ଜଗତସିଂହପୁର ଟାଉନ୍: ଜଗତସିଂହପୁର ଜିଲ୍ଲାର ଗାଁ ଗାଁରେ ଧଳାଜହର (ବ୍ରାଉନ୍‌ସୁଗାର) ବିକ୍ରି ବିଭିନ୍ନ ଗଣମାଧ୍ୟମର ଶିରୋନାମା ପାଲଟିଥିଲା। କିନ୍ତୁ ଏସ୍‌ପି ଅଖିଳେଶ୍ବର ସିଂହ ଯୋଗଦେବା ପରେ ଜଗତସିଂହପୁର ଜିଲ୍ଲାରେ ବ୍ରାଉନ୍‌ସୁଗାର ବେପାରୀ ଏବେ ତ୍ରାହି ତ୍ରାହି ଡାକୁଛନ୍ତି। ଦୁଇ ମାସ ଭିତରେ ଏସ୍‌ପିଙ୍କ ଧଳାଜହରମୁକ୍ତ ଜଗତସିଂହପୁର ମିସନ୍‌ ଅନେକାଂଶରେ ସଫଳ ହେଲାଣି। ୩୬ରୁ ଊର୍ଦ୍ଧ୍ବ ମାମଲା ରୁଜୁ ହୋଇଥିବା ବେଳେ ୬୯ ଜଣ ଗିରଫ ହୋଇ ସାରିଛନ୍ତି। ନଗଦ ଟଙ୍କା, ବନ୍ଧୁକ, ଗାଡ଼ି ଜବତ ହୋଇଛି। ହାରାହାରି କୋଟିଏ ଟଙ୍କାର ବ୍ରାଉନ୍‌ସୁଗାର ଜବତ କରାଯାଇଛି। ପ୍ରଥମେ ଜଗତସିଂହପୁର ସହର, କୁଜଙ୍ଗ ଓ ପରାଦୀପ ଅଂଚଳରେ ବ୍ରାଉନସୁଗାର ବିକ୍ରି ହେଉଥିବା ବେଳେ ଧୀରେ ଧୀରେ ସବୁ ବ୍ଳକ୍‌ରେ ବେପାରର ଚେର ମାଡ଼ିଥିଲା। ଯାହାର ଶିକାର ହୋଇ ଯୁବକମାନେ ପଥଭ୍ରଷ୍ଟ ହେଉଥିଲେ। ଏମାନେ ପୁଲିସ ଓ ଅବକାରୀ ବିଭାଗର କିଛି ଅଧିକାରୀଙ୍କୁ ହାତରେ ରଖି ବେପାର କରୁଥିଲେ।

ଏମିତିକି ଯେଉଁମାନେ ବିରୋଧ କରୁଥିଲେ ସେମାନଙ୍କୁ ପୁଲିସ ମିଛ ମାଲାରେ ଫସାଉଥିବା ଦେଖିବାକୁ ମିଳୁଥିଲା। ଉଦାହରଣ ସ୍ବରୂପ ବାଲିକୁଦା ଥାନା ବ୍ରାହ୍ମଣ୍ତିରେ ବ୍ରାଉନ୍‌ସୁଗାର ବୋପାରୀ ବାବୁ ପଣ୍ତାକୁ ପୋଲିସ ବେପାର କରିବାକୁ ପରୋକ୍ଷରେ ସହଯୋଗ କରୁଥିବା ନେଇ ଅଭିଯୋଗ ହୋଇଥିଲା। ସ୍ଥାନୀୟ ଯୁବକମାନେ ବିରୋଧ କରିବାରୁ ବାବୁର ସ୍ତ୍ରୀ ସେମାନଙ୍କ ବିରୋଧରେ ମିଥ୍ୟା ଅଭିଯୋଗ କରିଥିଲେ। ଏମିତିକି ତତ୍କାଳୀନ ବାଲିକୁଦା ଥାନା ଅଧିକାରୀ ସବେର୍ଶ୍ବର ବେହେରା ସେହି ଯୁବକମାନଙ୍କୁ ମାମଲାରେ ଛନ୍ଦି ଦେଇଥିବା ଅଭିଯୋଗ ହୋଇଥିଲା। ତେବେ ଏସ୍‌ପି ଶ୍ରୀ ସିଂହଙ୍କ ଯୋଗଦାନ ପରେ ଜିଲ୍ଲାର ବୁଦ୍ଧିଜୀବୀ, ବରିଷ୍ଠ ନାଗରିକଙ୍କ ନିବେଦନ ପରେ ବ୍ରାଉନ୍‌ସୁଗାର ମୁକ୍ତ ଅଭିଯାନ ଆରମ୍ଭ କରିଥିଲେ। ଦୀର୍ଘ ବର୍ଷ ଧରି ଥାନାରେ ଚଉକି ମାଡ଼ି ବସିଥିବା ଥାନା ଅଧିକାରୀ, ଏସ୍‌ଆଇ, ଏଏସ୍‌ଆଇ, କନଷ୍ଟେବଳ, ହାବିଲଦାରମାନଙ୍କୁ ବଦଳି କରିଥିଲେ।

