
ରାୟଗଡ଼ା: ରାୟଗଡ଼ା ‘ସମ୍ବାଦ’ ସାହିତ୍ୟ ଘର ପକ୍ଷରୁ ଶାରଦୀୟ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ସଭାପତି କବି ସୁଶାନ୍ତ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ନ୍ୟୁ ଟାଉନ୍ ପୂଜା କମିଟି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଆସରରେ ବହୁ କବି ଓ କବୟିତ୍ରୀ ଯୋଗଦେଇ ନିଜର ସ୍ବରଚିତ କବିତା ପାଠ କରିଥିଲେ। ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ଶିକ୍ଷାବିତ୍ ଡଃ. ଦୁଷ୍ମନ୍ତ କୁମାର ମହାନ୍ତି ଯୋଗଦେଇ ଭାଷା, ସାହିତ୍ୟକୁ ଅଧିକ ରୁଦ୍ଧିମନ୍ତ କରିବା ପାଇଁ ପ୍ରତି ମାସରେ କବିତା ଆସରର ଆୟୋଜନ କରିବାକୁ ପ୍ରସ୍ତାବ ଦେଇଥିଲେ। ସାଂପ୍ରତିକ ସମାଜରେ ସାହିତ୍ୟ ସଂଘର୍ଷର କଥା କହିଥାଏ। ପ୍ରତ୍ୟେକ କବି ବର୍ଷକୁ ୧୨ଟି କବିତା ଲେଖିଲେ ୫/୬ ବର୍ଷରେ ଏକ ପୁସ୍ତକ ପ୍ରକାଶ ପାଇ ପାରିବ। ଯାହା ଆଗାମୀ ପିଢ଼ିକୁ ସାହିତ୍ୟ ପ୍ରତି ଆର୍କଷିତ କରିବ।
ଏ ମାଟି ବହୁ ସାରସ୍ବତ ସାଧକଙ୍କୁ ଜନ୍ମ ଦେଇଛି। ଗୋପିନାଥ ମହାନ୍ତିଙ୍କଠୁ ଆରମ୍ଭ କରି ଶିବ ଗନ୍ତାୟତଙ୍କ ପର୍ଯ୍ୟନ୍ତ ସଭିଁଏ କାଳଜୟୀ ସାହିତ୍ୟ ରଚନା କରି ମାଟିର ଟେକ ରଖିଛନ୍ତି ବୋଲି ଶ୍ରୀ ମହାନ୍ତି କହିଥିଲେ। କବିତା ଆସରରେ ପାଠ କରାଯାଇଥିବା ପାର୍ବଣ ଓ ପରିବେଶ ସୁରକ୍ଷା ସଂପର୍କିତ କବିତା ଗୁଡ଼ିକ ବହୁତ ଆକର୍ଷିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାହିତ୍ୟିକ ରାମପ୍ରସାଦ ବିଷୋଇ, ବିପିନ୍ ବିହାରୀ ବିଶ୍ବାଳ, ପ୍ରଶାନ୍ତ କୁମାର ପଟ୍ଟନାୟକ, ତ୍ରିବେଣୀ ମିଶ୍ର, କୃଷ୍ଣପ୍ରିୟା ସାହାଣୀ, ମହାଶ୍ବେତା ପାଣିଗ୍ରାହୀ, ମଞ୍ଜୁଶ୍ରୀ ମୁର୍ଖାଜୀ, ପ୍ରକଳ୍ପିନୀ ପଟ୍ଟନାୟକ, ବିମଳଚାନ୍ଦ ପଟ୍ଟନାୟକ, ରାଧାମୋହନ ପାଣିଗ୍ରାହୀ, ପଦ୍ମିନୀ ମିଶ୍ର, ରବି ଶତପଥୀ ପ୍ରମୁଖ କବିତା ପାଠ କରିଥିଲେ। ଗ୍ରିନ୍ ରାୟଗଡ଼ା ସହଯୋଗରେ ଅନୁଷ୍ଠିତ ସାହିତ୍ୟ ଆସରକୁ ‘ସମ୍ବାଦ’ ର ରାୟଗଡ଼ା ଜିଲ୍ଲା ପ୍ରତିନିଧି ନବୀନ ଚନ୍ଦ୍ର ସାହୁ ଓ ଗ୍ରିନ୍ ରାୟଗଡ଼ାର କେ. କେ. ଜେନା ପରିଚାଳନା କରିଥିଲେ।
The post ସମ୍ବାଦ ସାହିତ୍ୟ ଘର ପକ୍ଷରୁ ଶାରଦୀୟ କବିତା ଆସର: ‘ସାଂପ୍ରତିକ ସମାଜରେ ସଂଘର୍ଷର କଥା କହେ ସାହିତ୍ୟ’ first appeared on Sambad.from ଜିଲ୍ଲା | Sambad https://ift.tt/3FveDEF
0 Comments