
କଟକ: ବାଣ ବିକ୍ରି ଓ ଫୁଟାଇବା ଉପରେ ସରକାର ଜାରି କରିଥିବା କଟକଣାକୁ ଚାଲେଞ୍ଜ କରି ଦାୟର ମାମଲାରେ ପୁଲିସ କମିସନର ପକ୍ଷଭୁକ୍ତ ହୋଇଛନ୍ତି। ପୁଲିସ କମିସନରଙ୍କୁ ମାମଲାରେ ପ୍ରତିପକ୍ଷ ଭାବେ ପକ୍ଷଭୁକ୍ତ କରିବାକୁ ଆବେଦନକାରୀଙ୍କୁ ହାଇକୋର୍ଟ ଅନୁମତି ଦେଇଛନ୍ତି। ଏଥିସହିତ ମାମଲାରେ ପକ୍ଷ ରଖିବାକୁ କେନ୍ଦ୍ର ସରକାର, ରାଜ୍ୟ ସରକାର ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଆଜି ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ୍. ମୁରଲୀଧର ଓ ଜଷ୍ଟିସ ବି.ପି. ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠରେ ‘ଅଲ୍ ଓଡ଼ିଶା ଫାୟାର ୱାର୍କସ୍ ଡିଲର ଆସୋସିଏସନ୍’ ଓ ଅନ୍ୟ ବ୍ୟବସାୟୀଙ୍କ ଆବେଦନର ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା ଯେ ସୁପ୍ରିମକୋର୍ଟରେ ବାଣ ଅନୁମତି ପ୍ରସଂଗରେ ମାମଲା ବିଚାରାଧୀନ ରହିଛି। ଆଜି ସୁପ୍ରିମକୋର୍ଟରେ ବାଣ ସଂପର୍କିତ ମାମଲାର ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିବା ଜଣା ପଡ଼ିଥିଲା। ଏଭଳି ସ୍ଥିତିରେ ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟକୁ ଅପେକ୍ଷା କରିବାକୁ ହାଇକୋର୍ଟ କହିଥିଲେ। ଏଥିସହିତ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଶୁକ୍ରବାରକୁ ହାଇକୋର୍ଟ ଧାର୍ଯ୍ୟ କରିଛନ୍ତି। ପରବର୍ତ୍ତୀ ଶୁଣାଣି ପୂର୍ବରୁ ମାମଲାରେ ପକ୍ଷ ରଖିବାକୁ ପ୍ରତିପକ୍ଷଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
The post ବାଣ କଟକଣାକୁ ହାଇକୋର୍ଟରେ ଚାଲେଞ୍ଜ: ପକ୍ଷଭୁକ୍ତ ହେଲେ କେନ୍ଦ୍ର ଓ ରାଜ୍ୟ ସରକାର, ପ୍ରଦୂଷଣ ବୋର୍ଡ first appeared on Sambad.from ଜିଲ୍ଲା | Sambad https://ift.tt/3GpTJHv
0 Comments