
ପୁରୀ: ଯେଉଁଠି କୋଭିଡ୍ ସଂକ୍ରମଣର ସଚେତନତା ବାର୍ତ୍ତା ଉଡ଼ିବା କଥା ସେଠି ସଂକ୍ରମଣର ଅନୁକୂଳ ପରିବେଶ ତିଆରି କରିଛନ୍ତି ମେଡିକାଲ୍ କର୍ତ୍ତୃପକ୍ଷ। ରୋଗୀ ସେବା ନାଁରେ ଏଠାରେ ଶହ ଶହ ଲୋକଙ୍କୁ ଲମ୍ବାଧାଡ଼ିରେ ଠିଆ କରି କୋଭିଡ୍ ବ୍ୟାପକତାର ମାତ୍ରା ବଢ଼ିବା ପରିସ୍ଥିତି ଉପୁଜିଛି। ଆଜି ସକାଳେ ଆମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଉଟ୍ଡୋର ସ୍ଥିତି ଅନୁଧ୍ୟାନ କରିଥିଲୁ। ଏଠି ଡାକ୍ତରଙ୍କ ଚାମ୍ବର ସହ ଆଉଟ୍ଡୋର ବାହାରେ ରୋଗୀଙ୍କୁ ଲମ୍ବା ଧାଡ଼ି ଲାଗିଥିଲା। ଶହ ଶହ ମହିଳା-ପୁରୁଷ ଭିଡ଼ ଭିତରେ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଛିଡ଼ା ହୋଇଥିଲେ। ସାମାଜିକ ଦୂରତା ତ’ ଦୂରର କଥା ଅନେକ ମାସ୍କ ପିନ୍ଧିନଥିଲେ। ନା ସିକ୍ୟୁରିଟି ନା ଡାକ୍ତର, କେହି ବି ବାରଣ କରିନଥିଲେ। ସମାନ ସ୍ଥିତି ଦେଖିବାକୁ ମିଳିଥିଲା ନିରାମୟ ଔଷଧ କେନ୍ଦ୍ରରେ। ଶତାଧିକ ଲୋକ ଲମ୍ବାଧାଡ଼ିରେ ଔଷଧ ପାଇଁ ଛିଡ଼ା ହୋଇଥିଲେ। ଭିଡ଼ ଭିତରେ ଖରାତରାରେ ଘଣ୍ଟା ଘଣ୍ଟା ବିତାଉଥିଲେ।
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏହି ଅବ୍ୟବସ୍ଥା ଦୂର ପାଇଁ ଜିଲ୍ଲା ସ୍ବାସ୍ଥ୍ୟ ସମିତି ଗଠନ କରାଯାଇଛି। ସାଂସଦ, ବିଧାୟକଙ୍କଠାରୁ ଆରମ୍ଭ କରି ଅନେକ ବଡ଼ ବଡ଼ ନେତା ଏହି କମିଟିର ସଦସ୍ୟ ରହିଛନ୍ତି। କିନ୍ତୁ କେହି ବି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏହି ଅବ୍ୟବସ୍ଥା ଦିଗରେ ଥରୁଟିଏ ମୁହଁ ଖୋଲୁନାokନ୍ତି। ରୋଗୀ ଓ ସେମାନଙ୍କ ସଂପର୍କୀୟମାନେ ସିଧାସଳଖ କହିଛନ୍ତି କି ପୁରୀର ଅନେକ ବିକାଶମୂଳକ କାର୍ଯ୍ୟର ନକ୍ସା ଆଙ୍କିଛନ୍ତି ମୁଖ୍ୟମନ୍ତ୍ରୀ। କିନ୍ତୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବର୍ଷ ବର୍ଷର ଏହି ସମସ୍ୟା ଦୂର ହୋଇ ନପାରିବା ଦୁର୍ଗାଗ୍ୟଜନକ। ବଡ଼ ବଡ଼ ଡାକ୍ତରଖାନା ଭଳି ଏଠାରେ କମ୍ପ୍ୟୁଟରାଇଜ୍ଡ ଘୋଷଣା ବ୍ୟବସ୍ଥା କରାଯାଉ। ଯଦ୍ବାରା ସିରିଏଲ ନଂ ଅନୁଯାୟୀ ରୋଗୀଙ୍କ ନାମ ଡକାଯିବ। ଆଉ ଆଉଟ୍ଡୋର କି ଅନ୍ୟଠି ଭିଡ଼ ଲାଗିବନି ଅବା ସଂକ୍ରମଣ ପରିସ୍ଥିତି ସୃଷ୍ଟି ହେବନି। ଲୋକେ ଅପେକ୍ଷାରେ ରହି ସ୍ବାସ୍ଥ୍ୟ ପରୀକ୍ଷା କରିବେ। ଜରୁରୀକାଳୀନ ରୋଗୀଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଇପାରିବ। କିନ୍ତୁ ସେଭଳି ନ କରି ରୋଗୀ ଓ ସେମାନଙ୍କ ପରିବାରକୁ ଯନ୍ତ୍ରଣା ଦେବା ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ତାଚ୍ଛଲ୍ୟ କରୁଛି।
ଯେଉଁଠି ଡାକ୍ତରମାନେ ରୋଗୀଙ୍କୁ କୋଭିଡ୍ ଉପରେ ସଚେତନତାର ବାର୍ତ୍ତା ବାଣ୍ଟିବା କଥା, ଲୋକଙ୍କୁ ମାସ୍କ ପିନ୍ଧିବାକୁ ଅନୁରୋଧ କରିବା କଥା, ସେଠି ନିଜେ କୋଭିଡ୍ ନିୟମ ଉଲ୍ଲଂଘନ କରି ରୋଗୀ ଦେଖୁଛନ୍ତି। ଏହା ଆଜିକା ଘଟଣା ନୁହେଁ, ଦୀର୍ଘ ଦିନ ଧରି ଜନୈକ ଡାକ୍ତର ଏଭଳି ରୋଗୀ ସେବା କରୁଛନ୍ତି। ଯାହାର କୋଭିଡ୍ ସଂକ୍ରମଣର ଭୟାବହ ପରିସ୍ଥିତି ସୃଷ୍ଟି କରିବା ଆଶଙ୍କା ଦେଖାଦେଇଛି। ଆଜି ପୂର୍ବାହ୍ଣରେ ସ୍ଥିତି ଅନୁଧ୍ୟାନ ବେଳେ ଆଉଟ୍ଡୋରରେ ରୋଗୀ ଦେଖା ଦାୟିତ୍ବରେ ଥିବା ଡାକ୍ତର ମାସ୍କ ପିନ୍ଧିନଥିଲେ। ବିନା ମାସ୍କରେ ରୋଗୀ ଦେଖୁଥିଲେ। ଯାହା ରୋଗୀଙ୍କ ମହଲରେ ଗୁଞ୍ଜରଣ ସୃଷ୍ଟି କରିଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଇସିୟୁରେ ବି ଅବ୍ୟବସ୍ଥା ପିଛା ଛାଡ଼ିନି। ଫ୍ୟାନ ବ୍ୟବସ୍ଥା ନ ଥିବାରୁ ଆଇସିୟୁ ବାହାରେ ଅପେକ୍ଷା କରି ରହୁଥିବା ରୋଗୀଙ୍କ ପରିବାର ଲୋକେ ଯନ୍ତ୍ରଣା ପାଉଛନ୍ତି। ଯାହାକୁ ନେଇ ରୋଗୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଶ୍ରୀଜଗନ୍ନାଥ ଭକ୍ତ ପରିଷଦର ଆବାହକ ସୂର୍ଯ୍ୟନାରାୟଣ ରଥ କହିଛନ୍ତି କି ସେ ଆଜି ଆଇସିୟୁରେ ଜନୈକ ସଂପର୍କୀୟଙ୍କୁ ଦେଖା କରିବାକୁ ଯାଇଥିଲେ। ଏଥିପାଇଁ ବାହାରେ ଅପେକ୍ଷା କରିବାକୁ ପଡ଼ିଥିଲା। ବାହାରେ ଚେୟାର ଥିଲା ସତ, କିନ୍ତୁ ଗରବରେ ଲୋକେ ଅଣନିଃଶ୍ବାସୀ ହୋଇ ପଡ଼ୁଥିଲେ। ଯାହା ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ହେବା ଦରକାର ବୋଲି ଶ୍ରୀ ରଥ କହିଛନ୍ତି।
The post ବଦଳୁନି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ: ରୋଗୀ ଦେଖା, ଔଷଧ ପାଇଁ ଲମ୍ବାଧାଡ଼ି first appeared on Sambad.from ଜିଲ୍ଲା | Sambad https://ift.tt/3aDTXMn
0 Comments