
ରାୟଗଡ଼ା: ଦୃଢ଼ ଇଚ୍ଛା ଶକ୍ତି ହିଁ ସଫଳତାର ଚାବି କାଠି। ଏହି ଉକ୍ତିକୁ ପ୍ରମାଣିତ କରିଛନ୍ତି ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲାର ୩ ମେଧାବୀ ଛାତ୍ର। ଶୁକ୍ରବାର ପ୍ରକାଶ ପାଇଥିବା ଓଡ଼ିଶା ପବ୍ଲିକ୍ ସର୍ଭିସ୍ ପରୀକ୍ଷାରେ ଜିଲ୍ଲାର ୩ ମେଧାବୀ ଛାତ୍ର ୮୮, ୧୧୧, ୧୨୪ ନଂ ରାଙ୍କରେ ରହି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିବା ୩ ଛାତ୍ର ବହୁ ଗରିବ ପରିବାରର ହୋଇଥିବା ବେଳେ ବାଧାବିଘ୍ନ ଭିତରେ ଓଏଏସ୍ ପାଇଥିବାରୁ ଅନ୍ୟ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି।
୮୮ ତମ ରାଙ୍କରେ ଥିବା ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକର ସୁରେଶ ନାୟକ ବେହେରା ଚାଷୀ ପରିବାରର। ବ୍ଲକର ଜଣା ଶୁଣା ଚାଷୀ ସୁରଜ ନାୟକ ବେହେରାଙ୍କ ପୁଅ ସୁରେଶ ୨୦୧୯ ମସିହାରେ ଓଡିଶା ପବ୍ଲିକ୍ ସର୍ଭିସ୍ କମିସନ ପରୀକ୍ଷା ଦେଇଥିଲେ। ଫଳାଫଳ ପ୍ରକାଶ ପରେ ଶହେ ଜଣଙ୍କ ମଧ୍ୟରେ ୮୮ ତମ ସ୍ଥାନରେ ରହିଛନ୍ତି। ପିଲାଟି ଦିନରୁ ପାଠପଢା ପ୍ରତି ରୁଚି ରଖୁଥିବା ସୁରେଶଙ୍କ ଏହି କୃତିତ୍ବ ପାଇଁ ପରିବାର ଲୋକ ଖୁସି ପ୍ରକଟ କରିଛନ୍ତି।
ଅନ୍ୟପକ୍ଷରେ ସୁରେଶ ଏହା ମଧ୍ୟରେ ଆଇଏଏସ୍ ପାଇଁ ପ୍ରସ୍ତୁତି ସାରି ପରୀକ୍ଷା ମଧ୍ୟ ଦେଇଛନ୍ତି। ସେହିପରି ରାୟଗଡ଼ା ସଦର ବ୍ଲକ ଗୁମ୍ମା ପଞ୍ଚାୟତ ରାଇକୋଣା ଗ୍ରାମର ପରିବା ବିକାଳି ରଞ୍ଜୀ ମାଝୀଙ୍କ ସାନ ଭାଇ ଚନ୍ଦ୍ରଦାସ ମହାନନ୍ଦିଆ ୧୧୧ ରାଙ୍କରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ପିଲାଟି ଦିନରୁ ଗରିବୀକୁ ଅତି ପାଖରୁ ଦେଖିଥିବା ଚନ୍ଦ୍ରଦାସ ବହୁକଷ୍ଟରେ ପାଠ ପଢ଼ିବା ସହ ପିଲାଙ୍କୁ ଟ୍ୟୁସନ୍ କରି ଉଚ୍ଚ ଶିକ୍ଷା ପାଇଁ ପ୍ରସ୍ତୁତି ଚଲାଇଥିଲେ। ସ୍କୁଲରେ ପଢ଼ୁଥିବା ବେଳେ ବାପାଙ୍କ ଦେହାନ୍ତ ହୋଇଥିଲା।
