
ରାଉରକେଲା: ଗତକାଲି ରାତିରେ ବନ୍ଧୁକ କିଣା ବିକା ଅଭିଯୋଗରେ ସେକ୍ଟର-୧୯ ପୁଲିସ ତି୍ନି ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ଏମାନଙ୍କ ନିକଟରୁ ଦୁଇଟି ବନ୍ଧୁକ ଓ କିଛି ଅଫୁଟା ଗୁଳି ଜବତ କରିଥିବା ଜଣାପଡିଛି। ଆଜି ଅପରାହ୍ନରେ ସେକ୍ଟର-୧୮ ମାର୍କେଟ ନିକଟରେ ସେହି ସମାନ ଘଟଣାର ପୁନରାବୃତ୍ତି ହୋଇଥିଲା। ବନ୍ଧୁକ କିଣାବିକା ଚାଲିଥିବା ଖବର ପାଇ ସେକ୍ଟର-୧୯ ଥାନାର ସ୍ବତନ୍ତ୍ର ଟିମ୍ ଚଢ଼ଉ କରିଥିଲେ। ମାତ୍ର ଅପରାଧୀମାନେ ଫାଙ୍କା ଗୁଳି ଚାଳନା ଉଭୟ ପୁଲିସ ଓ ସ୍ଥାନୀୟ ଲୋକଙ୍କୁ ଭୟଭୀତ କରି ଘଟଣାସ୍ଥଳରୁ ଫେରାର ଯାଇଥିଲେ। ଫାଙ୍କା ଗୁଳି ଚାଳନା ସମ୍ପର୍କରେ ସ୍ଥାନୀୟ ଲୋକ କହୁଥିଲାବେଳେ ପୁଲିସ କିନ୍ତୁ ସେମିତି କିଛି ହୋଇ ନଥିବା କହିଛି। ସେପଟେ ଫେରାର ଅପରାଧୀମାନଙ୍କୁ ଧରିବାକୁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ସହରର ପ୍ରମୁଖ ଛକରେ ଗାଡି ଯାଞ୍ଚକୁ କଡାକଡି କରାଯାଉଛି। ସହରର ବିର୍ସାମୁଣ୍ଡା ଛକ, ଛେଣ୍ଡ ଛକ, ସେକ୍ଟର-୭/୧୭ ଛକ, ସେକ୍ଟର-୨ ବିଜୁ ପଟ୍ଟନାୟକ ଛକ, ପାନପୋଷ ଗାନ୍ଧି ଛକ, ବନ୍ଧମୁଣ୍ଡା ରୋଡ ସମେତ ଝିରପାଣି ବ୍ରିଜ ଉପରେ ଯାତାୟତ କରୁଥିବା ଦୁଇ, ତିନି ଚିକିଆ ସହ ଚାରି ଚକିଆ ଯାନଗୁଡ଼ିକ ଯାଞ୍ଚ କରାଯାଉଛି। ଏ ସଂକ୍ରାନ୍ତରେ ଜାଣିବାକୁ ସେକ୍ଟର-୧୯ ଥାନା ଅଧିକାରୀ ମାନସ କୁମାର ସ୍ବାଇଁଙ୍କୁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେହି ଫୋନ୍ ଉଠାଇ ନଥିଲେ। ଉଲ୍ଳେଖଯୋଗ୍ୟ, ସହରରେ କଥା କଥାକେ ଗୁଳି ଫୁଟୁଛି। ଗତ କିଛି ମାସରେ ଗୁଳିକାଣ୍ଡରେ ୨/୩ ଜଣଙ୍କ ମୃତ୍ୟୁ ହୋଇଛି। ଚୋରା ବନ୍ଧୁକ କେଉଁଠୁ ଆସୁଛି ? କାରବାର ଚେର କେତେ ବାଟ ଲମ୍ବିଛି ? କେଉଁମାନଙ୍କର ସମ୍ପୃକ୍ତି ରହିଛି ? ଜିଲ୍ଲା ପୁଲିସ ଏହାର ତଦନ୍ତ କରିବାର ଆବଶ୍ୟକତା ରହିଛି।
The post ବନ୍ଧୁକ ସହ ଅଫୁଟା ଗୁଳି ଜବତ, ୩ ଅଟକ first appeared on Sambad.from ଜିଲ୍ଲା | Sambad https://ift.tt/3uULY6Z
0 Comments