ଅବସର ଯନ୍ତ୍ରୀଙ୍କ ହାତରେ ‘ମୋ ସ୍କୁଲ’ କାମ !

ଟାଇଲ ନ କିଣିଲେ ବିଲ୍‌ ନ କରାଇ ଦେବାକୁ ଧମକ
ସରକାରୀ ସ୍କୁଲ ପାଲଟିଛି ଗୋଦାମ ଘର

ରାଉରକେଲା : ‘ମୋ ସ୍କୁଲ ଅଭିଯାନ’ରେ ଚକାଚକ୍‌ ହେଉଛି ସ୍କୁଲ। ରାଉରକେଲାରେ ଚାଲିଥିବା ସ୍କୁଲ ଭିତ୍ତିଭୂମିର ବିକାଶ କାମକୁ ନେଇ ଗୋଟିଏ ପରେ ଗୋଟିଏ ବିବାଦ ସାମ୍ନାକୁ ଆସୁଛି। ପ୍ରଥମେ ବିନା ଟେଣ୍ଡରରେ ମନଇଚ୍ଛା କାମ ବଣ୍ଟାରୁ ବିବାଦ ସୃଷ୍ଟି ହୋଇଥିଲା। ଏବେ ଆଉ ଏକ ସାଂଘାତିକ ଅଭିଯୋଗ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। ସର୍ବଦା ଦୁର୍ନୀତିକୁ ନେଇ ଚର୍ଚ୍ଚାର ଥିବା ପାନପୋଷ ଆଇଟିଡିଏ ପୁଣି ଆଉ ଏକ ବିବାଦକୁ ଆମନ୍ତ୍ରଣ କରିଛି। ବିଭାଗ ଦ୍ବାରା ଚାଲିଥିବା ୧୦ଟି ସ୍କୁଲର କାମର ତଦାରଖ କାମକୁ ପିଡବ୍ଲ୍ୟୁଡିର ଜଣେ କରିତକର୍ମା ଅବସରପ୍ରାପ୍ତ ଯନ୍ତ୍ରୀଙ୍କ ହାତରେ ଟେକି ଦିଆଯାଇଛି। ରାଜନୈତିକ ଦଳର ନେତାଙ୍କ କ୍ଷମତାର ବଳିୟାନ ସେହି ଅବସରପ୍ରାପ୍ତ ଯନ୍ତ୍ରୀ ଜଣକ ସବୁ କାମ ତଦାରଖ କରୁଛନ୍ତି। ସବୁଠୁ ଆଶ୍ଚର୍ଯ୍ୟ କଥା, ପ୍ରତ୍ୟେକ ସ୍କୁଲରେ ଲାଗୁଥିବା ଲକ୍ଷ ଲକ୍ଷ ଟଙ୍କାର ଟାଇଲ୍‌ ମଧ୍ୟ ସେ ଠିକାଦାରମାନଙ୍କୁ ଯୋଗାଉଛନ୍ତି। ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀଙ୍କ ମାଧ୍ୟମରେ କାମ ନେଇଥିବା ଠିକାଦାରମାନଙ୍କୁ ତାଙ୍କ ଦ୍ବାରା କିଣାଯାଇଥିବା ଟାଇଲ ନେବାକୁ ବାଧ୍ୟ କରାଯାଉଛି। ଯେଉଁ ଠିକାଦାରମାନେ ତାଙ୍କଠାରୁ ଟାଇଲ୍‌ ନେବାକୁ ରାଜି ହେଉନାହାନ୍ତି, ସେମାନଙ୍କୁ ବିଭାଗୀୟ ଯନ୍ତ୍ରୀଙ୍କ ଦ୍ବାରା ବିଲ୍‌ କରାଇ ନ ଦେବାକୁ ଧମକ ଦିଆଯାଉଥିବା ଭଳି ସଙ୍ଗୀନ ଅଭିଯୋଗ ହେଉଛି।