ସେହିଦିନରୁ ବଡ ଭାଇ ରଞ୍ଜୀ ମହାନନ୍ଦିଆ ଚନ୍ଦ୍ରଦାସଙ୍କ ପାଠପଢ଼ା ଦାୟିତ୍ବ ନେଇଥିଲେ। ନିଜେ ପରିବା ବିକ୍ରି କରି ଭାଇକୁ ମଣିଷ କରିବା ପାଇଁ ନେଇଥିବା ସିଦ୍ଧାନ୍ତ ଆଜି ରଞ୍ଜୀଙ୍କ ସ୍ବପ୍ନକୁ ପୂରଣ କରିବା ସହ ଚନ୍ଦ୍ରଦାସଙ୍କୁ ଓଏଏସ୍ ପରୀକ୍ଷାରେ ସଫଳତା ଦେଇଛି। ୧୨୪ ରାଙ୍କରେ ଥିବା ପଦ୍ମପୁର ବ୍ଲକ ଜାତିଲି ଗ୍ରାମର ପୁରଞ୍ଜନ ଗାଣ୍ଟା ମଧ୍ୟ ସଂଘର୍ଷ ଭିତରେ ସଫଳତା ପାଇଛନ୍ତି। ଅନୁସୂଚିତ ଜାତି କୋଟାରେ ସେ ୧୨ ନଂ ସ୍ଥାନରେ ରହିଛନ୍ତି। ଅତି ଗରୀବ ପରିବାରରୁ ଆସିଥିବା ପୁରଞ୍ଜନ ପ୍ରଥମ ଥର ଦେଇଥିବା ପରୀକ୍ଷାରେ କୃତକାର୍ଯ୍ୟ ହୋଇପାରି ନଥିଲେ।
ଏହା ସତ୍ତ୍ବେ ମନୋବଳକୁ ଦୃଢ଼ କରି ପଢ଼ା ଜାରି ରଖି ଦ୍ବିତୀୟ ଉଦ୍ୟମରେ ସଫଳତା ପାଇଛନ୍ତି। ପୁରଞ୍ଜନ ଏବେ ଗଜପତି ଜିଲ୍ଲାରେ ଶିକ୍ଷକତା କରୁଛନ୍ତି। ଭବିଷ୍ୟତରେ ସମାଜର ଗରିବ, ଗୁରୁବାଙ୍କ ବିକାଶ ପାଇଁ କାମ କରିବେ ବୋଲି ପ୍ରକାଶ କରିଛନ୍ତି। ପୁରଞ୍ଜନ ଜାତିଲି ଗ୍ରାମରେ ପ୍ରାଥମିକ ଶିକ୍ଷା ସାରିବା ପରେ ଆଦିବାସୀ ବିଭାଗ ଦ୍ବାରା ପରିଚାଳିତ କୁଜେନ୍ଦ୍ରୀ ସରକାରୀ ହାଇସ୍କୁଲରେ ମାଟ୍ରିକ ପର୍ଯ୍ୟନ୍ତ ପଢ଼ିଥିଲେ। ଏହା ପରେ ପଦ୍ମପୁର ଆର୍. ଜି. କଲେଜରେ ବି.ଏ.ପାସ୍ କରିଥିଲେ। ୨୦୧୪ ରେ କୁଟୁଳି ଆଶ୍ରମ ସ୍କୁଲରେ ଶିକ୍ଷକ ଭାବେ ଯୋଗ ଦେଇଥିବା ବେଳେ ୨୦୧୬ରୁ ସେ ଗଜପତି ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି। ୩ ମେଧାବୀ ଛାତ୍ରଙ୍କ ସଫଳତା ଜିଲ୍ଲା ପାଇଁ ଗୌରବ ଆଣିଥିବା ବେଳେ ବିଭିନ୍ନ ମହଲରୁ ସେମାନଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି।
The post ରାୟଗଡ଼ାରୁ ୩ ପାଇଲେ ଓଏଏସ୍, ସୁରେଶ, ଚନ୍ଦ୍ରଦାସ, ପୁରଞ୍ଜନଙ୍କୁ ସଫଳତା first appeared on Sambad.
from ଜିଲ୍ଲା | Sambad https://ift.tt/3BxFltK
0 Comments