ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନଭୋଜନ ଅର୍ଥ ହଡ଼ପ ଅଭିଯୋଗ: ପ୍ରଧାନଶିକ୍ଷକ ସାଧୁଚନ୍ଦ୍ର ଛତର ନିଲମ୍ବିତ

ମୁରିବାହାଲ : କରୋନା କାଳରେ ଛାତ୍ରଛାତ୍ରୀଙ୍କ ପାଇଁ ଆସିଥିବା ମଧ୍ୟାହ୍ନଭୋଜନ ଅର୍ଥ ହଡ଼ପ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ୍‌ ମାକ୍ରୀପଡ଼ା ୟୁଜି ହାଇସ୍କୁଲର ପ୍ରଧାନ ଶିକ୍ଷକ ସାଧୁଚନ୍ଦ୍ର ଛତର ନିଲମ୍ବିତ ହୋଇଛନ୍ତି। ଭାରପ୍ରାପ୍ତ ଏବିଇଓ କୋଦଣ୍ଡଧର ଭୋଇଙ୍କ ତଦନ୍ତ ଆଧାରରେ ତାଙ୍କୁ ବ୍ଲକ୍‌ ଶିକ୍ଷା ବିଭାଗ ଚିଠି ସଂଖ୍ୟା ୧୧୬୨ରେ ନିଲମ୍ବିତ କରାଯାଇଛି ବୋଲି ଭାରପ୍ରାପ୍ତ ବିଇଓ ମକୁନ୍ଦ ମହରା ପ୍ରକାଶ କରିଛନ୍ତି। ଏହି ସମୟରେ ସେ ଲେବଡ଼ା ହାଇସ୍କୁଲରେ ପ୍ରତିଦିନ ଉପସ୍ଥିତ ରହିବେ ବୋଲି ଚିଠିରେ ଉଲ୍ଲେଖ ରହିଛି।

ପ୍ରକାଶ ଯେ ଗତ ସୋମବାର ମାକ୍ରୀପଡ଼ା ହାଇସ୍କୁଲରେ ତାଲା ପକାଇ ଅଭିଭାବକମାନେ ପ୍ରତିବାଦ କରିଥିଲେ। ମଙ୍ଗଳବାର ସ୍କୁଲକୁ ଭାରପ୍ରାପ୍ତ ଏବିଇଓ ଶ୍ରୀ ଭୋଇ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ସେ ପ୍ରଧାନ ଶିକ୍ଷକ ଶ୍ରୀ ଛତରଙ୍କ ଉପସ୍ଥିତିରେ କାଗଜପତ୍ର ଯାଞ୍ଚ କରି ଜବତ କରିଥିଲେ। ଏହି ସ୍କୁଲରେ ୧ମରୁ ୧୦ମ ଶ୍ରେଣୀର ମୋଟ ୪୫୮ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ୧ମରୁ ୮ମ ପର୍ଯ୍ୟନ୍ତ ୩୩୬ଜଣଙ୍କୁ ପାସ୍‌ବୁକ୍‌ରେ କରୋନା କା‌ଳର ମଧ୍ୟାହ୍ନଭୋଜନ ବାବଦ ଅର୍ଥ ଜମା କରାଯିବା କଥା। କିନ୍ତୁ ପ୍ରଧାନ ଶିକ୍ଷକ ଶ୍ରୀ ଛତର ୧ମରୁ ୫ମ ଛାତ୍ରଛାତ୍ରୀଙ୍କ ପାସ୍‌ବୁକ୍‌ରେ ମାତ୍ର ୩ଶହ ଓ ୬ଷ୍ଠରୁ ୮ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାସ୍‌ବୁକ୍‌ରେ ମାତ୍ର ୫ଶହ ଟଙ୍କା ଲେଖାଏଁ ଜମା କରି ବାକି ସମସ୍ତ ଅର୍ଥକୁ ନିଜେ ହଡ଼ପ କରିଥିବା ଅଭିଭାବକମାନେ ଅଭିଯୋଗ କରିଥିଲେ।

The post ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନଭୋଜନ ଅର୍ଥ ହଡ଼ପ ଅଭିଯୋଗ: ପ୍ରଧାନଶିକ୍ଷକ ସାଧୁଚନ୍ଦ୍ର ଛତର ନିଲମ୍ବିତ first appeared on Sambad.

from ଜିଲ୍ଲା | Sambad https://ift.tt/3apeQLe

Post a Comment

0 Comments