ଭୁବନେଶ୍ବର : ସେପ୍ଟେମ୍ବର ୩୦ରେ ପିପିଲି ଉପନିର୍ବାଚନ ପାଇଁ ମତଦାନ ହୋଇଥିବା ବେଳେ ୩ ତାରିଖ ରବିବାର ଦିନ ଭୋଟ୍‌ ଗଣତି ହେବ। ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏହି ଉପନିର୍ବାଚନର ଫଳାଫଳ ଏବଂ ବିଜୟ ଭୋଟ୍‌ ବ୍ୟବଧାନ ଗୁରୁତ୍ବ ବହନ କରୁଥିବାରୁ ସବୁ ଦଳ ଏବେ ଫଳାଫଳକୁ ଅପେକ୍ଷା କରିଛନ୍ତି।

ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନି ଶନିବାର ଏକ ସାମ୍ବାଦିକ ସମ୍ମିଳନୀ‌ରେ କହିଛନ୍ତି ଯେ ରବିବାର ସକାଳ ୮ଟାରୁ ଭୋଟ୍‌ ଗଣତି ଆରମ୍ଭ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପ୍ରଥମେ ପୋଷ୍ଟାଲ ବାଲଟ୍ ଗଣତି ହେବ। ଏହାପରେ ଇଭିଏମ୍‌ରେ ପଡ଼ିଥିବା ଭୋଟ୍‌ ଗଣତି ହେବ। ଦୁଇଟି ହଲ୍‌ରେ ଇଭିଏମ୍‌ ଓ ଗୋଟିଏ ହଲ୍‌ରେ ପୋଷ୍ଟାଲ ବାଲଟ୍ ଗଣତି ହେବ। ଇଭିଏମ୍ ପାଇଁ ଗୋଟିଏ ହଲ୍‌ରେ ୭ଟି ଲେଖାଏଁ ଟେବୁଲ୍ ପଡ଼ିବ। ସେହି ହିସାବରେ ଦୁଇଟି ହଲ୍‌ରେ ୧୪ଟି ଟେବୁଲ ପଡ଼ିବ। ଭୋଟ୍‌ ଗଣତି କରିବାକୁ ୬୨ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଗଣତି ଟେବୁଲ୍‌ ନିକଟରେ ପ୍ରାର୍ଥୀମାନେ ସେମାନଙ୍କ ଏଜେଣ୍ଟ ରଖିପାରିବେ। ଗଣମାଧ୍ୟମର କର୍ମଚାରୀ କେବଳ କ୍ୟାମେରା ନେଇ ଗଣତି ହଲ୍‌ ଭିତରକୁ ଯାଇପାରିବେ। କିନ୍ତୁ ସମସ୍ତେ ଦୁଇ ଡୋଜ୍ କୋଭିଡ ଟିକା ନେଇଥିବେ କିମ୍ବା କୋଭିଡ୍ ନେଗେଟିଭ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ କରାଯାଇଛି। ସେହିପରି ଗଣତି କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଶ୍ରୀ ଲୋହାନି ସୂଚନା ଦେଇଛନ୍ତି।

ଏଥର ପିପିଲି ବିଧାନସଭା ନିର୍ବାଚନମଣ୍ଡଳୀରେ ୨ଲକ୍ଷ ୨୯ହଜାର ୯୯୮ଜଣ ଭୋଟର ଥିବା ବେଳେ ୭୮.୨୫% ମତଦାନ ହୋଇଛି। ୧୯୯୫ ମସିହା ପରେ ପିପିଲି ନିର୍ବାଚନମଣ୍ଡଳୀରେ ଏହା ସର୍ବାଧିକ ମତଦାନ। ୧୯୯୫ରେ ଏଠାରେ ୮୨.୩% ମତଦାନ ହୋଇଥିଲା।

ସୂଚନାଯୋଗ୍ୟ ଯେ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଏଠାରେ ଉପନିର୍ବାଚନ ହୋଇଛି। ଉପନିର୍ବାଚନରେ ୧୦ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରିଛନ୍ତି। ବିଜେଡ଼ିରୁ ରୁଦ୍ର ପ୍ରତାପ ମହାରଥୀ, ବିଜେପିରୁ ଆଶ୍ରିତ ପଟ୍ଟନାୟକ ଓ କଂଗ୍ରେସରୁ ବିଶ୍ବକେଶନ ହରିଚନ୍ଦନ ମହାପାତ୍ର ମଇଦାନରେ ଅଛନ୍ତି। ଅନ୍ୟାନ୍ୟ ଦଳରୁ ୪ଜଣ ଓ ୩ଜଣ ସ୍ବାଧୀନ ପ୍ରାର୍ଥୀ ଅଛନ୍ତି।

The post ପିପିଲି ଭୋଟ୍‌ ଗଣତି ଆଜି first appeared on Sambad.

from ଜିଲ୍ଲା | Sambad https://ift.tt/3l1Nxwz