ସମ୍ବଲପୁର : ବଲିଉଡ୍‌ରେ ନିଜ ଉପସ୍ଥିତି ଜାହିର କରିଥିବା ପଶ୍ଚିମ ଓଡ଼ିଶାର ଅନ୍ୟତମ ଯୁବ ଅଭିନେତା ଜଗନ୍ନାଥ ସେଠ୍‌ଙ୍କର ଆଉ ଏକ ସିନେମା ‘ଦାହିନୀ-ଦି ୱିଚ୍‌’ ଖୁବ୍‌ ଶୀଘ୍ର ବଡ଼ ପରଦାରେ ମୁକ୍ତିଲାଭ କରିବାକୁ ଯାଉଛି। ସାରା ଦେଶର ବିଭିନ୍ନ ପଛୁଆ ଅଞ୍ଚଳରେ ଡାହାଣୀକୁ ନେଇ ଲୋକଙ୍କ ମନରେ ରହି ଆସିଥିବା ଅନ୍ଧବିଶ୍ୱାସ ଓ ସେହି କାରଣରୁ ସଂଘଟିତ ସାମାଜିକ ଅପରାଧକୁ ନେଇ ଏହି ସଚେତନତା ଧର୍ମୀ କଳାତ୍ମକ ଚଳଚ୍ଚିତ୍ରଟି ନିର୍ମିତ ହୋଇଛି।

ରାଜେଶ ତୌଚ୍ରିଭର୍‌ଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରର ସୁଟିଂ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ଶେଷ ହୋଇଛି। ଏଥିରେ ଜଗନ୍ନାଥଙ୍କ ସମେତ ଜେଡି ଚକ୍ରବର୍ତ୍ତୀ, ତନିଷ୍ଠା ଚାଟାର୍ଜୀ, ବଦ୍‌ରୁଲ ଇସ୍‌ଲାମ୍‌, ଆସିକ୍ ହୁସେନ୍, ଅଂଗନା ରାୟ, ରିଜୁ ବଜାଜ୍‌, ଶ୍ରୁତି ଜୟନ୍, ଅନ୍ୟତମ ଓଡ଼ିଆ କଳାକାର ଦିଲୀପ ଦାସ ପ୍ରମୁଖ ଅଭିନୟ କରିଛନ୍ତି। ସିନେମାର ଅନ୍ୟତମ ପ୍ରମୁଖ ଭୂମିକାରେ ଥିବା ଜଗନ୍ନାଥ ଗାଁ’ର ଜଣେ ଏଭଳି ଯୁବକର ଚରିତ୍ରରେ ଅଭିନୟ କରିଛନ୍ତି ଯେ ଏହି ଅନ୍ଧବିଶ୍ୱାସ ଓ କୁସଂସ୍କାର ବିରୋଧରେ ଲଢ଼ିବାକୁ ଯାଇ ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତି।

ଦେଶର ବିଭିନ୍ନ ସ୍ଥାନରେ ଡାହାଣୀ ସଂଦେହରେ ପ୍ରତି ବର୍ଷ ହଜାର ହଜାର ଅସହାୟ ମହିଳାଙ୍କୁ ହତ୍ୟା କରା ଯାଉଥିବା ଓ ଅକଥନୀୟ ନିର୍ଯାତନା ଦିଆ ଯାଉଥିବାରୁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏହି ଚଳଚ୍ଚିତ୍ର ନିର୍ମାଣ କରାଯାଇଛି। ପ୍ରଦୀପ ନାରାୟଣନ୍ ଏବଂ ସୁନିଥା କ୍ରିଷ୍ଣନ୍‌ଙ୍କ ନିର୍ମିତ ଏହି ସିନେମା ପ୍ରଥମେ ହିନ୍ଦୀ ଓ ଓଡ଼ିଆ ଭାଷାରେ ନିର୍ମିତ ହେଉଥିବାବେଳେ ପରବର୍ତ୍ତୀ ସମୟରେ ଅନ୍ୟ ଭାରତୀୟ ଭାଷା ଗୁଡ଼ିକରେ ଡବିଂ ହେବାର ଯୋଜନା ରହିଛି।

