
କୋରାପୁଟ : ଥଇଥାନ ଦାବିରେ ଜିଲ୍ଲାପାଳ ଅବଦ୍ଦଲ ଏମ. ଅଖତର ଓ ପୌର ନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର ଦେଇଛନ୍ତି କ୍ଷତିଗ୍ରସ୍ତ ପରିବାର। ଜାତୀୟ ରାଜପଥ ସଂପ୍ରସାରଣ ପାଇଁ କୋରାପୁଟ ପୌର ପରିଷଦ ଅନ୍ତର୍ଗତ ୬ ନମ୍ବର ୱାର୍ଡରେ ଜବରଦଖଲ ଉଚ୍ଛେଦ କରାଯାଇଥିଲା। ଭଙ୍ଗା ଯାଇଥିବା ବାସଗୃହ ପାଇଁ ପିଲାଛୁଆଙ୍କୁ ନେଇ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଥିବା ନେଇ ଆଜି ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି। ସେମାନଙ୍କୁ ଥଇଥାନ କରିବା ଓ ଘର ଭାଙ୍ଗିବା ସମୟରେ କ୍ଷତି ହୋଇଥିବା ଘର କରଣା ଜିନିଷ ପତ୍ରର ଉଚିତ କ୍ଷତି ପୂରଣ ଦେବାକୁ ଲିଖିତ ଦାବି କରିଛନ୍ତି।
ସେମାନଙ୍କ କହିବା ହେଲା ସେମାନେ ଦୀର୍ଘ ୨୫ ବର୍ଷରୁ ଉର୍ଦ୍ଧ୍ବ ହେବ ସରକାରୀ ଜାଗାରେ କୁଡ଼ିଆ ଘର କରି ବସବାସ କରି ଆସୁଥିଲେ। ସେମାନେ ସମସ୍ତେ ଦିନ ମଜୁରିଆ ଭାବେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ। ପୂର୍ବରୁ କୋରାପୁଟ ପୌରପରିଷଦ ତରଫରୁ ସେମାନଙ୍କୁ ଉକ୍ତ ସ୍ଥାନରେ ବସବାସ କରିବା ପାଇଁ ଯୋଗ୍ୟତା ପ୍ରମାଣପତ୍ର ଦିଆଯାଇଥିବା ସହ ଉକ୍ତ ସ୍ଥାନକୁ ଉଷା ସର୍ଭେର ପରିସର ଭୁକ୍ତ କରାଯାଇ ଥିଲା। ସହରରେ ଅନ୍ୟ ସ୍ଥାନ ମାନଙ୍କରେ ଉଷା ସର୍ଭେରେ ସ୍ଥାନ ପାଇଥିବା ବସ୍ତି ବାସିନ୍ଧାଙ୍କୁ ପଟ୍ଟା ପ୍ରଦାନ କରାଯାଇଛି । ରାଜପଥ ସଂପ୍ରସାରଣ ଆଳରେ ବିନା ନୋଟିସରେ ସେମାନଙ୍କ ଘର ସବୁ ଭାଙ୍ଗି ଦିଆଗଲା। ଏହାର ଦୁଇଦିନ ପୂର୍ବରୁ ପ୍ରଶାସନ ପକ୍ଷରୁ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ରାଜପଥ ଦୁଇ କଡ଼ରେ ଥିବା ଦୋକାନ ଗୃହ ଭାଙ୍ଗିବା ପାଇଁ ପ୍ରଚାର କରାଯାଇଥିଲା ବାସଗୃହ ପାଇଁ କିଛିବି ନିର୍ଦେଶ ନଥିଲା ବୋଲି ସେମାନେ କହିଛନ୍ତି। ହଠାତ ଦୁଇଦିନ ପରେ ପ୍ରଶାସନ ପକ୍ଷରୁ ଜେସିବି ମେସିନ ଲଗାଇ ବାସ ଗ୍ରହ ଗୁଡିକ ଭାଙ୍ଗି ଦିଆଗଲା। ଏଥିପାଇଁ ସେମାନେ ପୂର୍ବରୁ କୌଣସି ପ୍ରସ୍ତୁତି କରି ପାରି ନଥିଲେ, ଫଳରେ ସେମାନଙ୍କ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପତ୍ର, ଖାଦ୍ୟ ସାମଗ୍ରୀ, ଆସବାବପତ୍ର ପ୍ରଭୃତି ନଷ୍ଟ ହୋଇଗଲା। ବର୍ତ୍ତମାନ ସେମାନଙ୍କୁ ମୁଣ୍ଡ ଗୁଞ୍ଜିବାକୁ ସ୍ଥାନ ନାହିଁ। ପିଲା ଛୁଆଙ୍କୁ ନେଇ ଖୋଲା ଆକାଶ ତଳେ ପଡିରହିବାକୁ ପଡୁଥିବା ସେମାନେ କହିଛନ୍ତି। ପ୍ରଶାସନ ବର୍ତ୍ତମାନ ସେମାନଙ୍କୁ ରହିବ ପାଇଁ କୌଣସି ଅସ୍ଥାୟୀ ଗୃହର ବ୍ୟବସ୍ଥା କରିଦେବାକୁ ଦାବି କରିଛନ୍ତି। ପରବର୍ତୀ ସମୟରେ ସେମାସନଙ୍କୁ ଆବାସ ଯୋଜନାରେ ସହରର ଯେକୌଣସି ଜାଗାରେ ରହିବା ପାଇଁ ବାସଗୃହ ଯୋଗାଇଦେବାକୁ ଦାବୀ କରିଛନ୍ତି ଓ ବର୍ତ୍ତମାନ ସେମାନଙ୍କ ପାଇଁ ରନ୍ଧା ଖାଦ୍ୟ ଜଗାଇ ଦେବାକୁ ଲିଖିତ ଭାବେ ଜଣାଇଛନ୍ତି। ଏହି ଦାବିପତ୍ର କୋରାପୁଟ ଜିଲ୍ଲାପାଳ ଓ ତହସିଲଦାରଙ୍କୁ ମଧ୍ୟ ସେମାନେ ପ୍ରଦାନ କରିଛନ୍ତି।
The post ଥଇଥାନ ଦାବିରେ କୋରାପୁଟ ଜିଲ୍ଲାପାଳଙ୍କୁ ଦାବିପତ୍ର first appeared on Sambad.from ଜିଲ୍ଲା | Sambad https://ift.tt/3uSxBji
0 Comments