odishabytes.com

ସ୍ବତନ୍ତ୍ର ଟିମ୍ ଗଠନ କରି ଏହି ଚୋରାବେପାରୀଙ୍କୁ ଉପରେ ନଜର ରଖିଥିଲେ। ଇତିମଧ୍ୟରେ ପାରାଦୀପ ଲକ୍ ଥାନା, ଅଭୟଚାନ୍ଦପୁର ଥାନା ଓ ପାରାଦୀପ ଆଦର୍ଶ ଥାନା ଅଧୀନରେ ୭ଟି ମାମଲା, ଜଗତସିଂହପୁର ଥାନା ଅଧୀନରେ ୧୧ଟି , ଏରସମା ଥାନା ଅଚଂଳରେ ୩ଟି, କୁଜଙ୍ଗରେ ୩ଟି, ରଘୁନାଥପୁରରେ ଦୁଇଟି, ତିର୍ତୋଲ ଥାନାରେ ୫ଟି ମାମଲା, ବିରିଡ଼ି ଥାନାରେ ଗୋଟିଏ ମାମଲା, ବାଲିକୁଦା ଥାନାରେ ୩ଟି ମାମଲା ରୁଜୁ ହୋଇଛି। ମୋଟ ୧ କେଜି ୧୪ ଗ୍ରାମ୍ ବ୍ରାଉନ୍‌ସୁଗାର, ୨୨ ଲକ୍ଷ ୫୯ ହଜାର ୪୬୦ ଟଙ୍କା, ୧୫ଟି ଦୁଇ ଚକିଆ ଓ ଦୁଇଟି ଚାରି ଚକିଆ, ଗୋଟିଏ ବନ୍ଧୁକ ଜବତ ହୋଇଛି। ଏହି ମାମଲାରେ ୬୯ ଜଣଙ୍କୁ ଗିରଫ କରିଛି ପୋଲିସ। ଆସନ୍ତା ଦୁଇ ମାସ ଭିତରେ ଜିଲ୍ଲାରୁ ସମ୍ପୂର୍ଣ୍ଣ ବ୍ରାଉନ୍‌ସୁଗାର ବେପାରକୁ ବନ୍ଦ କରିବାକୁ ଥାନା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଣେ ଅବକାରୀ ବିଭାଗ ଏକ ପ୍ରକାର ସ୍ଥାଣୁ ପାଲଟିଛି।

The post ଏସ୍‌ପିଙ୍କ ମିସନ୍‌ ଧଳା ଜହରମୁକ୍ତ ଜଗତସିଂହପୁର,ଜବତ ହେଲାଣି କୋଟିଏ ଟଙ୍କାର ବ୍ରାଉନ୍‌ସୁଗାର, ୬୪ ଗିରଫ first appeared on Sambad.

from ଜିଲ୍ଲା | Sambad https://ift.tt/3lfaRXD