ସଂକ୍ଷେପରେ ଜଗନ୍ନାଥ 
ବରଗଡ଼ ଜିଲ୍ଲା ପଦମ୍‌ପୁର ନିକଟସ୍ଥ ମହୁଲପାଲି ନିବାସୀ ଜଟି ସେଠ୍‌ ଏବଂ ପାର୍ବତୀ ସେଠ୍‌ଙ୍କ ପୁଅ ଜଗନ୍ନାଥ ସେଠ୍‌ (୩୪)ଙ୍କର ପିଲାଟି ବେଳୁ ଅଭିନୟ ପ୍ରତି ଅହେତୁକ ଦୁର୍ବଳତା ଥିଲା। ସେ ପଦମ୍‌ପୁରର ଡ. କେଶ ରଂଜନ ପ୍ରଧାନଙ୍କ ପରିଚାଳିତ ଲୁ’ ନାଟ୍ୟ ସଂସ୍ଥାରୁ ନିଜ ଅଭିନୟ ଜୀବନ ଆରମ୍ଭ କରିଥିଲେ। ଏହାପରେ ‌ନ୍ୟାସନାଲ୍ ସ୍କୁଲ୍‌ ଅଫ୍ ଡ୍ରାମା (ଏନ୍‌ଏସ୍‌ଡି) ନୂଆଦିଲ୍ଲୀରୁ ୨୦୧୦ ସ୍ନାତକ ଡିଗ୍ରି ହାସଲ କରିଥିଲେ। ୩ ବର୍ଷର ଅଧ୍ୟୟନ ପରେ ସେ ଏନ୍‌ଏସ୍‌ଡିର ରେପୁଟ୍ରି କମ୍ପାନିରେ ୭ ବର୍ଷ ଧରି ଚାକିରି କରିଥିଲେ। ଏହାପରେ ଜଗନ୍ନାଥ ଚାକିରି ଛାଡ଼ି ନିଜ କ୍ୟାରିୟର ଗଢ଼ିବାକୁ ମୁମ୍ବାଇ ଆସିଥିଲେ। ସେ ମନୋଜ ବାଜପେୟୀଙ୍କ ସହ ‘ଲଙ୍କା’, ଅନୁଷ୍କା ଶର୍ମାଙ୍କ ସହ ‘ପରୀ’, ଅମିତାଭ୍ ବଚ୍ଚନ, ଅମିର ଖାନ୍, କ୍ୟାଟ୍‌ରିନା କ୍ୟାଫ୍‌ଙ୍କ ଅଭିନୀତ ‘ଠଗ୍‌ସ ଅଫ୍ ହିନ୍ଦୁସ୍ତାନ’ ଆଦି ସିନେମାରେ ଅଭିନୟ କରିଛନ୍ତି। ସେହିପରି ଅନ୍ତର୍ଜାତୀୟ ଚଳଚ୍ଚିତ୍ର ‘ସେମ୍‌ଖର୍‌’ରେ ମଧ୍ୟ ଜଗନ୍ନାଥ ଏକ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ଏଥି ସହ ଏକ ତେଲୁଗୁ ଚଳଚିତ୍ରରେ ମଧ୍ୟ କାମ କରିଛନ୍ତି। ଜଗନ୍ନାଥ ମଡେଲ୍ ଭାବେ ଏକାଧିକ ବିଜ୍ଞାପନ ଫିଲ୍ମରେ ଅଭିନୟ କରିଥିଲାବେଳେ ଅଭିନେତ୍ରୀ ପ୍ରିୟମଣିଙ୍କ ସହ ତାଙ୍କର ଆଉ ଏକ ବିଜ୍ଞାପନ ରିଲିଜ୍ ହେବାକୁ ଯାଉଛି।

The post ବଲିଉଡ୍‌ ସିନେମା ‘ଦାହିନୀ’ରେ ଜଗନ୍ନାଥ  first appeared on Sambad.

from ଜିଲ୍ଲା | Sambad https://ift.tt/3FWCjBR