ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ୨୬ଟି ପୁରୁଷ ଓ ୨୦ଟି ମହିଳା ଦଳକୁ ନେଇ ଏହି ପ୍ରତିଯୋଗିତା ଆୟୋଜିତ ହେବ। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ବିକାଶ ଭବନ ପରିସରରେ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ଉନ୍ମୋଚିତ ହୋଇଯାଇଛି ପ୍ରତିଯୋଗିତାର ଟ୍ରଫି। ମୁଖ୍ୟ ଅତିଥି ଭାବେ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଯୋଗ ଦେଇ ଟ୍ରଫି ଉନ୍ମୋଚନ କରିଥିଲେ। ଏକ ନିଆରା ଢଙ୍ଗରେ ଡ୍ରୋନ ଦ୍ଵାରା ଏହି ଉନ୍ମୋଚନ ଅତ୍ୟନ୍ତ ଚିତ୍ତାକର୍ଷକ ହୋଇଥିଲା।

ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବରେ ସଦର ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା ଓ ଜିଲ୍ଲା କ୍ରୀଡ଼ା ଅଧିକାରୀ ତେଜ କୁମାର ଖେସ ଉପସ୍ଥିତ ଥିଲେ। ପ୍ରକାଶଯୋଗ୍ୟ, କରୋନା ମହାମାରୀ ଯୋଗୁଁ ଗତ ଦୁଇ ବର୍ଷ ଧରି ଏହି ପ୍ରତିଯୋଗିତା ଆୟୋଜିତ ହୋଇ ପାରିନଥିଲା। ଜିଲ୍ଲା କ୍ରୀଡ଼ା ସଂସଦ ସାଧାରଣ ସଂପାଦକ ପ୍ରଭାତ କୁମାର ଭୋଳଙ୍କ ଅନବରତ ପ୍ରୟାସରେ ଚଳିତ ବର୍ଷ ପାଇଁ ଆୟୋଜକ ଭାବରେ ଓଡ଼ିଶା କବାଡ଼ି ସଂଘ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ପ୍ରସ୍ତାବ ଅନୁମୋଦିତ କରିଥିଲା। ଏହି ପ୍ରତିଯୋଗିତାରୁ ଉତ୍ତମ ଖେଳ ପ୍ରଦର୍ଶନ କରିଥିବା ଖେଳାଳିମାନଙ୍କୁ ଚୟନ କରାଯାଇ ଆସନ୍ତା ଜାତୀୟ ପ୍ରତିଯୋଗିତା ପାଇଁ ରାଜ୍ୟ ଦଳ ପ୍ରସ୍ତୁତ କରାଯିବ ବୋଲି ଓଡ଼ିଶା କବାଡି ସଂଘ ସଂପାଦକ ଅଜୟ କୁମାର ବେହେରା କହିଛନ୍ତି। ଟ୍ରଫି ଉନ୍ମୋଚନ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କ୍ରୀଡ଼ା ସଂସଦ ସହସମ୍ପାଦକ ଜୟଦେବ ପାତ୍ର, ଉପସଭାପତି ଚିତ୍ତରଞ୍ଜନ ବହିଦାର, ରାଜେନ୍ଦ୍ର ମହାନ୍ତି, ପୌଷଚନ୍ଦ୍ର ପଟେଲ, ପ୍ରସନ୍ନ ବେହେରା ତଥା ସଦସ୍ୟ ରୋମାଞ୍ଚ ଭାଇଁସାଲ, ନିତ୍ୟ କୁମାର ବଳ, ବିମଳ ବୋଷ, ବୀରମିତ୍ର କାଲୋ, ପ୍ରଶାନ୍ତ ପଟେଲ, ଶିଶିର ପଟେଲ, ପ୍ରସାଦ ନାଏକ, ଆଶିଷ ଦେ, ଅଶ୍ଵିନୀ ଭୋଳ ଓ ବିଶ୍ବରଂଜନ ହୋତାଙ୍କ ସମେତ ପ୍ରାକ୍ତନ ଜାତୀୟ ଖେଳାଳୀ ଆନନ୍ଦ ମିଶ୍ର, ଦାମୋଦର ସା ଉପସ୍ଥିତ ଥିଲେ। କ୍ରୀଡ଼ା ସଂସଦ ସାଧାରଣସମ୍ପାଦକ ଶ୍ରୀ ଭୋଳଙ୍କ ପ୍ରତ୍ୟକ୍ଷ ତତ୍ତ୍ବାଧାନରେ ଅନୁଷ୍ଠିତ ଏହି ଉତ୍ସବରେ ଦୀନବନ୍ଧୁ ଭିତ୍ରିଆ, ରାଜେନ୍ଦ୍ର ପଣ୍ଡା, ରାଜା ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ।

The post ନଭେମ୍ବର ୨୬ରୁ ସୁନ୍ଦରଗଡ଼ରେ ରାଜ୍ୟସ୍ତରୀୟ ବରିଷ୍ଠ କବାଡ଼ି first appeared on Sambad.

from ଜିଲ୍ଲା | Sambad https://ift.tt/3bbkRM1

Post a Comment

0 Comments