
ବଡ଼ବିଲ : ବିଶିଷ୍ଟ ଖଣି ବ୍ୟବସାୟୀ ତଥା ଶିଳ୍ପପତି କମଲଜିତ୍ ସିଂ ଆଲୁୱାଲିଆ(୭୮)ଙ୍କର ଦିଲ୍ଲୀସ୍ଥିତ, ମହାରାଣୀବାଗ ବାସଭବନରେ ଗତ ୧୫ ତାରିଖରେ ପରଲୋକ ଘଟିଛି। ତାଙ୍କ ନିକଟରେ ତାଙ୍କ ଧର୍ମପତ୍ନୀ ମଂଜୁଳା ଆଲୁୱାଲିଆଙ୍କ ସହ ଝିଅ ହିମାଙ୍ଗିନୀ ସିଂ ଓ ଜ୍ବାଇଁ କରନପାଲ୍ ସିଂ ଉପସ୍ଥିତ ଥିଲେ। ବର୍ଷେ ହେବ ଶ୍ରୀ ଆଲୁୱାଲିଆ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ। ବଡ଼ବିଲ ପୌରାଞ୍ଚଳ ୧୫ ନମ୍ବର ୱାର୍ଡର ସାଧୁସିଂ ହଟିଂରେ ଯୋଡା-ବଡ଼ବିଲ ରାଜ୍ୟରାଜପଥକୁ ଲାଗି ତାଙ୍କର ବାସଭବନ ରହିଛି।
ସ୍ବର୍ଗତ ଆଲୁୱାଲିଆ ଜଣେ ଆଗଧାଡିର ଖଣି ବ୍ୟବସାୟୀ ଭାବେ ପରିଚିତ ଥିବାବେଳେ, ସେ କେଜେଏସ୍ ଆଲୁୱାଲିଆ ଗ୍ରୁପ୍ର ଚେୟାରମ୍ୟାନ ଥିଲେ। ସେ ଓଡ଼ିଶା ସମେତ ମଧ୍ୟପ୍ରଦେଶ, ଦିଲ୍ଲୀ, ଗୋଆରେ ଶିଳ୍ପ ପ୍ରତିଷ୍ଠା କରି ପ୍ରତ୍ୟକ୍ଷରେ ୫ ହଜାରରୁ ଅଧିକ ସ୍ଥାୟୀ ନିଯୁକ୍ତି ଓ ପରୋକ୍ଷରେ ୨୦ ହଜାର ପରିବାରକୁ ରୋଜଗାର ଯୋଗାଇ ଆସୁଥିଲେ। ୨୦୧୦-୧୧ ମସିହାରେ କେଜେଏସ୍ ଗ୍ରୁପ ସରକାରଙ୍କ ରାଜକୋଷକୁ ୯୫ କୋଟି ଟଙ୍କା ଟିକସ ଦେଇ ସେ ସମୟରେ ଇତିହାସ ସୃଷ୍ଟି କରିଥିଲା। ଠିକ ସେହିପରି ଯୋଡ଼ା ଓ କୋଇଡା ଖଣି ଅଞ୍ଚଳରେ ଜଣେ ପ୍ରଭାବଶାଳୀ ଖଣିମାଲିକ ଭାବେ ସେ ବେଶ ଜଣାଶୁଣା ଥିଲେ। ତାଙ୍କ ବିୟୋଗରେ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ଠାରୁ ଆରମ୍ଭ କରି ବଡ଼ବିଲ, କେନ୍ଦୁଝର ସମେତ ସାରା ରାଜ୍ୟରେ ଶୋକର ଛାୟା ଖେଳାଇ ଦେଇଛି। ଆତ୍ମୀୟ ସ୍ବଜନ ଓ ପରିବାରବର୍ଗଙ୍କ ଗହଣରେ ଦିଲ୍ଲୀ ଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।
The post ବିଶିଷ୍ଟ ଶିଳ୍ପପତି କମଲଜିତ୍ ସିଂ ଆଲୁୱାଲିଆଙ୍କ ପରଲୋକ first appeared on Sambad.from ଜିଲ୍ଲା | Sambad https://ift.tt/3j6PpTa
0 Comments