ସ୍କୁଲଗୁଡ଼ିକରେ ଯେଉଁ ଟାଇଲ୍‌ ବିଛାଯାଉଛି, ତାର ବଜାର ମୂଲ୍ୟ ବର୍ଗ ଫୁଟ୍‌ ପିଛା ୫୫ରୁ ୫୬ ଟଙ୍କା ରହିଛି। ମାତ୍ର କରିତକର୍ମା ଅବସରପ୍ରାପ୍ତ ଯନ୍ତ୍ରୀ ସେହି ସମାନ ଟାଇଲ୍‌କୁ ଅଧିକ ଦରରେ ବିକ୍ରି କରୁଛନ୍ତି। ଅବସରପ୍ରାପ୍ତ ଯନ୍ତ୍ରୀଙ୍କର ଏଭଳି ଜୁଲମ୍‌କୁ କିଛି ଠିକାଦାର ବିରୋଧ କରିଛନ୍ତି। ସେମାନେ ବଜାରରୁ କିଣିବାକୁ ଜିଦ୍‌ ଧରିଥିବାରୁ ଅଧିକାଂଶ ସ୍କୁଲ ଟାଇଲ୍‌ ବିଛା କାମ ଏଯାଏ ହୋଇପାରି ନାହିଁ। ତେବେ ଅବସରପ୍ରାପ୍ତ ଯନ୍ତ୍ରୀଙ୍କ କାମ ଏତିକିରେ ସରି ନାହିଁ। ସରକାରୀ ସ୍କୁଲକୁ ସେ ନିଜର ଗୋଦାମ ଘର କରି ଦେଇଛନ୍ତି। ସେଠାରେ ରଖିଛନ୍ତି କୋଟି କୋଟି ଟଙ୍କାର ଟାଇଲ୍‌ । ତାଙ୍କର ଏଭଳି ବେଆଇନ କାମ ବିରୋଧରେ ଆଇଟିଡିଏର ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀ ଥରୁଟିଏ ମୁହଁ ଖୋଲୁ ନାହାନ୍ତି। ଫଳରେ କରିତକର୍ମା ଅବସରପ୍ରାପ୍ତ ଯନ୍ତ୍ରୀ ଜଣକ ଟାଇଲ୍‌ ବିକ୍ରି ସହ ଅନ୍ୟାନ୍ୟ କାମରୁ ଲକ୍ଷ ଲକ୍ଷ ଟଙ୍କା ଫାଇଦା ଉଠାଉଛନ୍ତି ବୋଲି ଅଭିଯୋଗ ହେଉଛି। ‘ମୋ ସ୍କୁଲ ଅଭିଯାନ’ରେ ଚାଲିଥିବା ଏଭଳି ବେଆଇନ କାମ ସଂକ୍ରାନ୍ତରେ ପାନପୋଷ ଆଇଟିଡିଏ ଦାୟିତ୍ବରେ ଥିବା ପ୍ରକଳ୍ପ ପ୍ରଶାସକ ରୀତା ଡାଙ୍ଗଙ୍କୁ ପଚାରିବାରୁ ‘କାମରେ ବ୍ୟସ୍ତ ଅଛି ପରେ କହିବି’ କହିଥିଲେ। କିନ୍ତୁ ପରେ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍‌ ଉଠାଇ ନଥିଲେ।

