
ବାରିପଦା: ବିଭିନ୍ନ ପର୍ଯ୍ୟଟନ ସ୍ଥଳର ଉନ୍ନତି ପାଇଁ କେନ୍ଦ୍ର ଓ ରାଜ୍ୟ ପର୍ଯ୍ୟଟନ ବିଭାଗର ବରିଷ୍ଠ ଅଧିକାରୀମାନେ ଦୁଇଦିନିଆ ମୟୂରଭଞ୍ଜ ଗସ୍ତ କରିଛନ୍ତି। ବହୁ ପର୍ଯ୍ୟଟନ କ୍ଷେତ୍ର ପରିଦର୍ଶନ କରି ନିରୀକ୍ଷଣ କରିବା କାର୍ଯ୍ୟକ୍ରମ ଥିବାରୁ ଜିଲ୍ଲାରେ ପର୍ଯ୍ୟଟନର ବିକାଶ ନେଇ ଆଶା ବଢ଼ିଛି।
ମୟୂରଭଞ୍ଜ ଜିଲ୍ଲାରେ ଅନେକ ଦର୍ଶନୀୟ ସ୍ଥାନ ରହିଛି। କେତେକ ସ୍ଥାନକୁ ପର୍ଯ୍ୟଟନର ମୋହର ବାଜିଥିବାବେଳେ ଆଉ କେତେକ ସ୍ଥାନ ଅବହେଳିତ ହୋଇପଡ଼ିଛି। ଏହାର ବିକାଶ ନେଇ ଏହି ପ୍ରତିନିଧି ଦଳ ଜିଲ୍ଳାର କପ୍ତିପଦା ନିକଟସ୍ଥ ସମୀବୃକ୍ଷଠାରେ କେନ୍ଦ୍ର ଜଳଶକ୍ତି ଓ ଜନଜାତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ତଥା ମୟୂରଭଞ୍ଜ ସାଂସଦ ବିଶ୍ବେଶ୍ବର ଟୁଡୁଙ୍କୁ ଭେଟିଛନ୍ତି। ଜିଲ୍ଲାରେ ଥିବା ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଆଲୋଚନା କରାଯାଇଛି। ୨ ଦିନ ମଧ୍ୟରେ ଜିଲ୍ଲାର ଭୀମକୁଣ୍ଡ, ଦେବକୁଣ୍ଡ, ସମୀବୃକ୍ଷ, ଖିଚିଂ ଏବଂ ଶିମିଳିପାଳ ଜାତୀୟ ଉଦ୍ୟାନ ଆଦି ପର୍ଯ୍ୟଟନ କ୍ଷେତ୍ର ପରିଦର୍ଶନ କରିବେ। ସମସ୍ତ ପର୍ଯ୍ୟଟନ ସ୍ଥଳର ଭିତ୍ତିଭୂମି ବିକାଶ ସହିତ ଲୋକାଦୃତ କରିବା କ୍ଷେତ୍ରରେ ଅନୁଧ୍ୟାନ କରିବା କାର୍ଯ୍ୟକ୍ରମ ରହିଛି। ସ୍ଥାନୀୟ ଜନପ୍ରତିନିଧି ତଥା ପ୍ରମୁଖ ବ୍ୟକ୍ତିତ୍ବଙ୍କୁ ମଧ୍ୟ ସାକ୍ଷାତ କରିବା କାର୍ଯ୍ୟକ୍ରମ ରହିଛି। କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ ଜିଲ୍ଲାରେ ପର୍ଯ୍ୟଟନର ବିକାଶ ପାଇଁ ନୂଆଦିଲ୍ଲୀରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ କିଷାନ ରେଡ୍ଡୀଙ୍କୁ ଭେଟି ଜିଲ୍ଲାର ୪ ପ୍ରମୁଖ ପର୍ଯ୍ୟଟନ ସ୍ଥଳର ବିକାଶ ପାଇଁ ସ୍ମାରକପତ୍ର ଦେଇଥିଲେ। କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏହି ଟିମ ଜିଲ୍ଲା ଗସ୍ତ କରିଥିବା ଜଣାପଡିଛି। ଏହି ଦଳରେ କେନ୍ଦ୍ର ସଂସ୍କୃ୍ତି ଓ ପର୍ଯ୍ୟଟନ ମନ୍ତ୍ରଣାଳୟର ଆଞ୍ଚଳିକ ନିର୍ଦ୍ଦେଶକ, ଇଷ୍ଟର୍ଣ୍ଣ ଜୋନ୍(କଲିକତା)ର ସାଗନିକ ଚୌଧୁରୀ, କେନ୍ଦ୍ର ପର୍ଯ୍ୟଟନ ନିର୍ଦ୍ଦେଶକ ରଶ୍ମି ସୋନିଆ ତିର୍କୀ, ଓଟିଡିସିର ଜେନେରାଲ ମ୍ୟାନେଜର ଶାନ୍ତନୁ ଜୀ, ରାଜ୍ୟ ପର୍ଯ୍ୟଟନ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ବିଶ୍ବଜିତ ରାଉତରାୟ, କେନ୍ଦ୍ର ଜଳଶକ୍ତି ଓ ଜନଜାତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ସରୋଜ କୁମାର ଜେନା ଏବଂ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସାମିଲ ଥିଲେ।
The post କେନ୍ଦ୍ର ଓ ରାଜ୍ୟସ୍ତରୀୟ ପର୍ଯ୍ୟଟନ ଅଧକାରୀଙ୍କ ମୟୂରଭଞ୍ଜ ଗସ୍ତ first appeared on Sambad.from ଜିଲ୍ଲା | Sambad https://ift.tt/3C1LX3U
0 Comments