
ଘଟଗାଁ : ମା’ ତାରିଣୀ ପୀଠର ସୌନ୍ଦର୍ଯ୍ୟୀକରଣ ପାଇଁ ଖର୍ଚ୍ଚ ହେବ ୨ କୋଟି ୮୯ ଲକ୍ଷ ୫୧ ହଜାର ୧୩୬ ଟଙ୍କା। ବୁଧବାର ଘଟଗାଁରେ ଅନୁଷ୍ଠିତ ପର୍ଯ୍ୟଟନ ବିଭାଗର ଏକ ବୈଠକରେ ଏନେଇ ସୂଚନା ମିଳିଛି। ଜିଲ୍ଲା ପର୍ଯ୍ୟଟନ କମିଟିର ଅଧ୍ୟକ୍ଷ ତଥା କେନ୍ଦୁଝର ଉପଜିଲ୍ଲାପାଳ ରାମଚନ୍ଦ୍ର କିସ୍କୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ରମେଶ ଚନ୍ଦ୍ର ନାୟକ, ଘଟଗାଁ ତହସିଲଦାର ଜନକ ନାୟକ, ବିଡିଓ ନାରାୟଣ ଚନ୍ଦ୍ର ସାହୁ, ମା’ ତାରିଣୀ ମନ୍ଦିର ପରିଚାଳନା ବୋର୍ଡ ସଭାପତି ରାଜେନ୍ଦ୍ର କୁମାର ପଟ୍ଟନାୟକ, ମୁକୁନ୍ଦପୁର ପାଟଣା ସରପଞ୍ଚ ଅନ୍ନପୂର୍ଣ୍ଣା ଦେହୁରୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ଓଡ଼ିଶାର ଶ୍ରୀକ୍ଷେତ୍ର ପରେ ମା’ ତାରିଣୀଙ୍କ ପୀଠ ସର୍ବଦା ଚଳଚଞ୍ଚଳ ରହିଥାଏ। ଏଠାରେ ଦୈନିକ ୧୦ ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ବିଶେଷ କରି ମଙ୍ଗଳବାର ଓ ଛୁଟିଦିନ ମାନଙ୍କରେ ପ୍ରବଳ ଭିଡ଼ ହୋଇଥାଏ। ପର୍ଯ୍ୟଟକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ରାଜ୍ୟ ପର୍ଯ୍ୟଟନ ବିଭାଗ ମା’ ତାରିଣୀ ମନ୍ଦିରର ସୌନ୍ଦର୍ଯ୍ୟୀକରଣ ଏବଂ ଭିତ୍ତିଭୂମି ବିକାଶ ପାଇଁ ପଦକ୍ଷେପ ନେଇଛି। ଏଥିପାଇଁ ୨ କୋଟି ୮୯ ଲକ୍ଷ ୫୧ ହଜାର ୧୩୬ ଟଙ୍କା ଯୋଗାଇ ଦିଆଯାଇଛି। ଏହି ଅନୁଦାନରେ ଶୌଚାଳୟ, ପାଚେରି, ସ୍ବାଗତ ତୋରଣ, ପାଥ୍ୱେ, ପାର୍କିଂ ସ୍ଥଳ, ପାନୀୟଜଳ, କଠିନ ବର୍ଜ୍ୟବସ୍ତୁ ପରିଚାଳନା, କାଫେଟେରିଆ ଓ ଫଟୋଗ୍ରାଫ୍ ଜୋନ୍ ନିର୍ମାଣ କରାଯିବ।
ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି। ଖୁବଶୀଘ୍ର କାମ ଆରମ୍ଭ ହେବ ବୋଲି ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ରମେଶ ଚନ୍ଦ୍ର ନାଏକ କହିଛନ୍ତି।ବୈଠକରେ ପର୍ଯ୍ୟଟକଙ୍କ ଗାଡ଼ିମୋଟର ରହିବା ପାଇଁ ପାର୍କିଂ ବ୍ୟବସ୍ଥା ଉପରେ ବ୍ୟାପକ ଆଲୋଚନା ହୋଇଥିଲା। ପୂର୍ବପରି ମନ୍ଦିର ପୂର୍ବପଟେ ଥିବା ଜଂଗଲ ଜମିରେ ଗାଡ଼ି ପାର୍କିଂ ପାଇଁ ସ୍ଥାନୀୟ ସରପଞ୍ଚ ଦାବି କରିଥିଲେ। ଏହି ଜମିକୁ ନେଇ ବିବାଦ ଥିବାରୁ ଏଠାରେ ଆଉ ଗାଡ଼ି ପାର୍କିଂ କରାଯିବ କି ନାହିଁ ସେ ସମ୍ପର୍କରେ ଜିଲ୍ଲାପାଳ ନିଷ୍ପତ୍ତି ନେବେ ବୋଲି ବୈଠକରେ କୁହାଯାଇଛି। ୧୫ ଦିନ ମଧ୍ୟରେ ପାର୍କିଂସ୍ଥଳ ପାଇଁ ତିନିଟି ଜାଗା ଚିହ୍ନଟ କରିବାକୁ ତହସିଲଦାର ଜନକ ନାୟକଙ୍କୁ ଦାୟିତ୍ୱ ଦିଆଯାଇଛି। ବାଲିଯୋଡ଼ି, ତହସିଲ ଅଫିସ ଓ କଲେଜ ମଧ୍ୟରେ ଏବଂ ହରିଚନ୍ଦନପୁର-ଘଟଗାଁ ରାସ୍ତାରେ ଏପରି ତିନିଟି ସ୍ଥାନରେ ପାର୍କିଂସ୍ଥଳ କରାଯିବା ପାଇଁ ବୈଠକରେ ସ୍ଥିର ହୋଇଛି। ତେବେ ସାମୟିକ ଭାବେ ମନ୍ଦିର ଓ ବାଇପାସ୍ ମଧ୍ୟରେ ଥିବା ରାସ୍ତାର ଦୁଇପାର୍ଶ୍ୱରେ ଗାଡ଼ି ପାର୍କିଂ କରାଯିବ। ସେଠାରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୁଲିସ ମୁତୟନ କରାଯିବ ବୋଲି ବୈଠକରେ ସୂଚନା ଦିଆଯାଇଛି।
The post ମା’ ତାରିଣୀ ପୀଠର ସୌନ୍ଦର୍ଯ୍ୟୀକରଣ ପାଇଁ ଖର୍ଚ୍ଚ ହେବ ୨.୮୯ କୋଟି first appeared on Sambad.from ଜିଲ୍ଲା | Sambad https://ift.tt/2XPFFW4
0 Comments