
ବାଲିଗୁଡ଼ା : ଫେସ୍ବୁକ୍ରେ ହିନ୍ଦୁ ଦେବଦେବୀଙ୍କୁ ନେଇ ଜଣେ ଯୁବକ କୁତ୍ସିତ ମନ୍ତବ୍ୟ ପୋଷ୍ଟ୍ କରିଛନ୍ତି। ଏହାକୁ ନେଇ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହରରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା। ଉକ୍ତ ଯୁବକଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ରବିବାର ଅପରାହ୍ଣ ଗୋଟାଏରୁ ୪ଟା ପର୍ଯ୍ୟନ୍ତ ହିନ୍ଦୁପୁତ୍ର ସଂଗଠନ, ବିଶ୍ବହିନ୍ଦୁ ପରିଷଦ ଓ ବିଜେପି ଦଳର କର୍ମୀ ମାନେ ବନ୍ଦ ପାଳନ କରିଥିଲେ। ସମସ୍ତ ଦୋକାନବଜାର ବନ୍ଦ ରହିଥିଲା। ଏହାପରେ ସଂପୃକ୍ତ ଯୁବକଙ୍କୁ ବାଲିଗୁଡ଼ା ପୁଲିସ ଅଟକ ରଖି ପଚରାଉଚରା କରୁଛି। ପରିସ୍ଥିତି ଉପରେ ନଜର ରଖାଯାଇଥିବା ନେଇ ଥାନାଧିକାରୀ ବାବାଶଙ୍କର ସରାଫ ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ, ସହରର ଜଣେ ନେତା ନିଜ ଦଳକୁ ନେଇ ଫେସ୍ବୁକ୍ରେ କିଛି ସକାରାତ୍ମକ ମନ୍ତବ୍ୟ ପୋଷ୍ଟ୍ କରିଥିଲେ। ଏହାକୁ ନେଇ ସହରର ଭିନ୍ନ ସମ୍ପ୍ରଦାୟର ଜଣେ ଯୁବକ କୁତ୍ସିତ ମନ୍ତବ୍ୟ ରଖିଥିଲେ। ହିନ୍ଦୁ ଦେବଦେବୀଙ୍କୁ ଆକ୍ଷେପ କରିଥିଲେ। ଏହି ପୋଷ୍ଟ୍ ଭାଇରାଲ ହେବାପରେ ସହରରେ ଚାପା ଉତ୍ତେଜନା ଆରମ୍ଭ ହୋଇଥିଲା। ବାଲିଗୁଡ଼ା ଥାନାରେ ବିଭିନ୍ନ ହିନ୍ଦୁ ସଂଗଠନ ତରଫରୁ ଏତଲା ଦେବା ସହ ସଂପକ୍ତ ଯୁବକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରାଯାଇଥିଲା। ହିନ୍ଦୁପୁତ୍ର ସଂଗଠନର ରାଜ୍ୟ ସଭାପତି ସୁରେଶ କୁମାର ପତିଙ୍କ ନେତୃତ୍ବରେ ବାଲିଗୁଡ଼ାରେ ଏକ ଶୋଭାଯାତ୍ରା କରାଯାଇ ସହରକୁ ବନ୍ଦ କରିବାକୁ ଆହ୍ବାନ୍ ଦିଆଯାଇଥିଲା। ପରେ ଦୋକାନବଜାର ଓ ଯାନବାହନ ଚଳାଚଳ ପ୍ରାୟ ତିନି ଘଣ୍ଟା ଧରି ଠପ୍ ହୋଇଥିଲା। ପୁଲିସ ସଂପୃକ୍ତ ଯୁବକକୁ ଥାନାକୁ ଆଣିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।
The post ଫେସ୍ବୁକ୍ରେ ଦେବଦେବୀଙ୍କୁ ନେଇ କୁତ୍ସିତ ମନ୍ତବ୍ୟ: ବାଲିଗୁଡ଼ାରେ ଉତ୍ତେଜନା first appeared on Sambad.from ଜିଲ୍ଲା | Sambad https://ift.tt/3a0o7cb
0 Comments