କନେଷ୍ଟବଳରୁ ସିଭିଲ ସର୍ଭିସ ପର୍ଯ୍ୟନ୍ତ ଦୀର୍ଘଯାତ୍ରା: ୧୦୯ ର‍୍ୟାଙ୍କରେ ଆଶୁତୋଷ

ବରୀ/ବିଂଝାରପୁର  : ଦୃଢ଼ ଇଚ୍ଛାଶକ୍ତି ଥିଲେ ମଣିଷ ଲକ୍ଷ୍ୟପଥରେ ପହଞ୍ଚିପାରେ, ଏହା ପ୍ରମାଣ କରି ଦେଖାଇଛନ୍ତି ବରୀ ବ୍ଲକ୍‌ କନ୍ତିଆ ଗ୍ରାମର ଆଶୁତୋଷ ମଲ୍ଲିକ। ୨୦୧୯ ଓଡ଼ିଶା ଲୋକସେବା ଆୟୋଗ ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ଆଶୁତୋଷ ୧୦୯ ର‍୍ୟାଙ୍କ ହାସଲ କରି ସଫଳତା ପାଇଛନ୍ତି। ଏହି ସଫଳତା ପାଇଁ ବରୀ ବିଧାୟିକା ସୁନନ୍ଦା ଦାସ ଓ ବିଜେଡି ନେତା ଦେବେନ୍ଦ୍ର କୁମାର ଦାସ କନ୍ତିଆ ଗ୍ରାମରେ ପହଞ୍ଚି ଆଶୁତୋଷଙ୍କୁ ସମ୍ଵର୍ଦ୍ଧିତ କରି ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି।

ତାଙ୍କ ସଫଳତାର ଯାତ୍ରା ବେଶ୍‌ କଠିନ ଓ ଦୀର୍ଘ ବୋଲି ‘ସମ୍ବାଦ’କୁ ସେ ନିଜ ପ୍ରତିକ୍ରିୟାରେ ଜଣାଇଛନ୍ତି। ନଦୀଘେରା କନ୍ତିଆ ଗାଁରେ ତାଙ୍କର ପ୍ରାଥମିକ ଶିକ୍ଷାଗ୍ରହଣ ହୋଇଥିଲା। ହରିପୁର ନିକଟ ନରସିଂହପୁର ଉଚ୍ଚବିଦ୍ୟାଳୟରୁ ସେ ୨୦୦୩ରେ ମାଟ୍ରିକ ପାସ୍‌ କରିଥିଲେ। ଏହାପରେ ସେ ଯାଜପୁର ଏନସି କଲେଜରେ ଯୁକ୍ତ ଦୁଇ ବିଜ୍ଞାନ ପଢ଼ିଥିଲେ। ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟରୁ ୨୦୦୮ରେ ଯୁକ୍ତ ୩ ବିଜ୍ଞାନରେ ଉତ୍ତୀର୍ଣ୍ଣ ହୋଇଥିଲେ। ସେହିବର୍ଷ ହିଁ ସେ ଯାଜପୁର ଜିଲ୍ଲାରେ ଜଣେ କନ୍‌ଷ୍ଟେବଳ ଭାବେ ନିଯୁକ୍ତି ପାଇଥିଲେ। ୨୦୧୩ ରେ ସେ ପୁଲିସ ଏସ୍‌ଆଇ ଭାବେ ନିଯୁକ୍ତି ପାଇଥିଲେ। ବର୍ତ୍ତମାନ ସେ ମାଲକାନଗିରି ଜିଲ୍ଲାରେ ଓଏସ୍‌ଏପି ଚତୁର୍ଥ ଏସଏସ୍‌ ବାଟାଲିୟନରେ ଏସ୍‌ଆଇ ଭାବେ କାର୍ଯ୍ୟରତ ଅଛନ୍ତି। ବ୍ୟସ୍ତବହୁଳ ଚାକିରିରେ ଥାଇ ମଧ୍ୟ ସେ ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତ ହେଉଥିଲେ। ମୋଟୁ ଅଞ୍ଚଳରେ କୌଣସି ପତ୍ରପତ୍ରିକା ତଥା ଇଂରାଜୀ ଖବରକାଗଜ ମିଳୁ ନଥିଲା। ତେବେ ୟୁଟ୍ୟୁବ୍‌ ବେଶ୍‌ ସହାୟତା ହୋଇଥିଲା। ଏବଂ ଶେଷରେ ସଫଳତା ମିଳିଥିବାରୁ ସେ ଆନନ୍ଦ ପ୍ରକାଶ କରିଛନ୍ତି। ଏହି ସଫଳତା ପାଇଁ ସେ ପରିବାର ଲୋକଙ୍କ ସମେତ ସହକର୍ମୀ ଓ ଉଚ୍ଚ ଅଧିକାରୀମାନଙ୍କୁ ଶ୍ରେୟ ଦେଇଛନ୍ତି।

The post କନେଷ୍ଟବଳରୁ ସିଭିଲ ସର୍ଭିସ ପର୍ଯ୍ୟନ୍ତ ଦୀର୍ଘଯାତ୍ରା: ୧୦୯ ର‍୍ୟାଙ୍କରେ ଆଶୁତୋଷ first appeared on Sambad.

from ଜିଲ୍ଲା | Sambad https://ift.tt/30dRRkp

Post a Comment

0 Comments