
କଟକ : ରାଜ୍ୟ ସ୍ବାସ୍ଥ୍ୟବିଭାଗ ଅଧୀନରେ କାର୍ଯ୍ୟରତ ଡାକ୍ତରଙ୍କୁ ଅନ୍ୟ ଅନୁଷ୍ଠାନରେ ଚାକିରି ପାଇଁ ଦରଖାସ୍ତ ଲାଗି ଆବଶ୍ୟକ ନୋ ଅବଜେକ୍ସନ୍ ସାର୍ଟିଫିକେଟ୍(ଏନ୍ଓସି) ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏନ୍ଓସି ପାଇଁ ଡାକ୍ତରଙ୍କ ଆବେଦନ ସରକାର ଖାରଜ କରିଥିବାବେଳେ ଏହା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି। ଅକ୍ଟୋବର ୫ ତାରିଖ ପୂର୍ବରୁ ଆବେଦନକାରୀ ଡାକ୍ତରଙ୍କୁ ଏନ୍ଓସି ପ୍ରଦାନ କରିବା ପାଇଁ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଡକ୍ଟର ଜଷ୍ଟିସ ବି.ଆର. ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଡାକ୍ତର ଶିବଶଙ୍କର ଦାସଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ଆବେଦନକାରୀ ଓଡ଼ିଶା ଲୋକସେବା ଆୟୋଗ ଦ୍ବାରା ଅନୁଷ୍ଠିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ୨୦୧୪ରେ ହରିଚନ୍ଦନପୁର ସିଏଚ୍ସିରେ ମେଡିକାଲ ଅଫିସର ଭାବେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଅଧୀନରେ ଯୋଗ ଦେଇଥିଲେ। ଏହାପରେ ତାଙ୍କୁ ମାଇକ୍ରୋବାୟୋଲୋଜି ସ୍ନାତକୋତ୍ତର ପାଠ୍ୟକ୍ରମରେ ଏମ୍ସରେ ନାମଲେଖା ପାଇଁ ଚୟନ କରାଯାଇଥିଲା। କିନ୍ତୁ ଏନ୍ଓସି ସଂପର୍କିତ ଆବେଦନକାରୀଙ୍କ ଦରଖାସ୍ତକୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ୨୦୨୧, ସେପ୍ଟେମ୍ବର ୨୩ରେ ଅଗ୍ରାହ୍ୟ କରିଥିଲା।
ଏମ୍ସ ବିଜ୍ଞପ୍ତି ଅନୁସାରେ ଅକ୍ଟୋବର ୫ ଆବେଦନ କରିବାର ଶେଷ ତାରିଖ ହୋଇଥିବା ବେଳେ ଏହା ପୂର୍ବରୁ ଏନ୍ଓସି ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅଭିଜିତ ମିଶ୍ର ମାମଲା ପରିଚାଳନା କରୁଥିଲେ।
The post ୫ ପୂର୍ବରୁ ଡାକ୍ତରଙ୍କୁ ଏନ୍ଓସି ଦିଅ: ହାଇକୋର୍ଟ first appeared on Sambad.from ଜିଲ୍ଲା | Sambad https://ift.tt/3F8iYgB
0 Comments