
ଜଳେଶ୍ବର : ବାଲେଶ୍ବର ଜିଲ୍ଲା ଜଳେଶ୍ବରସ୍ଥିତ ଆମ୍ବଳିଅଠା ଝଗଡ଼େଶ୍ବର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଶନିବାର ଦିନ କଂଗ୍ରେସ ପକ୍ଷରୁ ଜଳେଶ୍ବର ନିର୍ବାଚନ ମଣ୍ଡଳୀସ୍ତରୀୟ ଜନସମ୍ପର୍କ ପଦଯାତ୍ରା ଶୁଭାରମ୍ଭ ହୋଇଛି। ଶୁଭାରମ୍ଭ ଦିବସରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଶ୍ରୀ ପଟ୍ଟନାୟକ ସାଧାରଣ ଜନତା ଓ ଦଳୀୟ କର୍ମକର୍ତ୍ତାମାନଙ୍କୁ ଆହ୍ବାନ ଦେଇ କହିଲେ, ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ଉତ୍ତର ବାଲେଶ୍ବରର ଜଳେଶ୍ବର, ଭୋଗରାଇ ଓ ବାଲିଆପାଳ ଅଞ୍ଚଳବାସୀ ଦୟନୀୟ ଅବସ୍ଥାରେ ରହିଛନ୍ତି। ସ୍ଥାନୀୟ ଅଞ୍ଚଳର ବର୍ଷାଜଳ ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା ନଥିବା ବେଳେ ପଶ୍ଚିମବଙ୍ଗର ଉଦ୍ବୃତ୍ତ ବର୍ଷାପାଣି ଏହି ଅଞ୍ଚଳକୁ ମାଡ଼ି ଆସୁଛି। ଏହା ସହ ସୁବର୍ଣ୍ଣରେଖାର ବନ୍ୟା ପରିସ୍ଥିତି ମଧ୍ୟ ଦାଉ ସାଧୁଛି। ଜଳ ନିଷ୍କାସନ ପାଇଁ ସରକାରଙ୍କ କୌଣସି ଯୋଜନା ନାହିଁ। ପ୍ରସ୍ତାବିତ ସୁବର୍ଣ୍ଣରେଖା ସଂସ୍କାର ଯୋଜନା ଫାଇଲ୍ ଭିତରେ ରହିଯାଇଛି। ଏହି ସମସ୍ୟାର ସମାଧାନ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। ଲୋକଙ୍କ ଜୀବନ ସହ ଖେଳୁଛନ୍ତି। ଅର୍ଥ ଓ କ୍ଷମତା ବଳରେ ଯେକୌଣସି ପ୍ରକାରେ କ୍ଷମତା ହାସଲ କରିବାକୁ ବିଜେପି ଓ ବିଜେଡି ସେମାନଙ୍କ ନୀତି କରିଛନ୍ତି। ସରକାରଙ୍କ ଏହି ଅପାରଗତା ବିରୋଧରେ ଅଞ୍ଚଳବାସୀଙ୍କୁ ଏକତ୍ରିତ ହେବାକୁ ପଡ଼ିବ। ସୁବର୍ଣ୍ଣରେଖା ସଂସ୍କାର ଯୋଜନା ଓ ଜଳ ନିଷ୍କାସନ ସମସ୍ୟାକୁ ମୁଖ୍ୟ ପ୍ରସଙ୍ଗ କରି ବିଜେଡି ଓ ବିଜେପିର ନେତାମାନଙ୍କୁ ପ୍ରଶ୍ନ କରିବାକୁ ପଡ଼ିବ। ନିଜ ହକ୍ ପାଇଁ ଲଢ଼େଇ କରିବାକୁ ପଡ଼ିବ ବୋଲି ଶ୍ରୀ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି।
ଶନିବାର ପୂର୍ବାହ୍ନରେ ନଛିମପୁରଠାରେ ଦଳର ନେତା ତଥା ପିସିସି ମୁଖପାତ୍ର ସୁଦର୍ଶନ ଦାସଙ୍କ ନେତୃତ୍ୱରେ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଥିଲା। ଜଳେଶ୍ବର ବ୍ଲକ୍ କଂଗ୍ରେସ କମିଟିର ସଭାପତି ରାଜୀବ ପରିଡ଼ାଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ସାଧାରଣ ସମ୍ପାଦକ ସତ୍ୟଶିବ ଦାସ, ଜିଲ୍ଲା କଂଗ୍ରେସ କମିଟି ସଭାପତି ସଞ୍ଜୀବ ଗିରି ଓ ଜଳେଶ୍ବର ଟାଉନ୍ ସଭାପତି ଗିରିଜା ଶଙ୍କର ଦାସ ପ୍ରମୁଖ ଯୋଗ ଦେଇଥିଲେ।
The post ଜଳ ନିଷ୍କାସନ ଓ ସୁବର୍ଣ୍ଣରେଖା ସଂସ୍କାର ଯୋଜନା ହିଁ କଂଗ୍ରେସର ମୁଖ୍ୟ ପ୍ରସଙ୍ଗ: ନିରଞ୍ଜନ first appeared on Sambad.from ଜିଲ୍ଲା | Sambad https://ift.tt/3l1D8kv
0 Comments