
ଝାରସୁଗୁଡ଼ା : ଝାରସୁଗୁଡ଼ା ବଡ଼ମାଲରେଠାରେ ଥିବା ଏସ୍ଏମ୍ସି କାରଖାନାରେ ଦୁର୍ଘଟଣା ଘଟି ଜଣେ କାର୍ଯ୍ୟରତ ଶ୍ରମିକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ମୃତ ଶ୍ରମିକ ବନମାଳୀ ବୋଇପୋଇ(୨୦)ଙ୍କ ଘର ଝାଡ଼ଖଣ୍ଡ ରାଜ୍ୟର ପଶ୍ଚିମ ସିଂହଭୂମ ଅଞ୍ଚଳରେ ବୋଲି ବଡ଼ମାଲ ପୁଲିସ କହିଛି।
ବୁଧବାର ଭୋର ସାଢ଼େ ୪ ଟାରେ କାରଖାନାର ଟିଏମ୍ଟି ରୋଲିଂ ମିଲ ଡିଭିଜନ୍ରେ କାମ କରୁଥିବା ଏହି ଶ୍ରମିକ ଉପରେ କ୍ରେନ୍ର ଲୁହା ଛିଣ୍ଡି ପଡ଼ିବାରୁ ତାଙ୍କ ଛାତି ଓ ଅଣ୍ଟା ଉପରେ ତାହା ପଡ଼ିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୁରକ୍ଷା ବ୍ୟବସ୍ଥାର ଅଭାବ ଓ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ବଡ଼ମାଳ ଥାନାରେ ୧୮୨ ନମ୍ବର କେସ୍ରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି। ପୁଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଫ୍ୟାକ୍ଟ୍ରି ଓ ବଏଲର ବିଭାଗର ଅଧିକାରୀଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଫ୍ୟାକ୍ଟ୍ରି ଓ ବଏଲର ବିଭାଗର ଅଧିକାରୀ ମଧ୍ୟ କାରଖାନାର ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି।
ଶ୍ରମିକଙ୍କ ମୃତ୍ୟୁପରେ କାରଖାନା ପକ୍ଷରୁ ତୁରନ୍ତ ଶ୍ରମିକଙ୍କୁ ସହାୟତା ପ୍ରଦାନ କରାଯାଇ ମୃତଦେହ ତାଙ୍କ ଗ୍ରାମକୁ ପଠାଇବାର ବ୍ୟବସ୍ଥା କରାଯାଇଥିଲା। ଶ୍ରମିକ ଅଶାନ୍ତିର ଆଶଙ୍କାକୁ ଏଡ଼ାଇବା ପାଇଁ କମ୍ପାନି ମୃତକଙ୍କ ପରିବାରୁ ତ୍ବରିତ୍ କ୍ଷତିପୂରଣ ବାବଦ ୧୦ ଲକ୍ଷ ଟଙ୍କା ଓ ଶବଦାହ ଓ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ଲକ୍ଷେ ଟଙ୍କା ପ୍ରଦାନ କରିବାକୁ ଘୋଷଣା କରାଯାଇଛି। କାର୍ଯ୍ୟରେ ଅବହେଳା ଅଭିଯୋଗରେ ବଡ଼ମାଲ ପୁଲିସ କ୍ରେନ୍ ଚାଳକ ଓ ନିରୀକ୍ଷକଙ୍କୁ ଗିରଫ କରାଯାଇଛି।
The post ଏସ୍ଏମ୍ସି କାରଖାନାରେ ଦୁର୍ଘଟଣା: କ୍ରେନ୍ ସିଲିଂ ଛିଣ୍ଡି କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ first appeared on Sambad.from ଜିଲ୍ଲା | Sambad https://ift.tt/3oEMnsY
0 Comments