ବାଲିଅନ୍ତା: ଆଜି ସଂଧ୍ୟା ୫ଟା ସମୟରେ ଭାରତୀୟ ରେଲୱେ ବୋର୍ଡ଼ର ଅଧ୍ୟକ୍ଷ ସୁନୀତ ଶର୍ମା ବାଲିଅନ୍ତା ବ୍ଲକ ଅଧୀନ ହୀରାପୁର ସ୍ଥିତ ଚଉଷଠୀ ଯୋଗିନୀ ପୀଠ ପରିଦର୍ଶନରେ ଆସିଥିଲେ। ତାଙ୍କ ସହିତ ଭୁବନେଶ୍ବର ରେଲୱେର ମହା ପ୍ରବନ୍ଧକଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀମାନେ ପରିଦର୍ଶନରେ ଆସିଥିଲେ। ଏହି ପରିପ୍ରେକ୍ଷୀରେ ଶ୍ରୀ ଶର୍ମା ଚଉଷଠୀ ଯୋଗିନୀ ପୀଠ ପରିସର ପ୍ରବେଶପଥରେ ଥିବା ସଙ୍କଟେଶ୍ବରଙ୍କୁ ପ୍ରଥମେ ଦର୍ଶନ କରିଥିଲେ। ଏହାପରେ ଚଉଷଠୀ ଯୋଗିନୀ ପୀଠ ଭିତରେ ମହାମାୟାଙ୍କୁ ଦର୍ଶନ କରିବା ସହ ପୁଷ୍ପାଞ୍ଜଳୀ ଅର୍ପଣ କରିଥିଲେ।

ମନ୍ଦିର ଗର୍ଭ ଗୃହରେ ସ୍ଥାପିତ ପ୍ରତିମୂର୍ତ୍ତି ଗୁଡ଼ିକର କେଶ ବିନ୍ୟାସ ଏବଂ ରୂପଚର୍ଯ୍ୟା ସଂପର୍କରେ ସେବାୟତ ମନୋଜ କୁମାର ମହାପାତ୍ରଙ୍କୁ ପଚାରି ତଥ୍ୟ ସଂଗ୍ରହ କରିଥିଲେ। ଏଥିସହିତ ପୀଠରେ ବର୍ଷରେ ବିଭିନ୍ନ ସମୟରେ ଅନୁଷ୍ଠିତ ହେଉଥିବା ପୂଜା ପାର୍ବଣ ସଂପର୍କରେ ଅନ୍ୟତମ ବରିଷ୍ଠ ସେବାୟତ ରଘୁନାଥ ମହାପାତ୍ରଙ୍କୁ ପଚାରି ବୁଝିଥିଲେ।

ଏହାଛଡ଼ା ପୀଠକୁ ବର୍ଷରେ ଆସୁଥିବା ରାଜ୍ୟ ବାହାର ଏବଂ ବିଦେଶୀ ପର୍ଯ୍ୟଟକମାନଙ୍କ ସଂପର୍କରେ ଉପସ୍ଥିତ ସ୍ଥାନୀୟ ଲୋକଙ୍କୁ ପଚାରି ବୁଝିଥିଲେ। ବାଳକାଟି ଫାଣ୍ଡି ଅଧିକାରୀ ମମତାଜ ଅଲ୍ଲୀ ଖାନ ସୁରକ୍ଷା ନେଇ ଉପସ୍ଥିତ ଥିଲେ। ସୂଚନା ମୁତାବକ ଅଧ୍ୟକ୍ଷ ଶ୍ରୀ ମିଶ୍ର ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ସମେତ ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରିଥିବା ସୂଚନା ମିଳିଛି।

The post ଭାରତୀୟ ରେଲୱେ ବୋର୍ଡ଼ ଅଧ୍ୟକ୍ଷଙ୍କ ଚଉଷଠୀ ଯୋଗିନୀ ପୀଠ ପରିଦର୍ଶନ first appeared on Sambad.

from ଜିଲ୍ଲା | Sambad https://ift.tt/39ZwHbi