ଉଲ୍ଲେଖଯୋଗ୍ୟ, ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ଓ ସୁନ୍ଦରଗଡ ସହରାଞ୍ଚଳ ସମେତ ୧୭ଟି ବ୍ଲକରେ ମୋଟ୍‌ ୫୦ ଟି ପ୍ରମୁଖ ସରକାରୀ ସ୍କୁଲର ଭିତ୍ତିଭୂମିର ବିକାଶ ହେଉଛି। ପ୍ରତ୍ୟେକ ସ୍କୁଲ ପିଛା ୧୫ ଲକ୍ଷରୁ ଆରମ୍ଭ କରି ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହେଉଛି। ବିଶ୍ରା ବ୍ଲକରେ ଦୁଇଟି ସ୍କୁଲକୁ ପ୍ରାୟ ୧ କୋଟି ୧୦ ଲକ୍ଷ ଟଙ୍କା, କୁଆରମୁଣ୍ଡାରେ ଦୁଇଟି ସ୍କୁଲକୁ ପ୍ରାୟ ୫୦ ଲକ୍ଷ, ନୂଆଗାଁ ବ୍ଲକର ହାତୀବାରି ଓ ଖୁଣ୍ଟଗାଁରେ ଦୁଇଟି ସ୍କୁଲ ମରାମତିରେ ୧ କୋଟିରୁ ଅଧିକ, ରାଜଗାଙ୍ଗପୁର ପୌରପାଳିକାର ୱାର୍ଡ ନଂ ୪ ୧୮ର ଦୁଇଟି ସ୍କୁଲରେ ୫୦ ଲକ୍ଷରୁ ଅଧିକ ଖର୍ଚ୍ଚ ହେଉଛି। କୁତ୍ରା ଓ ସବ୍‌ଡେଗାରେ ଚାରିଟି ସ୍କୁଲର ଭିତ୍ତିଭୂମି ବିକାଶ କରାଯାଉଛି। ପ୍ରତ୍ୟେକ ସ୍କୁଲ ପାଇଁ ୨୬ ଲକ୍ଷରୁ ଅଧିକ ଟଙ୍କା ବ୍ୟୟ କରାଯାଉଛି। ବଣାଇଗଡର ଦୁଇଟି ସ୍କୁଲରେ ୯୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଥିଲାବେଳେ କୋଇଡାରେ ଦୁଇଟି, ଲାଠିକଟାରେ ଦୁଇଟି, ବୀରମିତ୍ରପୁରରେ ଦୁଇଟି, ଟାଙ୍ଗରପାଲିରେ ଦୁଇଟି ସ୍କୁଲର ଭିତ୍ତିଭୂମି ବିକାଶ ହେଉଛି। ଉଲ୍ଲେଖନୀୟ କଥା ହେଉଛି, ଅଧିକାଂଶ ବ୍ଲକରେ କାମ ପାଇଁ ସରକାରୀ ନୀତିନିୟମ ଅନୁଯାୟୀ ଟେଣ୍ଡର କରାଯାଇଛି। କିନ୍ତୁ ପାନପୋଷ ଆଇଟିଡିଏ ଦ୍ବାରା ହେଉଥିବା ୧୦ ସ୍କୁଲର ମରାମତି କାମରେ ଟେଣ୍ଡର କରାଯାଇ ନାହିଁ। ବିନା ଟେଣ୍ଡରରେ ଏହି ୧୦ଟି ସ୍କୁଲର ମରାମତି କାମକୁ ୪୦ରୁ ଅଧିକ ଠିକାଦାରଙ୍କୁ ମନଇଚ୍ଛା ବାଣ୍ଟି ଦିଆଯାଇଥିବା ଅଭିଯୋଗ ହେଉଛି। ଏହି ୧୦ଟି ସ୍କୁଲ ବାବଦରେ ମୋଟ୍‌ ୩ କୋଟି ୭୧ ଲକ୍ଷ ୮୦ ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଉଛି। ଏସବୁରେ ପାଣି ଭଳି ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଜିଲ୍ଲାର ମାଳ ମାଳ ସ୍କୁଲରେ ଉପଯୁକ୍ତ ସଂଖ୍ୟାରେ ଶିକ୍ଷକ ନାହାନ୍ତି।

The post ଅବସର ଯନ୍ତ୍ରୀଙ୍କ ହାତରେ ‘ମୋ ସ୍କୁଲ’ କାମ ! first appeared on Sambad.

from ଜିଲ୍ଲା | Sambad https://ift.tt/3jF0Y4w

Post a Comment

0 Comments