ରାଉରକେଲା: ପାନପୋଷ କ୍ରୀଡ଼ା ଛାତ୍ରାବାସ ପରିସରରେ ଚାଲିଥିବା ରାଜ୍ୟସ୍ତରୀୟ ନେହରୁ କପ୍‌ ହକି ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି। ମଙ୍ଗଲବାର ଖେଳାଯାଇଥିବା କନିଷ୍ଠ ବାଳକ ବର୍ଗରେ ଟାଉନ ହାଇସ୍କୁଲ(ସୁନ୍ଦରଗଡ଼) ଦଳ ଓ ଉପକନିଷ୍ଠ ବାଳକ ବର୍ଗରେ ମ୍ୟୁନିସିପାଲ ହାଇସ୍କୁଲ(ରାଉରକେଲା) ଚାମ୍ପିଅନ ହୋଇଛି। ପ୍ରକାଶଥାଉକି, ରବିବାର ଖେଲାଯାଇଥିବା କନିଷ୍ଠ ବାଳିକା ବର୍ଗରେ ଟାଉନ ହାଇସ୍କୁଲ ଦଳ ଚାମ୍ପିଅନ ହୋଇଥିଲା।

ଆଜି କନିଷ୍ଠ ବାଳକ ବର୍ଗର ଫାଇନାଲ ମ୍ୟାଚ୍‌ ଟାଉନ ହାଇସ୍କୁଲ ଓ ରବଗା ମଝାପଡ଼ା(ସୁନ୍ଦରଗଡ଼) ମଧ୍ୟରେ ଖେଳାଯାଇଥିଲା। ଏଥିରେ ଟାଉନ ହାଇସ୍କୁଲ ୫-୨ ଗୋଲରେ ବିପକ୍ଷଙ୍କୁ ପରାସ୍ତକରି ଚାମ୍ପିଅନ ହୋଇଛି। ସେହିଭଳି ଉପକନିଷ୍ଠ ବାଳକ ବର୍ଗରେ ମ୍ୟୁନିସିପାଲ ହାଇସ୍କୁଲ ଦଳ ୪-୧ ଗୋଲରେ ଟାଉନ ହାଇସ୍କୁଲକୁ ପରାସ୍ତକରି ବିଜେତା ହୋଇଛି । ପ୍ରତିଯୋଗିତାର ବିଜେତା ଦଳ ନୂଆଦିଲ୍ଲୀରେ ହେବାକୁ ଥିବା ଜାତୀୟ ନେହରୁ କପ୍‌ ହକି ପ୍ରତିଯୋଗିତାରେ ଭାଗନେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ବର୍ଣ୍ଣାଡ୍‌ ଲାକ୍ରା ଓ ସରୋଜିନୀ ଏକ୍କା ମ୍ୟାଚ୍‌ ପରିଚାଳନା କରିଥିଲେ। ସୂଚନାଯୋଗ୍ୟ, ତିନିଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାରେ କନିଷ୍ଠ ବାଳିକା ବର୍ଗରେ ଟାଉନ ହାଇସ୍କୁଲ(ସୁନ୍ଦରଗଡ଼), ବୀର୍ସା ମୁଣ୍ଡା ବିଦ୍ୟାପୀଠ(ରାଉରକେଲା), ସୁଲକ୍ଷଣା ଦେବୀ ହାଇସ୍କୁଲ(ଢ଼େଙ୍କାନାଳ) ଓ ରବଗା ମଝା ହାଇସ୍କୁଲ(ସମ୍ବଲପୁର) ଦଳ ଅଂଶଗ୍ରଗହଣ କରିଥିବାବେଳେ କନିଷ୍ଠ ବାଳକ ବର୍ଗରେ ଟାଉନ ହାଇସ୍କୁଲ(ସୁନ୍ଦରଗଡ଼), ଦୁଧିଆନାଳୀ ହାଇସ୍କୁଲ(ଦେବଗଡ଼), ରବଗା ମଝାପଡ଼ା ହାଇସ୍କୁଲ(ସମ୍ବଲପୁର), ନବଜ୍ୟୋତି ହାଇସ୍କୁଲ, କେରଙ୍ଗା(ଅନୁଗୁଳ) ଓ ବି.ବି. ହାଇସ୍କୁଲ(ଢ଼େଙ୍କାନାଳ) ଏବଂ ଉପକନିଷ୍ଠ ବାଳକ ବର୍ଗରେ ବୀର୍ସା ମୁଣ୍ଡା ବିଦ୍ୟାପୀଠ(ରାଉରକେଲା), ଟାଉନ ହାଇସ୍କୁଲ(ସୁନ୍ଦରଗଡ଼), ସୌଦାମିନୀ ବିଦ୍ୟାପୀଠ(ଢ଼େଙ୍କାନାଳ) ଓ ରବଗା ମଝାପଡ଼ା(ସମ୍ବଲପୁର) ଦଳ ଅଂଶଗ୍ରହଣ କରିଥିଲେ। ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟଅତିଥି ଅନ୍ତର୍ଜାତୀୟ ମହିଳା ହକି ଖେଳାଳି ଅଞ୍ଜନା ବାର୍ଲା, ପୂର୍ବତନ ପ୍ରଶିକ୍ଷକ ସିଲଭେଷ୍ଟର ଟପ୍ପୋ ପ୍ରମୁଖ ଯୋଗଦେଇଥିଲେ। ପ୍ରତିଯୋଗିତା ଆୟୋଜନରେ ଜିଲ୍ଲା କ୍ରୀଡ଼ାଧିକାରୀ ତେଜ କୁମାର ଖେସ୍‌, ପାନପୋଷ କ୍ରୀଡ଼ା ଛାତ୍ରବାସର ଭାରପ୍ରାପ୍ତ ଅଧିକାରୀ ବିଜୟ ଲାକ୍ରା, କୋଚ୍‌ ଅମୂଲ୍ୟାନନ୍ଦ ବେହେରା, ଫ୍ଲୋରେନ୍ସିଆ ଲାକ୍ରା, ଅମୂଲ୍ୟ ବେହେରା, ପିଟର ସୋରେଙ୍ଗ ପ୍ରମୁଖ ଭୂମିକା ତୁଲାଇଥିଲେ ।

The post ସରିଲା ରାଜ୍ୟସ୍ତରୀୟ ନେହେରୁ କପ୍‌ ହକି : କନିଷ୍ଠରେ ଟାଉନ୍‌ ହାଇସ୍କୁଲ, ଉପକନିଷ୍ଠରେ ମ୍ୟୁନିସିପାଲ ହାଇସ୍କୁଲ ବିଜେତା first appeared on Sambad.

from ଜିଲ୍ଲା | Sambad https://ift.tt/3mfQvOs