
ସୁନ୍ଦରଗଡ଼: ନିକଟରେ ମହାନଦୀ ଖୋଲା ମୁହଁ କୋଇଲା ଖଣି (ଏମସିଏଲ)ର ଲଇକେରା ରେଲୱେ ସାଇଡିଂ ନିକଟ ଏକ ସ୍ଥାନରୁ ବେଆଇନ ଭାବେ ଗଚ୍ଛିତ ୨୮ ହଜାର ୯୫୪ ଟନ୍ କୋଇଲାକୁ ଖଣି ଅଧିକାରୀ ଜବତ କରିଥିଲେ। ସେସବୁ କୋଇଲା ଟ୍ରାନ୍ସପୋର୍ଟର ଘନଶ୍ୟାମ ଓରଫ୍ ବଣ୍ଟି ଡାଲମିଆଙ୍କ ବୋଲି ଜଣାପଡ଼ିଥିଲା। ନିୟମ ଅନୁସାରେ, ରେଲୱେ ସାଇଡିଂ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ଖଣି ଅଧିକାରୀଙ୍କ ବିଧିବଦ୍ଧ ଅନୁମତି ବିନା ଖଣିରୁ ପରିବହନ ହୋଇଥିବା କୋଇଲା ଅନ୍ୟ ସ୍ଥାନରେ ରଖାଯାଇପାରିବ ନାହିଁ। କିନ୍ତୁ ଲଇକେରା ସାଇଡିଂକୁ ଆସିଥିବା କୋଇଲାକୁ ଟ୍ରାନ୍ସପୋର୍ଟର ସାଇଡିଂ ପାଖ ଅନ୍ୟ ଏକ ବେସରକାରୀ ଜମିରେ ଜମା କରିଥିଲେ। ସୂଚନା ମିଳିବା କ୍ଷଣି ରାଉରକେଲା ଖଣି ଅଧିକାରୀ ଘଟଣାସ୍ଥଳକୁ ଯାଇ କୋଇଲା ଜବତ କରିଥିଲେ। ଏହା ମଧ୍ୟରେ ଖଣି ନିର୍ଦ୍ଦେଶକଙ୍କୁ ରିପୋର୍ଟ କରାଯାଇଥିବା ବେଳେ ତାଙ୍କ ଅନୁମତି ପରେ ଟ୍ରାନ୍ସପୋର୍ଟରଙ୍କୁ ଜରିମାନା କରାଯିବ ବୋଲି ରାଉରକେଲା ଖଣି ଅଧିକାରୀ ପ୍ରକାଶ କରିଛନ୍ତି। ତେବେ ଏଠାରେ କେବଳ ସାଇଡିଂ ବାହାରେ କୋଇଲା ରଖାଯାଇ ନାହିଁ, ବରଂ ଏହା ପଛରେ ଆହୁରି ଅନେକ ଅନିୟମିତତା ଥିବା ଚର୍ଚ୍ଚା ହେଉଛି। ବିଶେଷ କରି ଖଣିରୁ ବିଯୁକ୍ତ ଶହେ (-୧୦୦) ଆକାର କୋଇଲା
ପରିବହନ ପାଇଁ ନିୟମ ଥିବା ବେଳେ ସାଇଡିଂକୁ ବୋଲ୍ଡର କୋଇଲା ଆସିଥିବା କୁହାଯାଉଛି। ସେହିପରି ପରିବହନ ଆଦେଶ (ଡିଓ) ଅବଧି ଶେଷ ହେବାକୁ ବସିଥିବା ବେଳେ ଅଧିକ କୋଇଲା ଷ୍ଟକ୍ ଥିବାରୁ ତାହା ଲେପ୍ସ ହୋଇଯିବା ଭୟରେ ଖଣିରୁ ଉଠାଇ ଆଣି ସାଇଡିଂ ବାହାରେ ଜମା କରିଥିବା ଅଭିଯୋଗ ହୋଇଛି। ଏହା ଯଦି ସତ ହୋଇଥାଏ, ତେବେ ଏଥିରେ ସିଧାସଳଖ ଏମସିଏଲ ଅଧିକାରୀ ଜଡ଼ିତ ଥିବା ନିଶ୍ଚିତ ବୋଲି କୁହାଯାଉଛି ଏ ସମ୍ପର୍କରେ ଏମସିଏଲ ଗର୍ଜନବାହାଲ ଖଣି କ୍ଷେତ୍ରର ଡେସପାଚ୍ ଅଧିକାରୀଙ୍କୁ ପଚାରିବାରୁ କୋଇଲା ଲଇକେରା ସାଇଡିଂକୁ ଯାଇଥିବା ପ୍ରକାଶ କରିବା ସହ ଅଧିକ କିଛି ସୂଚନା ଦେବାକୁ ମନା କରି ଦେଇଥିଲେ। ଏବେ ଖଣି ଅଧିକାରୀ ଟ୍ରାନ୍ସପୋର୍ଟରଙ୍କୁ କେବଳ ଜରିମାନା କରି ଛାଡ଼ିଦେବେ ନା ଖଣି ନିୟମ ଉଲ୍ଲଂଘନ ଅଭିଯୋଗରେ ମାମଲା ରୁଜୁ କରିବେ ତାହା ଦେଖିବାକୁ ବାକି ରହିଛି।
The post ୨୮.୯୫ ହଜାର ଟନ୍ କୋଇଲା ଜବତ ପଛର ରହସ୍ୟ first appeared on Sambad.from ଜିଲ୍ଲା | Sambad https://ift.tt/3GftdQT
0 Comments